ପରିବା ଭିତରେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ, ଚାଲାଣବେଳେ ଧରାପଡ଼ିଲା

Advertisment
ପରିବା ଭିତରେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ, ଚାଲାଣବେଳେ ଧରାପଡ଼ିଲା

ଭୁବନେଶ୍ବର: ଉପର ବସ୍ତାରେ ଅଛି କୋବି ଓ ବାଇଗଣ। ଭିତର ବସ୍ତାରେ ଗଞ୍ଜେଇ। ବସ୍ତାର ଆକାର ପୂରା ସମାନ। ଦୂ‌ରରୁ ଦେଖିଲେ କିଛି ଜଣାପଡ଼ିବନି। ୪୦ ବସ୍ତା ପରିବା ବାହାର କରିବା ପରେ ବାହାରିଛି ଗଞ୍ଜେଇ। ପରିବା ଟ୍ରକ୍‌ରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା। ଖୋର୍ଦ୍ଧାରୁ ପିଛା କରି କସ୍‌ମୋପଲିସ୍‌ ଛକରେ ଧରିଛି ରାଜସ୍ବ ଗୁଇନ୍ଦା ବିଭାଗ(ଡିଆରଆଇ)। ଟ୍ରକ୍‌ରୁ ୫୫୦ କେଜି ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୮୦ ଲକ୍ଷ ଟଙ୍କା। ଗଞ୍ଜେଇ ଟ୍ରକ୍‌ ଓ ପରିବାକୁ ଜବତ କରାଯାଇଛି। ଟ୍ରକ୍‌କୁ ଖୋର୍ଦ୍ଧାରୁ ପିଛା କରୁଥିବା ଅଧିକାରୀମାନେ କସ୍‌ମୋପଲିସ ଛକରେ ପହଞ୍ଚିବା ବେଳକୁ ଗାଡ଼ି ଛାଡ଼ି ଚାଳକ ଓ ତା’ ସହ ଥିବା ଜଣେ ସହଯୋଗୀ ଫେରାର ହୋଇ ଯାଇଛନ୍ତି। ଫେରାର ଚାଳକକୁ ଧରିବା ପାଇଁ ପୁଲିସ ସହାୟତାରେ ଉଦ୍ୟମ ଜାରି ରଖିଛି। ତେବେ ରାତି ସୁଦ୍ଧା ଉଭୟଙ୍କର ପତ୍ତା ମିଳିପାରି ନାହିଁ।

ଗାଡ଼ି ନମ୍ବରରୁ ମାଲିକର ଠିକଣା ମିଳିଛି। ଗାଡ଼ିଟି ଦକ୍ଷିଣ ଓଡ଼ିଶାରୁ ବିହାର ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିଏ ଗାଡ଼ି ବୁକ୍‌ କରିଥିଲା? ବେପାରୀ କିଏ, ଗ୍ରାହକ କିଏ, ତାହା ଜାଣିବା ପାଇଁ ଖୋଳତାଡ଼ ଚଳାଇଥିବା ଡିଆରଆଇ ଡିଏସ୍‌ପି ଶୁଭକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ‌ତେବେ ଗାଡ଼ି ଚାଳକ ଓ ଅନ୍ୟତମ ସହଯୋଗୀ କିଭଳି ଫେରାର ହୋଇଗଲେ, ତାଙ୍କୁ କାହିଁକି ଗିରଫ କରା ଯାଇପାରିଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ମାଲ୍‌କାନାଗିରି, କନ୍ଧମାଳ, କୋରାପୁଟ୍‌ ପ୍ରଭୃତି ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିଲା। ବିଭିନ୍ନ ସମୟରେ ଡିଆରଆଇ ରାଜ୍ୟ ତଥା ରାଜ୍ୟ ବାହାରେ ଚଢ଼ଉ କରି ଗଞ୍ଜେଇ ଜବତ କରିଥିବା ରେକର୍ଡ ରହିଛି। ଏଣୁ ଏହି କାରବାର ଉପରେ ଡିଆରଆଇ ନଜର ରହିଥିଲା। ବିଭିନ୍ନ ସମୟରେ ଚଢ଼ଉ ହେବାରୁ ବେପାରୀ ବେପାର ତରିକା ବଦଳାଇଥିଲା। ଏଭଳି ପରିବା ଆଳରେ ଟ୍ରକ୍‌ରେ ଏତେ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିଲା। ଆଜି ସକାଳେ ବ୍ରହ୍ମପୁର ଦେଇ ଟ୍ରକ୍‌ ଆସିବା ବେଳେ ଡିଆରଆଇ ଖବର ପାଇଥିଲା। ସେଠାରୁ ଟ୍ରକ୍‌ର ଅନୁସନ୍ଧାନ ଆରମ୍ଭ ହୋଇଥିଲା। ବ୍ରହ୍ମପୁର ସୀମା ଜଗିବାକୁ ଡିଆରଆଇ ପହଞ୍ଚିବା ବେଳକୁ ଟ୍ରକ୍‌ ବ୍ରହ୍ମପୁର ଚାଡ଼ି ସାରିଥିଲା। ପରେ ଟ୍ରକ୍‌କୁ ପିଛା କରି ଖୋର୍ଦ୍ଧାରେ ଠାବ କରାଯାଇଥିଲା। ଟ୍ରକ୍‌କୁ ପିଛା କରିବା ବେଳେ ଚାଳକ ଜାଣିପାରି ଦ୍ରୁତ ଗତିରେ ଚଳାଇ ଚାଲି ଆସିଥିଲା। ଅଧିକାରୀମାନେ ପିଛା କରି କସ୍‌ମୋପଲିସ୍‌ ଛକରେ ପହଞ୍ଚିବା ବେଳକୁ ଦୁଇଜଣ ଟ୍ରକ୍‌ରୁ ଓହ୍ଲାଇ ଚାଲି ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe