ନିର୍ଦ୍ଦୟ ସାଜି‌ଲେ ପୁଅ ଓ ବୋହୂ : ଘରୁ ତଡ଼ିବା ପରେ ଆଶ୍ରୟ ଖୋଜୁଛନ୍ତି ବୃନ୍ଦାବନ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Advertisment
ନିର୍ଦ୍ଦୟ ସାଜି‌ଲେ ପୁଅ ଓ ବୋହୂ : ଘରୁ ତଡ଼ିବା ପରେ ଆଶ୍ରୟ ଖୋଜୁଛନ୍ତି ବୃନ୍ଦାବନ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନେଟେଙ୍ଗା ପଞ୍ଚାୟତ ରତନପୁର ଗ୍ରାମର ବୃନ୍ଦାବନ ଗ‌ୌଡ଼। ୮୦ ବର୍ଷ ବୟସରେ ପୁଅ ଓ ବୋହୂ ତାଙ୍କର ସାହାରା ପାଲଟିବା ପରିବର୍ତ୍ତେ ବୋଝ ଭାବି ଘରୁ ତଡ଼ି ଦେଇଛନ୍ତି। ଫଳରେ ଏହି ପରିଣତ ବୟସରେ ଆଶ୍ରୟ ପାଇଁ ସେ ବାର ଦୁଆର ବୁଲୁଛନ୍ତି। ଚାଲିବାକୁ ବଳ ନାହିଁ। ତଥାପି ବାଡ଼ିଟିଏ ଧରି କଷ୍ଟେମ‌ଷ୍ଟେ ଚାଲୁଛନ୍ତି। ପକ୍ଷାଘାତ ରୋଗରେ ବି ସେ ଶିକାର। ପୁଅ ଓ ବୋହୂ ନିର୍ଦ୍ଦୟ ସାଜି ଘରୁ ବାହାର କରିଦେବାରୁ ଆଶ୍ରୟ ପାଇଁ ଆଜି ସେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। କାରଣ ସାହାଭରସା କେହି ନଥିବାରୁ ଅନ୍ୟ ଘର ବାରଣ୍ଡାରେ ରାତି କଟୁଥିବା ବେଳେ ଯିଏ ଯାହା ଦେଉଛି ସେତିକି ଖାଇ ରହୁଛନ୍ତି। ତୁରନ୍ତ ତାଙ୍କୁ କେଉଁଠି ଥଇଥାନ କରିବାକୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ସେ ଆକୁଳ ନିବେଦନ କରିଛନ୍ତି।

publive-image

publive-imageବୃନ୍ଦାବନ ଚାଷ କାମ କରି ଗାଁରେ ରହୁଥିଲେ। କିଛି ଦିନ ପରେ ରାଉରକେଲା କାମ କରିବାକୁ ପଳାଇଥିଲେ। ଗାଁରେ ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ରହୁଥିଲେ। ଏହା ମଧ୍ୟରେ ସେ ଦୁଇ ଝିଅ ଓ ପୁଅର ବିବାହ କରାଇଥିଲେ। କିନ୍ତୁ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ପୁଅ ଓ ବୋହୂର ଅତ୍ୟାଚାର ଆରମ୍ଭ ହୋଇଗଲା। ଦୁଃଖ ଉପରେ ନଳିତା ବିଡ଼ା ଭଳି ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଗଲେ। ଗତ ୨୦ ତାରିଖରେ ପୁଅ ଓ ବୋହୂ ତାଙ୍କୁ ଗାଳିଗୁଲଜ କରିବା ସହ ଗୋଟିଏ ଠେଙ୍ଗାରେ ମୁଣ୍ଡକୁ ଆଘାତ କରିଥ‌ିଲେ। ଗୁରୁତର ଅବସ୍ଥାରେ ଗ୍ରାମବାସୀ ବୃନ୍ଦାବନଙ୍କୁ ଉଦ୍ଧାର କରି ଗୋବରା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଏନେଇ ଗାଙ୍ଗପୁର ଥାନାରେ ଏତଲା ଦେବା ପରେ କେସ ନମ୍ବର ୧୫୮ ଅନୁସାରେ ମାମଲା ରୁଜୁ ହୋଇଥିଲା। ତଥାପି ପୁଅ ଓ ବୋହୂ ତାଙ୍କୁ ଘରେ ରହିବାକୁ ସୁଯୋଗ ଦେଉ ନଥିବାରୁ ସଂପର୍କୀୟ ଏବଂ ଅନ୍ୟ ଗ୍ରାମବାସୀଙ୍କ ନିକଟରେ ଆଶ୍ରୟ ଦେଉଛନ୍ତି।

ଏଭଳି ଅବସ୍ଥାରେ ଆଜି ସେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଗୁହାରି ଜଣାଇଛନ୍ତି। ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe