ଅନାହାରରେ ସାତଭାୟାର ୮୦୦ ଗୋରୁ: ଚାରିଆଡ଼େ ଲୁଣିପାଣି, ଖାଇବାକୁ ଖାଦ୍ୟ ନାହିଁ

ବଙ୍ଗୋପସାଗର କୂଳ ସାତଭାୟାର ପୁରୁଣା ଜନବସତି ଅଞ୍ଚଳରେ ପଶୁଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ୮୦୦ରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢ ଅନାହାରରେ ଅଛନ୍ତି। ନା’ ଖାଇବାକୁ ପାଉଛନ୍ତି ନା’ ପିଇବାକୁ ପାଣି ମିଳୁଛି।

sfsfsfsffs

ରାଜନଗର: ବଙ୍ଗୋପସାଗର କୂଳ ସାତଭାୟାର ପୁରୁଣା ଜନବସତି ଅଞ୍ଚଳରେ ପଶୁଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ୮୦୦ରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢ ଅନାହାରରେ ଅଛନ୍ତି। ନା’ ଖାଇବାକୁ ପାଉଛନ୍ତି ନା’ ପିଇବାକୁ ପାଣି ମିଳୁଛି। ସବୁଆଡ଼େ ଖାଲି ଲୁଣି ପାଣି। ବାତ୍ୟା ‘ଦାନା’ ପରେ ଏହି ସମସ୍ୟା ବଢ଼ିଯାଇଛି। ଯେତିକି ଗାଈଗୋରୁ ‘ଦାନା’ରେ ମରିଛନ୍ତି, ତା’ ଠାରୁ ଅଧିକ ଗୋରୁ ଗତ ସପ୍ତାହ ମଧ୍ୟରେ ଦାନା ଅଭାବରୁ ମରିଛନ୍ତି।

ସାତଭାୟାରେ ୫୦ରୁ ଅଧିକ ଗୋରୁ ମୃତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରାଣୀ ଚିକିତ୍ସା ବିଭାଗ ଓ ବନ ବିଭାଗ ଟିମ୍ ସେଠାରେ ପହଞ୍ଚି ମୃତ ଗାଈ, ବାଛୁରୀ ଓ ଷଣ୍ଢଙ୍କୁ ପୋତିଥିଲେ। ଏହି ସମୟରେ ପ୍ରାଣୀ ଚିକିତ୍ସା ବିଭାଗ ଟିମ୍ ପ୍ରାୟ ୮ଶହରୁ ଅଧିକ ଗୋରୁ ଅନାହାରରେ ଥିବା ଜାଣିବାକୁ ପାଇଛନ୍ତି। ବଙ୍ଗୋପସାଗର ମୁହଁରେ ଥିବା ସାତଭାୟାବାସୀଙ୍କୁ ବାଉଁଶଗଡ଼ ନଦୀ ଆରପଟ ବଗପାଟିଆରେ ଥଇଥାନ କରାଯାଇଥିଲେ ମଧ୍ୟ ସେମାନଙ୍କ ଜୀବିକା ପାଇଁ ଜମି ଯୋଗାଇ ଦିଆଯାଇନି। ସାତଭାୟାବାସୀ ବଗପାଟିଆ ଥଇଥାନସ୍ଥଳରେ ରହୁଥିଲେ ମଧ୍ୟ ଅଧିକାଂଶ ଲୋକଙ୍କ ଗାଈଗୋରୁ ସାତଭାୟାରେ ଚରୁଥିଲେ। ଏହାବାଦ୍‌ ଷଣ୍ଢ ସମସ୍ୟା ଦେଖାଦେବା ପରେ ବିଭିନ୍ନ ଗାଁର ଲୋକେ ଷଣ୍ଢ ନେଇ ବାଉଁଶଗଡ଼ ନଦୀ ସେପଟେ ଛାଡ଼ି ଦେଇ ଆସୁଥିଲେ। ବର୍ତ୍ତମାନ ଏତେ ସଂଖ୍ୟକ ଗାଈ, ବାଛୁରୀ ଓ  ଷଣ୍ଢଙ୍କ ପାଇଁ ଖାଦ୍ୟ ଓ ପାଣି ସମସ୍ୟା ଦେଖାଦେଇଛି।  ପୁରୁଣା କାନପୁରରୁ ବରାହୀପୁର ଯାଏ ଏହି ଗୋରୁମାନେ ଚରୁଥିଲେ ମଧ୍ୟ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଓ ପାଣିର ଅଭାବ ରହିଛି। ଶନିବାର ସାତଭାୟା ଅଞ୍ଚଳକୁ ଯାଇଥିବା ପ୍ରାଣୀ ଚିକିତ୍ସା ମୋବାଇଲ୍‌ ୟୁନିଟର୍‌ ଡାକ୍ତର ପ୍ରକାଶ ଚନ୍ଦ୍ର ଜେନାଙ୍କ କହିବା କଥା ହେଲା ପ୍ରାୟ ୮ଶହ ଗାଈ, ବାଛୁରୀ ଓ ଷଣ୍ଢ ସେଠାରେ ଅଛନ୍ତି। ସେମାନେ ଖାଇବାକୁ ପାଉ ନାହାନ୍ତି। ଯେତିକି ସେଠାରେ ଖାଇବାକୁ ଅଛି, ମଇଁଷି ସେସବୁ ଖାଇ ଦେଉଛନ୍ତି। ପିଇବାକୁ ମଧ୍ୟ ପାଣି ନାହିଁ। ଚାରିଆଡ଼େ ଲୁଣି ପାଣି। ଏଭଳି ସ୍ଥିତିରେ ପ୍ରଶାସନ ଯେତିକି ତତ୍ପର ହେବା କଥା, ସେତିକି ହେଉନାହିଁ। ଏହି ଗୋରୁଙ୍କ ପାଇଁ ପ୍ରଶାସନ ଖାଦ୍ୟ ଓ ପାଣି ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। 

ସୂଚନାଯୋଗ୍ୟ, ବାତ୍ୟା ‘ଦାନା’ରେ ସାତଭାୟାର ୫୦ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଥିଲା। କିଛି ଗୋରୁଙ୍କ ମୃତଦେହ ସମୁଦ୍ରରେ ଭାସି ଯାଇଥିବା ବେଳେ ଅବଶିଷ୍ଟ ପୋତାଯାଇଥିଲା। ଏବେ ବି ମୃତ ଗୋରୁ ବିଭିନ୍ନ ସ୍ଥାନରେ ପଡ଼ି ରହିଛନ୍ତି। ଏଥିଯୋଗୁଁ ପରିବେଶ ସମ୍ପୂର୍ଣ୍ଣ ବିଗିଡ଼ି ଗଲାଣି। ସାତଭାୟାରେ ବିଦେଶୀ ପକ୍ଷୀ ପାଦ ଥାପି ସାରିଥିବାରୁ ମୃତ ଗୋରୁଙ୍କ ପାଇଁ ସଂକ୍ରମଣ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe