୨୭ ଜିଲ୍ଲା ପାଇଁ ଆଉ ୮୪ଟି ‘୧୦୮’ ଆମ୍ବୁଲାନ୍‌ସ

Advertisment

ସଂଖ୍ୟା ୬୦୨କୁ ବୃଦ୍ଧି

ସଂଖ୍ୟା ୬୦୨କୁ ବୃଦ୍ଧି

୨୭ ଜିଲ୍ଲା ପାଇଁ ଆଉ ୮୪ଟି ‘୧୦୮’ ଆମ୍ବୁଲାନ୍‌ସ

ଭୁବନେଶ୍ବର : ରାଜ୍ୟର ୧୦୮ ଆମ୍ବୁଲାନ୍‌ସ ସେବାରେ ଯୋଡ଼ି ହୋଇଛି ଆଉ ୮୪ଟି ଆମ୍ବୁଲାନ୍‌ସ। ରାଜ୍ୟର ୨୭ଟି ଜିଲ୍ଲାରେ ଏହି ଆମ୍ବୁଲାନ୍‌ସ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ପରିବହନ ଭବନଠାରେ ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାର ଏହି ଅତିରିକ୍ତ ଆମ୍ବୁଲାନ୍‌ସ ପାଇଁ ୫ ବର୍ଷ ପାଇଁ ୧୦୪ କୋଟି ଟଙ୍କା ବ୍ୟୟ କରିବେ। ବାଲେଶ୍ବର ଜିଲ୍ଲାକୁ ସର୍ବାଧିକ ୧୧ଟି ୧୦୮ ଆମ୍ବୁଲାନ୍‌ସ ଯୋଗାଇ ଦିଆଯାଇଛି।

publive-image

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଲେ, ଲୋକଙ୍କ ଚାହିଦା ଅନୁସାରେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ଅଧିକାଂଶ ସମୟରେ କଲ୍ ବାତିଲ୍ ହୋଇଯାଉଥିଲା। ଏପରି ଅସୁବିଧାକୁ ଦୂର କରିବା ପାଇଁ ଆଉ ୮୪ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ ହୋଇଛି। ଉପକୂଳ ଜିଲ୍ଲାରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ଗରିବ ଓ ଆଦିବାସୀବହୁଳ ଜନସାଧାରଣଙ୍କୁ ମାଗଣା ଆମ୍ବୁଲାନ୍‌ସ ସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲ୍‌ଥ କେୟାର ସଂସ୍ଥାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ବାଳ କହିଲେ, ଅତିରିକ୍ତ ଆମ୍ବୁଲାନ୍‌ସ ଦ୍ବାରା ଅଧିକରୁ ଅଧିକ ରୋଗୀ ଉପକୃତ ହୋଇପାରିବେ। ଖାଲି ସେତିକି ନୁହେଁ, ଏହାଦ୍ବାରା ବେକାର ଯୁବକ/ଯୁବତୀଙ୍କ ପାଇଁ କର୍ମନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିଥିବା ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପି.କେ ମହାପାତ୍ର,ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୧୩ ମସିହାରୁ ରାଜ୍ୟରେ ମାଗଣା ୧୦୮ ଆମ୍ବୁଲାନ୍‌ସ ସେବା କାର୍ଯ୍ୟ କରୁଛି। ଏହାଦ୍ବାରା ଗତ ୭ବର୍ଷ ମଧ୍ୟ‌ରେ ୩୨ ଲକ୍ଷରୁ ଅଧିକ ଲୋକଙ୍କୁ ଆମ୍ବୁଲାନ୍‌ସ ସେବା ମିଳି ପାରିଛି। ୨୯ ଲକ୍ଷରୁ ଅଧିକ ଗର୍ଭବତୀ ଓ ଶିଶୁଙ୍କୁ ୧୦୨ ଆମ୍ବୁଲାନ୍‌ସ ସେବା ଦିଆଯାଇଛି। ବିଚ୍ଛିନ୍ନାଞ୍ଚଳରେ ୬ଟି ୧୦୮ ବୋଟ୍ ଆମ୍ବୁଲାନ୍‌ସ ସେବା ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାରେ ୫୧୮ଟି ୧୦୮ ଆମ୍ବୁଲାନ୍‌ସ ଓ ୫ଶହଟି ୧୦୨ ଆମ୍ବୁଲାନ୍‌ସ ଚଳାଚଳ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe