୧୧ ଲକ୍ଷ ଏମ୍ଏସ୍‌ଏମ୍ଇରେ ୮୭ ଲକ୍ଷ ନିୟୋଜିତ: ଲକ୍ଷପତିଙ୍କୁ ପ୍ରୋତ୍ସାହନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ରାଜ୍ୟରେ ଥିବା ୧୧ ଲକ୍ଷରୁ ଅଧିକ ଏମ୍ଏସ୍‌ଏମ୍ଇରେ ୮୭ ଲକ୍ଷରୁ ଅଧିକ ଲୋକ ନିୟୋଜିତ ଥିବା ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି।

msme

Photograph: (KNN India)

ଭୁବନେଶ୍ବର: ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ରାଜ୍ୟରେ ଥିବା ୧୧ ଲକ୍ଷରୁ ଅଧିକ ଏମ୍ଏସ୍‌ଏମ୍ଇରେ ୮୭ ଲକ୍ଷରୁ ଅଧିକ ଲୋକ ନିୟୋଜିତ ଥିବା ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରି ପ୍ରତି ଜିଲ୍ଲାରେ ସ୍ଥାପନ କରାଯାଉଥିବା ଏମ୍ଏସ୍‌ଏମ୍ଇ ପାର୍କ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଥିଲେ ଯେ ରାଜ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ଉଦ୍ୟୋଗ ପ୍ରତିଷ୍ଠା ଲାଗି ସେମାନଙ୍କୁ ସହାୟତା ଦେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗ ପ୍ରତିଷ୍ଠା ନେଇ ସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏମ୍ଏସ୍‌ଏମ୍‌ଇଗୁଡ଼ିକ ଉତ୍ପାଦନ କରୁଥିବା ସାମଗ୍ରୀକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସ୍କୁଲ, କଲେଜମାନଙ୍କରେ ବ୍ୟବହାର କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ କଲେଜର ଆସବାବପତ୍ର, ପୋଷାକ ଇତ୍ୟାଦିକୁ ଏମ୍‌ଏସ୍‌ଏମ୍‌ଇମାନଙ୍କରୁ କିଣିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏମ୍ଏସ୍‌ଏମ୍ଇ କ୍ଷେତ୍ରରେ ଅଧିକ ରପ୍ତାନି ଓ ଆମଦାନି ସୁବିଧା ପାଇଁ ଉଭୟ ସମୁଦ୍ରପଥ ଓ ଆକାଶପଥରେ କାର୍ଗୋ ସୁବିଧା ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଏମ୍ଏସ୍‌ଏମ୍ଇମାନଙ୍କୁ ଯେଭଳି ସରଳ ଓ ସୁବିଧା ଉପାୟରେ ଅଧିକ ଋଣ ମିଳିପାରିବ, ତାହା ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିବା ସହ ତାହାର ନିରନ୍ତର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ପିଏମ୍ ବିଶ୍ବକର୍ମା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା, କ୍ଲଷ୍ଟର ଆଧାରିତ ପ୍ରକଳ୍ପଗୁଡିକୁ ଅଧିକ ପ୍ରୋତ୍ସାହନ ଦେବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ଏମ୍‌ଏସ୍‌ଏମ୍‌ଇ କମିସନର ଡି. ପ୍ରଶାନ୍ତ କୁମାର ରେଡୀ ଏବଂ ନିର୍ଦ୍ଦେଶକ ଆବୋଲି ସୁନିଲ ନରୱାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe