କୃତଜ୍ଞ ହେଲେ ଅହଙ୍କାରରୁ ବର୍ତ୍ତି ହେବ: ସୌମ୍ୟ

Advertisment
କୃତଜ୍ଞ ହେଲେ ଅହଙ୍କାରରୁ ବର୍ତ୍ତି ହେବ: ସୌମ୍ୟ

ଜଳେଶ୍ୱର : ନେବା ନୁହେଁ ଦେବାରେ ହିଁ ପ୍ରକୃତ ଆନନ୍ଦ ନିହିତ ଥାଏ। କୃତଜ୍ଞତା ହେଉଛି ଶ୍ରେଷ୍ଠ ମାନବୀୟ ଗୁଣ। କୃତଜ୍ଞ ହେଲେ ଅହଙ୍କାରରୁ ବର୍ତ୍ତି ହେବ। ଏପରି ମହନୀୟ ବାର୍ତ୍ତାକୁ ସଭିଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବ। ଅନ୍ୟକୁ ଆନନ୍ଦ ଦେଇ ଯେଉଁ ଆନନ୍ଦ ଲାଭହୁଏ, ତାହ ହିଁ ପରମାନନ୍ଦ। ଏହି ଉକ୍ତିକୁ ସମସ୍ତଙ୍କ ଚିନ୍ତାଚେତନାରେ ଜାଗ୍ରତ କରାଇବାକୁ ପଡ଼ିବ ବୋଲି ଆଜି ଜଳେଶ୍ୱର ସତ୍‌ସଙ୍ଗ ବିହାରଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୦ତମ ଶୁଭ ଆବିର୍ଭାବ ତଥା ଶ୍ରୀମନ୍ଦିର ଉଦ୍‌ବୋଧନ ଓ ଶ୍ରୀ ବିଗ୍ରହ ପ୍ରତିଷ୍ଠାର ୮ମ ବାର୍ଷିକ ସ୍ମାରକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ, ପ୍ରତିଟି ମଣିଷ ଉପରେ ଏକ ସାମାଜିକ ଦାୟିତ୍ୱବୋଧ ଥାଏ। ସେହି ଦାୟିତ୍ୱ ହେଉଛି ନିଜ ଘର, ପରିବାର, ପିତାମାତାଙ୍କର, ପରିବେଶ ଓ ସମାଜର। ଜନ୍ମପରଠାରୁ ମଣିଷ କେବଳ ଏମାନଙ୍କ ଠାରୁ ନେଇଥାଏ। ଯେତେବେଳେ ଦେବାର ସମୟ ଆସେ, ମଣିଷ କୃତଜ୍ଞ ହେବା ବଦଳରେ କୃତଘ୍ନ ହୋଇଯାଏ। ସମାଜରେ ଦେଖାଯାଉଥିବା ଏପରି ବିଲକ୍ଷଣରୁ ମୁକ୍ତି ପାଇଁ ଆମକୁ ଏପରି ସତ୍‌ସଙ୍ଗର ଆୟୋଜନ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

ସତ୍‌ସଙ୍ଗର ସହ-ସମ୍ପାଦକ ଡ. ବିନାୟକ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସତ୍‌ସଙ୍ଗରେ ମୁଖ୍ୟବକ୍ତା ଭାବେ ଶ୍ରୀଧର ସୁନ୍ଦର ମିଶ୍ର, ସମ୍ମାନିତ ଅତିଥି ଭାବେ ଡ. ବିଜୟ ନାୟକ, ଆମ ଓଡ଼ିିଶାର ସଂଯୋଜକ ସଂଜୟ ପାତ୍ର ପ୍ରମୁଖ ଶ୍ରୀଶ୍ରୀ ଠାକୁରଙ୍କ ଆଦର୍ଶ ଓ ବାଣୀ ବିଷୟରେ ଅବତାରଣା କରିଥିଲେ। ଜଳେଶ୍ୱର ସତ୍‌ସଙ୍ଗ ବିହାରର ମୁଖ୍ୟ ଅଧ୍ୟାପକ କେଦାରନାଥ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ସମୁଦାୟ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe