ସମ୍ବଲପୁର: ସରକାର ଘରକୁ ଘର ବିଶୁଦ୍ଧ ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସାରା ରାଜ୍ୟରେ ଏଥିପାଇଁ ପାଇପ୍ ବିଛାଇବା କାର୍ଯ୍ୟ ମଧ୍ୟ ଜୋର୍ସୋର୍ରେ ଜାରି ରହିଛି। ଏସବୁ ଭିତରେ ଏକ ଗ୍ୟାଙ୍ଗ୍ ଚତୁରତାର ସହ ଉକ୍ତ ପାଇପ୍ ଚୋରି କରି ରାଜ୍ୟ ବାହାରେ ବିକ୍ରି କରୁଥିବା ଏବେ ଧରାପଡ଼ିଛି। ଏହି ଗ୍ୟାଙ୍ଗ୍ ସାରା ରାଜ୍ୟରେ ସକ୍ରିୟ ରହିଥିବା ବେଳେ ସମ୍ବଲପୁର ପୁଲିସକୁ ସଫଳତା ମିଳିଛି। ଏହି ଗ୍ୟାଙ୍ଗ୍ ସହ ସମ୍ପୃକ୍ତ ଥିବା ୯ ଜଣଙ୍କୁ ଗିରଫ କରାଯାଇଛି। ୭ ଜିଲ୍ଲାରେ ୩୦ରୁ ଅଧିକ ପାଇପ ଚୋରି ମାମଲାରେ ଏହି ଗ୍ୟାଙ୍ଗ୍ର ସଂପୃକ୍ତି ମିଳିଥିବା ପୁଲିସ କହିଛି। ପାଇପ୍ ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧନୁପାଲି ଥାନା ଅଧୀନ ଭୁତାପଡ଼ା ମସ୍ଜିଦ ଗଳିର ମହମ୍ମଦ ଇମରାନ୍ ଓରଫ ମୁନା (୩୨) ସହ ହୀରାକୁଦ ଥାନା ମାଷ୍ଟରପଡ଼ାର ବସୁଦେବ ଓରାମ (୩୧), ଖଡ଼ିଆପଡ଼ାର ଯୋଶବନ୍ତ ଭୋଇ ଓରଫ ଦୁଷ୍ମନ୍ତ (୩୧), ଟାଉନ୍ ଥାନା ଅଧୀନ ମାରୱାଡି ଧର୍ମଶାଳାର ବିକାଶ ଦାସ (୨୭), କ୍ଷେତରାଜପୁରର କାଲୁ ଓରଫ ଫିରୋଜ ଖାନ (୪୫), ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ନିଚିଣ୍ଡା ଥାନା ଅଞ୍ଚଳର ଅମିତ ସାମନ୍ତ (୪୭), କଟକ ଜିଲ୍ଲା ଚୌଦ୍ବାର ଥାନା ମଙ୍ଗଳାମନ୍ଦିର ନିକଟ ସନ୍ଦୀପ ଅଗ୍ରୱାଲ (୪୪), ଛତିଶଗଡ଼ର ରାୟପୁର ଜିଲ୍ଲା କବୀରନଗର ଥାନା ବୀରସଭରକରନଗର ନିବାସୀ ସଂଜୀବ ପଣ୍ଡିତ (୪୧) ଓ ରାଜେନ୍ଦ୍ରନଗର ଥାନା ଅଞ୍ଚଳର ଅନିଲ ପାନସାରି (୫୨)କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ହୀରାକୁଦ ଅଞ୍ଚଳରେ ଏହି ଗ୍ୟାଙ୍ଗ୍ ପାଇପ୍ ଚୋରି କରିଥିବା ନେଇ ଠିକା ସଂସ୍ଥା ପକ୍ଷରୁ ଅଗଷ୍ଟ ୧୩ ତାରିଖ ଦିନ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସମ୍ବଲପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ଏସ୍ଡିପିଓ ସତ୍ୟବ୍ରତ ଦାଶଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚୋରି ପାଇପ୍ ନେଇଥିବା ଛତିଶଗଡ଼ର ୨ ଜଣଙ୍କୁ ଗିରଫ କରିବା ପରେ ଏହି ଗ୍ୟାଙ୍ଗ୍ର ପର୍ଦ୍ଦାଫାସ ହୋଇଥିଲା। ସମ୍ବଲପୁର ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ପୁଲିସ ୩୧ଟି ପାଇପ୍, ଗୋଟିଏ ଟ୍ରକ୍(ଏମପି ୦୬ ଜିଏ ୩୬୪୧), ୨ କାର୍(ଓଡି ୧୫ପି ୮୧୩୧, ଓଡି ୦୫ବିଏମ୍ ୭୫୮୬), ୧୦ ମୋବାଇଲ୍ ଫୋନ୍ ସହ ୮୭ ହଜାର ଟଙ୍କା ଜବତ କରିଛି। ଆହୁରି ଅନେକ ଟଙ୍କା ଅନ୍ଲାଇନ୍ରେ ଟ୍ରାନ୍ଜେକ୍ସନ୍ କରାଯାଇଥିବା ସମ୍ବଲପୁର ଏସ୍ପି ମୁକେଶ ଭାମୁ ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଗିରଫ ଅଭିଯୁକ୍ତମାନେ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ୩୦ରୁ ଅଧିକ ପାଇପ ଚୋରି ମାମଲାରେ ସଂପୃକ୍ତ ଥିଲେ ବୋଲି ସେ କହିଛନ୍ତି।
ପୁଲିସ କହିବା ଅନୁଯାୟୀ, ଏହି ଗ୍ୟାଙ୍ଗ୍ର ମୁଖ୍ୟ ମହମ୍ମଦ ଇମରାନ୍ ଓରଫ ମୁନା ତାର ସହଯୋଗୀଙ୍କ ମାଧ୍ୟମରେ ପ୍ରଥମେ ରେକି କରୁଥିଲା। ପାଇପ୍ ଚୋରି କରିବା ପରେ ରାଜ୍ୟ ବାହାରକୁ କିପରି ଚାଲାଣ କରାଯିବ ଏବଂ କାହାକୁ ବିକ୍ରି କରିବ ତାକୁ ନେଇ ମୁନା ପୂରା ଯୋଜନା ପ୍ରସ୍ତୁତ କରି ରଖୁଥିଲା। ଯୋଜନା ଅନୁଯାୟୀ ଟ୍ରକ୍ରେ ପାଇପ୍ ଲୋଡ୍ କରି ସିଧା ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ପଠାଉଥିଲା। ଅଧିକାଂଶ ନେଣଦେଣ ଅନ୍ଲାଇନ୍ରେ ହେଉଥିବା ପୁଲିସ କହିଛି। ବର୍ତ୍ତମାନ ସୁଦ୍ଧା ୩୦ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ଗ୍ୟାଙ୍ଗ୍ ଆହୁରି ଅନେକ ଚୋରି ମାମଲାରେ ସମ୍ପୃକ୍ତ ରହିଥିବା ପୁଲିସ ସନ୍ଦେହ କରୁଛି। ଏହି ଗ୍ୟାଙ୍ଗ୍ରେ ମଧ୍ୟ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
Follow Us