୯ ଦିନ ହେଲା ଜଳବନ୍ଦି: ଖାଦ୍ୟ ପାଇଁ ହାହାକାର

୯ ଦିନ ହେଲା ଜଳବନ୍ଦି: ଖାଦ୍ୟ ପାଇଁ ହାହାକାର

ଯାଜପୁର/ଦଶରଥପୁର/ଅହିୟାସ: ବୈତରଣୀ ଓ କାଣୀ ନଦୀର ବନ୍ୟାପାଣି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ରେ ବ୍ୟାପକ କ୍ଷତି ଘଟାଇଛି। ଗତ ୧୫ତାରିଖରୁ ହଜାର ହଜାର ଲୋକ ପାଣିଘେରରେ ଅଛନ୍ତି। ଚାଷଜମି, ରାସ୍ତାଘାଟ ବନ୍ୟାପାଣିରେ ବୁଡ଼ିରହିଛି। କିଛି ସ୍ଥାନରୁ ପାଣି ଛାଡ଼ିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ଅପରିବର୍ତ୍ତିତ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସରକାରୀ ରିଲିଫ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି। ଲୋକେ ଭୋକ ଉପାସରେ କାଳ କାଟୁଥିବା ବେଳେ ଗୃହପାଳିତ ପ୍ରାଣୀଙ୍କ କଥା କିଏ ପଚାରେ। ବନ୍ୟାଞ୍ଚଳରେ ପାନୀୟ ଜଳ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି। କିଛି ସ୍ଥାନରେ ନଳକୂପ ମରାମତି କରାଯାଉଥିଲେ ମଧ୍ୟ ଗୋଳିଆପାଣି ବାହାରୁଥିବାରୁ ଏହା ପାନୀୟ ଉପଯୋଗୀ ହୋଇପାରୁନି।

ସ୍ବାଧୀନତା ଦିବସ ଅପରାହ୍ନରେ ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣା ଘାଇ ଭାଙ୍ଗି କସପା ଓ ଦୁଦୁରାଅନ୍ତା ପଞ୍ଚାୟତ ସମେତ ବ୍ୟାପକ ଅଞ୍ଚଳକୁ ପାଣି ମାଡ଼ିଯାଇଥିଲା। ଏହାପରେ ୨୦ତାରିଖରେ ପୁଣି ବନ୍ୟାପାଣି ବ୍ଲକ୍‌ର ବହୁ ଅଞ୍ଚଳକୁ ମାଡ଼ିଯାଇଥିଲା। ବ୍ଲକ୍‌ର ୧୩ଟି ପଞ୍ଚାୟତ ଅନ୍ତର୍ଗତ ୩୭ ଗ୍ରାମର ୧୩ହଜାର ୬୫୦ ଲୋକ ପାଣି ଘେରରେ ରହିଛନ୍ତି। ପାଣି କମିବାରେ ଲାଗିଥିବା ବେଳେ ଦୁଦୁରାଅନ୍ତା ଓ କୟାଁ ପଞ୍ଚାୟତରେ ବନ୍ୟାଜଳ ଏବେ ବି ରାସ୍ତାଘାଟ ଓ ଘରେ ପଶିଛି। କୟାଁ ଓ କଟିକଟାରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଘାଇ ହୋଇଥିବା ବ୍ରହ୍ମଚାରୀପାଟଣା ଅଞ୍ଚଳର ବନ୍ୟାଜଳ ଏବେ ବି ନିଷ୍କାସିତ ହୋଇପାରନି। ଏହି ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। କୟାଁ ଗ୍ରାମର ଲୋକମାନେ ପାଣିରେ ପଶି ଔଷଧ ଆଣୁଛନ୍ତି। ପାଣି କମିଥିବା କିଛି ଅଞ୍ଚଳରେ ରନ୍ଧା ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି। ହେଲେ ଅନେକ ଅଞ୍ଚଳରେ ଖାଦ୍ୟ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। କଚ୍ଚ‌ା ଘର ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe