India TV News
ରାଜଗାଙ୍ଗପୁର: ଡାକ୍ତରଙ୍କୁ ବିଶ୍ୱାସରେ ନେଇ ୧୦ଲକ୍ଷ ଟଙ୍କା ଲୋନ କରାଇଲେ ଏବଂ ଶେଷରେ ୯ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଠକିନେଲେ। ରାଜଗାଙ୍ଗପୁର ଥାନାରେ ଏହିଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଡାକ୍ତର ଐଶ୍ୱର୍ଯ୍ୟ ପାଣିଗ୍ରାହୀ।
ସୂଚନା ମୁତାବକ ରାଜଗାଙ୍ଗପୁର ପୌରପାଳିକାରେ ଐଶ୍ୱର୍ଯ୍ୟ ପାଣିଗ୍ରାହୀ ହୋମିଓପ୍ୟାଥି ଡାକ୍ତର ଭାବରେ କାର୍ଯ୍ୟ କରନ୍ତି। ୨୦୨୦ ମସିହାରେ ସ୍ଥାନୀୟ ଅଞ୍ଚଳରେ ଥିବା ବାଜାଜ ଫାଇନାନ୍ସ କମ୍ପାନିର ଏଜେଣ୍ଟ ମାନସ ସେନାପତି ଡାକ୍ତରଙ୍କ ପାଇଁ ଉର୍ଦ୍ଧିଷ୍ଟ ଏକ ସ୍କିମ୍ରେ ଲୋନ ନେବାକୁ କହିଥିଲେ। ଏଜେଣ୍ଟ ଜଣକ ଋଣ ପାଇଁ ଆବଶ୍ୟକ କାଗଜପତ୍ର ନେଇ ଡାକ୍ତର ପାଣିଗ୍ରାହୀଙ୍କ ନାଁରେ ୧୦ଲକ୍ଷ ଟଙ୍କା ଋଣ କରାଇଦେଇଥିଲେ। ଉକ୍ତ ଋଣ ଟଙ୍କା ବାଜାଜ ଫାଇନାନ୍ସ କମ୍ପାନିରେ ଥିବା ଡାକ୍ତରଙ୍କର ଭରଚ୍ୟୁଆଲ ଆକାଉଣ୍ଟରେ ଜମା ହୋଇଥିଲା। ସେହି ସମୟରେ ଡାକ୍ତର ପାଣିଗ୍ରାହୀ ଏତେ ପରିମାଣର ଋଣର ସୁଧ ପଇଠ କରିପାରିବେ ନାହିଁ ବୋଲି ଏଜେଣ୍ଟକୁ କହିଥିଲେ। କିନ୍ତୁ ଏଜେଣ୍ଟ ଜଣକ ଡାକ୍ତରଙ୍କୁ କହିଥିଲେ ଯେ ଆପଣ ଆକାଉଣ୍ଟରୁ ଯେତିକି ଟଙ୍କା ଉଠାଇବେ ସେତିକି ଟଙ୍କାର ସୁଧ ଦେବାକୁ ପଡ଼ିବ ବୋଲି କହିଥିଲେ।
ପରବର୍ତ୍ତୀ ସମୟରେ ଡାକ୍ତର ଦୁଇଟି କିସ୍ତିରେ ୯୦ ହଜାର ଟଙ୍କା ଉଠାଇଥିଲେ। ଏହି ବାବଦକୁ ମାସିକ ୧୭୦୫ ଟଙ୍କା ଜମା କରୁଥିଲେ। କିଛି ଦିନ ତଳେ ଲୋନ ଏକାଉଣ୍ଟ ଯାଞ୍ଚ କରିବାରୁ ୯ଲକ୍ଷ ଟଙ୍କା ଆକାଉଣ୍ଟରେ ନଥିବା ଜାଣିବାକୁ ପାଇଥିଲେ। ଯାଞ୍ଚ କରିବାରୁ ଜଣାପଡିଥିଲା ଯେ ଡାକ୍ତରଙ୍କ କାଗଜପତ୍ରକୁ ବ୍ୟବହାର କରି ଫାଇନାନ୍ସ କମ୍ପାନିର ଏଜେଣ୍ଟ ୯ଲକ୍ଷ ଟଙ୍କା ଅନ୍ୟ ଏକ ଜାଲ ଏକାଉଣ୍ଟକୁ ଉଠାଇନେଇଛନ୍ତି। ତେଣୁ ଡାକ୍ତର ପାଣିଗ୍ରାହୀ ଫୋନ ଯୋଗେ ଏଜେଣ୍ଟ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ଏଜେଣ୍ଟ ଜଣକ ଡାକ୍ତରଙ୍କୁ ୩ମାସ ମଧ୍ୟରେ ତାଙ୍କର ଟଙ୍କା ଫେରସ୍ତ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜିପର୍ଯ୍ୟନ୍ତ ଏଜେଣ୍ଟ ଜଣକ ଟଙ୍କା ଫେରସ୍ତ କରୁନାହାନ୍ତି କିମ୍ଵା ତାଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ କରୁନାହାନ୍ତି। ଶେଷରେ ଡାକ୍ତର ପାଣିଗ୍ରାହୀ ନିରାଶ ହୋଇ ଗତ ୨୦ ତାରିଖରେ ଏଜେଣ୍ଟଙ୍କ ନାଁରେ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି। ଉକ୍ତ ଏତାଲାକୁ ଭିତ୍ତି କରି ରାଜଗାଙ୍ଗପୁର ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Follow Us