image source-justdial
ଭୁବନେଶ୍ବର : ଲୁହା ଗେଟ୍କୁ ବନ୍ଦ କରିବା ସମୟରେ ଗେଟ୍ ଫାଙ୍କରେ କଟି ଯାଇଥିବା ଆଙ୍ଗୁଠିକୁ ଯୋଡ଼ିବାରେ ସକ୍ଷମ ହୋଇଛନ୍ତି ସମ୍ର ଡାକ୍ତର। ୯ବର୍ଷର ବାଳକ ରିତିସ ରଂଜନ ବେହେରାଙ୍କ ଆଙ୍ଗୁଠିକୁ ପ୍ଲାଷ୍ଟିକ୍ ସର୍ଜରି ଦ୍ବାରା ଡାକ୍ତରମାନେ ଯୋଡ଼ିବାରେ ସଫଳ ହୋଇଛନ୍ତି।
ବାଙ୍କୀ ଡମପଡ଼ା ଅଞ୍ଚଳର ରାମଚନ୍ଦ୍ର ବେହେରାଙ୍କ ପୁଅ ରିତିସ ଗତ ଅଗଷ୍ଟ ୩୧ତାରିଖରେ ଘରର ଲୁହା ଗେଟ୍ ବନ୍ଦ କରିବା ସମୟରେ ଡାହାଣ ହାତର ବିଶି ଆଙ୍ଗୁଠିଟି ପଶି ଯାଇ ପାପୁଲିରୁ ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲା। ପୁଅର କଟା ଅଙ୍ଗୁଳି ଧରି ରାମଚନ୍ଦ୍ର କେତେକ ଘରୋଇ ହସ୍ପିଟାଲକୁ ଯାଇଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଶେଷରେ ସମ୍ ହସ୍ପିଟାଲର ବର୍ନସ, ପ୍ଲାଷ୍ଟିକ ଓ କସମେଟିକ ସର୍ଜରି ବିଭାଗର ଡାକ୍ତର ସୁଶାନ୍ତ ମିଶ୍ରଙ୍କ ଅଧୀନରେ ଚିକିତ୍ସା ଆରମ୍ଭ ହୋଇଥିଲା। ଡା.ମିଶ୍ରଙ୍କ ତତ୍ବାବଧାନରେ ଏକ ୫ଜଣିଆ ଟିମ୍ କଟା ଅଙ୍ଗୁଳିର ମାଇକ୍ରୋସର୍ଜରି ପଦ୍ଧତିରେ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ରିତିସର ଅଙ୍ଗୁଳି ସଂପୂର୍ଣ୍ଣ ଭାବେ ଯୋଡ଼ି ହୋଇପାରିଛି। ଖୁବ୍ କମ୍ ଦିନ ଭିତରେ ସେହି ହାତରେ ସ୍ବାଭାବିକ ଭାବେ ସେ ସମସ୍ତ କାର୍ଯ୍ୟ କରିପାରିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
Follow Us