ଯାଜପୁର/ଦଶରଥପୁର: ଦଶରଥପୁର ବ୍ଲକ୍ର ପାଲଟପୁର ପଞ୍ଚାୟତରେ ପିଇବା ପାଣିରେ ମାତ୍ରାଧିକ ବିଷାକ୍ତ ରାସାୟନିକ ଦ୍ରବ୍ୟ ରହିଥିବା ରିପୋର୍ଟ ଆସିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ୧୬୦ଟି ନଳକୂଅରୁ ସଂଗୃହୀତ ଜଳ ନମୁନାରୁ ୯୦ଟିରେ ଏସବୁ ଉପାଦାନ ରହିଥିବା ବେଳେ ଏହାହିଁ ଏଠାରେ କିଡ୍ନି ଓ କର୍କଟ ରୋଗ ବ୍ୟାପିବାର ମୂଳକାରଣ ବୋଲି ଜଣାଯାଇଛି। ଯାହାଫଳରେ ସମ୍ପୃକ୍ତ ୯୦ଟି ନଳକୂଅ ଜଳକୁ ଆଦୌ ବ୍ୟବହାର ନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଉକ୍ତ ପାଣି ପିଇବାଯୋଗ୍ୟ ନୁହେଁ ବୋଲି ପାନୀୟଜଳ ବିଭାଗ ପକ୍ଷରୁ ଏକ ସତର୍କ ଷ୍ଟିକର ମଧ୍ୟ ଲଗାଯାଇଛି। ଏଥିସହ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଉକ୍ତ ୯୦ଟି ନଳକୂଅକୁ ସିଲ୍ କରାଯାଇଛି।
Sundarpada : ବିସ୍ଫୋରଣରେ ଥରିଲା ସୁନ୍ଦରପଦା
Chanting on the mountains: ପାହାଡ଼ ଉପରେ ଭଜନ-କୀର୍ତ୍ତନ, ପାଦଦେଶରେ ମନୋରଞ୍ଜନ
ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ପାଲଟପୁର ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ସରପଞ୍ଚ ଲିପିକା ମଲ୍ଲିକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ପଞ୍ଚାୟତରେ ନିର୍ମିତ ୨ଟି ପାନୀୟଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଠିକା ସଂସ୍ଥାକୁ ନିର୍ଦେଶ ଦିଆଯାଇଛି। ଏହାବାଦ ଓଭରହେଡ୍ ଟାଙ୍କି ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିଘରକୁ ଟ୍ୟାପ୍ ଯୋଗେ ପାନୀୟଜଳ ଯୋଗାଇଦେବାକୁ ଗାଁ ଗାଁରେ ଯୁଦ୍ଧକାଳୀନ ଭିତ୍ତିରେ ପାଇପ୍ ବିଛାଯାଉଛି। ଏହି କ୍ରମରେ ନୀଳକଣ୍ଠପୁର, ପାଲଟପୁର, ମୁରାରୀପୁର, ବିନ୍ଧାନନ୍ଦିପୁର ଓ ସାଠିବାଟି ଗ୍ରାମର ୧୨ଟି ୱାର୍ଡ ମଧ୍ୟରୁ ୩ଟି ୱାର୍ଡବାସୀ ଟ୍ୟାପ୍ ପାଣି ପାଇସାରିଥିବା ବେଳେ ବାକି ୯ଟି ୱାର୍ଡ ପାଇଁ କାର୍ଯ୍ୟ ଚାଲିଛି। ଗତ ସପ୍ତାହ ମଧ୍ୟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପଞ୍ଚାୟତର ବିଭିନ୍ନ ୱାର୍ଡରେ ଥିବା ୮୨୭ଟି ବେସରକାରୀ ଓ ସରକାରୀ ନଳକୂଅରୁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରର ମୁଖ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା। ସେଠାରେ ପ୍ରଥମ ପର୍ଯ୍ୟାୟରେ ୧୬୦ଟି ଜଳ ନମୁନା ପରୀକ୍ଷା ହୋଇ ରିପୋର୍ଟ ଆସିବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ଅବଶିଷ୍ଟ ନମୁନା ପରୀକ୍ଷା ହୋଇ ଆସିଲେ ଅନ୍ୟ ନଳକୂଅର ସ୍ଥିତି ସମ୍ପର୍କରେ ଜଣାପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଯେ ପର୍ଯ୍ୟନ୍ତ ପାଇପ୍ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ, ଟ୍ୟାଙ୍କର ଦ୍ୱାରା ସମସ୍ତଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ଏସ୍ଡିଓ ଅନିଲ ସାମଲ ସୂଚନା ଦେଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ସେମାନଙ୍କ ଦୁଃଖ ଶୁଣିଥିବାରୁ ପାଲଟପୁରବାସୀ ଖୁସି ବ୍ୟକ୍ତ କରିବା ସହିତ ଏଥିପାଇଁ ‘ସମ୍ବାଦ’କୁ ସାଧୁବାଦ ଜଣାଇଛନ୍ତି। ‘ସମ୍ବାଦ’ରେ ପ୍ରଥମେ ଏ ଖବର ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/28/untitled-6-2026-01-28-07-04-52.jpg)