ମାଟ୍ରିକରେ ୯୬.୦୭% ପାସ୍‌: ଏଥର ବି ଛାତ୍ରୀ ଅଧିକ ସଫଳ

Advertisment

୨୬୪୪ଟି ସ୍କୁଲରେ ସମସ୍ତେ ପାସ୍‌, ଶୂନ୍ୟ ପାସ୍‌ ତାଲିକାରେ ନାହାନ୍ତି କୌଣସି ସ୍କୁଲ୍‌

୨୬୪୪ଟି ସ୍କୁଲରେ ସମସ୍ତେ ପାସ୍‌, ଶୂନ୍ୟ ପାସ୍‌ ତାଲିକାରେ ନାହାନ୍ତି କୌଣସି ସ୍କୁଲ୍‌

ମାଟ୍ରିକରେ ୯୬.୦୭% ପାସ୍‌: ଏଥର ବି ଛାତ୍ରୀ ଅଧିକ ସଫଳ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୪ ହାଇସ୍କୁଲ ସାର୍ଟିଫ‌ିକେଟ୍ (ମାଟ୍ରିକ) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଟ୍ରିକର ରେଗୁଲାର୍, ଏକ୍ସରେଗୁଲାର ଓ ପତ୍ରବିନିମୟ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷ ଛାତ୍ରଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ରହିଛି ୯୬.୭୩ ପ୍ରତିଶତ। ଏ ବର୍ଷ ରାଜ୍ୟର କୌଣସି ସ୍କୁଲ୍ ଶୂନ୍ୟ ପାସ୍ ତାଲିକାରେ ରହି ନଥିବା ବେଳେ ୨୬୪୪ ଟି ସ୍କୁଲରେ ସମସ୍ତେ ପାସ୍ କରିଛନ୍ତି। ୨୦୨୩ରେ ପାସ୍ ହାର୍‌ ୯୬.୧୯ ପ୍ରତିଶତ ଥିଲା ବେଳେ ଚଳିତ ବ‌ର୍ଷ ତାହା ସାମାନ୍ୟ ହ୍ରାସ ପାଇ ୯୬.୦୭ ପ୍ରତିଶତ ରହିଛି। ଆଜି କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ୨୦୨୪ର ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ସଂକ୍ରାନ୍ତରେ ସୂଚନା ଦେଇଥିଲେ।

୨୬୪୪ଟି ସ୍କୁଲରେ ସମସ୍ତେ ପାସ୍‌
ଶୂନ୍ୟ ପାସ୍‌ ତାଲିକାରେ ନାହାନ୍ତି କୌଣସି ସ୍କୁଲ୍‌
ଖୋର୍ଦ୍ଧା ଜିଲ୍ଲାରେ ପାସ୍‌ ହାର ସବୁଠୁ ବେଶି, ନୂଆପଡ଼ାରେ ସବୁଠୁ କମ୍‌
ଜୁନ୍‌ ୧୦ରୁ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ଫର୍ମପୂରଣ; ମେ ୨୯ରୁ ‌ରିଚେକିଂ ଆବେଦନ

କାର୍ଯ୍ୟକ୍ରମରେ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ‌ଟେମ୍‌ଲାଲ୍ ଦୁବେଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ବୋର୍ଡ ସଭାପତି ଶ୍ରୀ ତରାଇଙ୍କ କହିବା ଅନୁସାରେ, ଚଳିତ ବର୍ଷ ବୋର୍ଡ ପକ୍ଷରୁ ନୂଆ କରି ଫଳ ପ୍ରକାଶନ ଦିନ ପିଲାଙ୍କୁ ଡିଜିଟାଇଜ୍ ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡ ପ୍ରଦତ୍ତ ସୂଚନା ଅନୁସାରେ ନେଟ୍‌ରୁ ସାର୍ଟିଫିକେଟ୍ ଡାଉନଲୋଡ୍‌ କରିପାରିବେ। ଛାତ୍ରଛାତ୍ରୀଙ୍କ ଟାବୁଲେସନ ରେଜିଷ୍ଟର(ନମ୍ବର) ଅନଲାଇନ୍‌ରେ ସ୍କୁଲକୁ ପଠାଯିବା ବ୍ୟବସ୍ଥା ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ/ମୁଖ୍ୟ ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ପିଲାଙ୍କ ନମ୍ବର ପାଇପାରିବେ। ଏଥିପାଇଁ ଚଳିତ ବର୍ଷ ରାଜ୍ୟର ବା ଜିଲ୍ଲାୱାରୀ ବିଭିନ୍ନ ଗ୍ରେଡ୍‌ ତାଲିକା ପ୍ରଦାନ କରାଯାଇ ନାହିଁ ବୋଲି ସଭାପତି ସୂଚନା ଦେଇଛନ୍ତି।

ପରୀକ୍ଷା ନମ୍ବରକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଥିଲେ, ସେମାନେ ମେ’ ୨୯ରୁ ଜୁନ୍ ୧୨ତାରିଖ ପର୍ଯ୍ୟନ୍ତ ରିଚେକିଂ ପାଇଁ ବୋର୍ଡରେ ଆବେଦନ କରିପାରିବେ। ମାଟ୍ରିକ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଓ ମଧ୍ୟମା ବା ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ଛାତ୍ରଛାତ୍ରୀ ଅଫ୍‌ଲାଇନରେ ଆବେଦନ କରିବେ। ଜୁନ୍ ୧୦ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଦ୍ବିତୀୟ) ପାଇଁ ଅନ୍‌ଲାଇନ୍ ଫର୍ମପୂରଣ ଆରମ୍ଭ ହେବ।
ମାଟ୍ରିକ୍ ପରୀକ୍ଷା ପାଇଁ ଚଳିତ ବର୍ଷ ମୋଟ୍‌ ୫ଲକ୍ଷ ୫୧ହଜାର ୬୧୧ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୫ ଲକ୍ଷ ୪୧ ହଜାର ୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ଲକ୍ଷ ୩୦ହଜାର ୧୫୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ୧୪୩ଜଣ ମାଲପ୍ରାକ୍ଟିସ୍ ବେଳେ ଧରାପଡ଼ିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ପାସ୍ ହାର ସର୍ବାଧିକ (୯୭.୯୮ପ୍ରତିଶତ) ରହିଥିବା ବେଳେ ନୂଆପଡା ଜିଲ୍ଲାର ପାସ୍ ହାର ସର୍ବନିମ୍ନ (୯୩.୯୧ପ୍ରତିଶତ) ରହିଛି। ଖୋର୍ଦ୍ଧା ପରକୁ ପର ବରଗଡ଼ର ପାସ୍ ହାର୍‌ ୯୭.୬୪ ପ୍ରତିଶତ, ଜଗତସିଂହପୁର ପାସ୍ ହାର ୯୭.୬ ପ୍ରତିଶତ, କଟକ ପାସ୍ ହାର ୯୭.୫୮ପ୍ରତିଶତ, ସୁ୍ନ୍ଦରଗଡ଼ ପାସ୍ ହାର୍‌ ୯୭.୨୪, ସୁବର୍ଣ୍ଣପୁର ପାସ୍ ହାର ୯୭.୧୧ ପ୍ରତିଶତ, ଗଜପତି ପାସ ହାର୍‌ ୯୭.୦୮ପ୍ରତିଶତ, ଗଞ୍ଜାମ ପାସ୍ ହାର୍‌ ୯୭.୦୬ ପ୍ରତିଶତ ରହିଛି। ୯ଟି ଜିଲ୍ଲାରେ ପାସ୍ ହାର୍‌ ୯୭ ପ୍ରତିଶତରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe