ଲୋକଙ୍କୁ ଅଯାଚିତ ଓ ନିସ୍ବାର୍ଥପର ଭାବେ ସାହାଯ୍ୟ କରୁଥିଲେ ଜାନକୀ ବଲ୍ଲଭ : ଅଶୋକ ପରିଜା

ପଛରେ ନ ରହି ଏବର ପିଢ଼ି ଅତିକ୍ରମ କରିବା ଶିଖୁ : ସୌମ୍ୟ

ଲୋକଙ୍କୁ ଅଯାଚିତ ଓ ନିସ୍ବାର୍ଥପର ଭାବେ ସାହାଯ୍ୟ କରୁଥିଲେ ଜାନକୀ ବଲ୍ଲଭ : ଅଶୋକ ପରିଜା

ଖୋର୍ଦ୍ଧା: ‘‘ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ଲୋକଙ୍କୁ ସାହଯ୍ୟ କରିବା ମନୋବୃତ୍ତି ଥିବା ରାଜନେତା ବହୁତ କମ୍ ଦେଖାଯା’ନ୍ତି। ସେ ତାଙ୍କ ଜୀବନରେ ଅନେକ ଲୋକଙ୍କୁ ଅଯାଚିତ ଓ ନିସ୍ବାର୍ଥପର ଭାବେ ସାହାଯ୍ୟ କରିଛନ୍ତି’’ ବୋଲି ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ , ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୬ତମ ଜୟନ୍ତୀ ଅବସରରେ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାାନ’ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଡ୍‌ଭୋକେଟ୍ ଜେନେରାଲ୍ ଅଶୋକ ପରିଜା କହିଛନ୍ତି।

ସ୍ବର୍ଗତ ପଟ୍ଟନାୟକଙ୍କ ସହ ବିତାଇଥିବା ସମୟ ଓ ତାଙ୍କଠାରୁ ପାଇଥିବା ସହାୟତାର ସ୍ମୃତିଚାରଣ କରି ଶ୍ରୀ ପରିଜା କହିଥିଲେ ଯେ ୭୦ ଦଶକରୁ ଶ୍ରୀ ପଟ୍ଟନାୟକ ରାଜ୍ୟ ରାଜନୀତିରେ ବେଶ୍ ସକ୍ରିୟ ଥିଲେ। ସଫଳ ରାଜନେତା ଭାବେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ରାଜ୍ୟପାଳ ଆଦି ଅନେକ ପଦବିରେ ରହିବା ସମୟରେ ତାଙ୍କର ମୂଳ ଲକ୍ଷ୍ୟ ଥିଲା ଓଡ଼ିଶା ଲୋକଙ୍କ ସେବା। ଏହା ବ୍ୟତୀତ ଶ୍ରୀ ପଟ୍ଟନାୟକ ବାସ୍ତବରେ ଜଣେ ପଣ୍ତିତ ଓ ଧର୍ମାତ୍ମା ଥିଲେ। ଯାହା ତାଙ୍କ ଶେଷ ଜୀବନରେ ପ୍ରତିଫଳିତ ହୋଇଥିଲା। ସଭାର ଅଧ୍ୟକ୍ଷ, ଖଣ୍ତପଡ଼ା ବିଧାୟକ ତଥା ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଭଳି ଏକ ବିରଳ ପ୍ରତିଭା ଆଉ କେବେ ଆମ ଗହଣକୁ ଆସିବେ ତାହା କହିବା କଷ୍ଟକର। ଜାନକୀବଲ୍ଲଭ ପଟ୍ଟନାୟକ ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ତ୍ରିବେଣୀ ସଂଗମ ଥିଲେ। ସମସ୍ତ କ୍ଷେତ୍ରରେ ସେ ଜଣେ ଆଗଧାଡ଼ିର ବ୍ୟକ୍ତି ଥିଲେ। କେବଳ ଜଣେ ସଫଳ ବ୍ୟକ୍ତି ଭାବେ ସଭାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ହଜାରେ ଗୁଣଗାନ କରିବା ପରିବର୍ତ୍ତେ ଜାନକୀବଲ୍ଲଭ ପଟ୍ଟନାୟକ ଯେଉଁ ଯେଉଁ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇଛନ୍ତି, ତାକୁ ଅତିକ୍ରମ କରିବାର ପ୍ରେରଣା ନିଜ ମଧ୍ୟରେ ସୃଷ୍ଟି କରିବା ଉତ୍ତର ପିଢ଼ିର କର୍ତ୍ତବ୍ୟ। ଆଜିର ପିଢ଼ି ନିକଟରେ କୌଣସି ମହାନ ବ୍ୟକ୍ତିଙ୍କଠାରୁ ଗୁଣାବଳିରେ ଅତିକ୍ରମ କରିବା ନୁହେଁ, ବରଂ ପଛରେ ରହିବାର ମନୋଭାବ ରହିଛି। ଏଭଳି କାର୍ଯ୍ୟକ୍ରମ ଦ୍ବାରା ଆଗାମୀ ପିଢ଼ି ଏନେଇ ସଚେତନ ହୋଇପାରିଲେ ସଭାର ଅସଲ ଉଦ୍ଦେଶ୍ୟ ସାଧିତ ହୋଇପାରିବ।

ଅନ୍ୟତମ ଅତିଥି ଭାବେ ଜଟଣୀ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଳା କଂଗ୍ରେସ ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ କହିଥିଲେ ଯେ ହରେକୃଷ୍ଣ ମହତାବଙ୍କ ପରେ ଜାନକୀବଲ୍ଲଭ ପଟ୍ଟନାୟକ ହେଉଛନ୍ତି ତାଙ୍କ ଦ୍ବିତୀୟ ଗୁରୁ। ଜାନକୀବଲ୍ଲଭ ପଟ୍ଟନାୟକ ରାଜ୍ୟ ଓ କଂଗ୍ରେସ ଦଳ ପାଇଁ ଯେଉଁ ତ୍ୟାଗ ଓ ସମର୍ପଣ କରିଛନ୍ତି, ତାକୁ ଦଳ ଉପଯୁକ୍ତ କୃତଜ୍ଞତା ଜ୍ଞାପନ କରିପାରୁନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ ସେ।ସେହିଭଳି ଇନ୍‌ଫୋସିଟିଠାରେ ଜାନକୀବଲ୍ଲକ ପଟ୍ଟନାୟକଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥି‌ଲେ। ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ ନିଜ ଅଭିଭାଷଣରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ରାଜନୈତିକ ଜୀବନର ଆଲୋଚନା କରି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କଥାର ସ୍ମୃତି ଚାରଣ କରି କହିଥିଲେ ଯେ ଯଦି ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଶା ମନସ୍କ ନହୋଇ ତାଙ୍କ ଭଳି କେନ୍ଦ୍ରରେ ରହିଥାନ୍ତେ, ତେବେ ତାଙ୍କ ବହୁ ପୂର୍ବରୁ ସେ ଦେଶର ରାଷ୍ଟ୍ରପତି ହେବାର ସମସ୍ତ ଯୋଗ୍ୟତା ରଖିଥିଲେ।

ଅତିଥି ଭାବେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଏକ ଅସୀମ ଧୈର୍ଯ୍ୟଶୀଳ ଓ ଭଗବତ ଆଶୀର୍ବାଦପ୍ରାପ୍ତ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ।
ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଜାନକୀବଲ୍ଲଭ ପଟ୍ଟନାୟକ ଖୋର୍ଦ୍ଧାର କେବଳ ଗର୍ବ ଓ ଗୌରବ ନୁହନ୍ତି, ସେ ଏହାର ପରିଚୟ ବୋଲି କହିଥିଲେ। ଜାନକୀବଲ୍ଲଭ ସ୍ମୃତି କମିଟିର ସମ୍ପାଦକ ସଂଜୟ ପଟ୍ଟନାୟକ ଅତିଥି ପରିଚୟ ଦେଇଥିବା ବେଳେ କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଜାନକୀବଲ୍ଲଭ ପଟ୍ଟନାୟକ ବହୁ ଦିନ ଧରି ବ୍ୟବହାର କରିଥିବା ତାଙ୍କ ପ୍ରିୟ କାର୍‌କୁ ପ୍ରଦର୍ଶନୀ ପାଇଁ ସ୍ଥାପିତ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ, ପୂର୍ବତନ କୁଳପତି ବଦ୍ରି ପଟ୍ଟନାୟକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe