Former Sarpanch of Ganjam sits in detention in front of Raj Bhavan Photograph: (sambad.in)
ଭୁବନେଶ୍ବର: ଗତ ୨୮ ଜୁଲାଇରେ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଭିଯୋଗ କରିବା ପରେ ସୋମବାର ରାଜଭବନ ସମ୍ମୁଖରେ ଗଞ୍ଜାମର ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ଆରତୀ ଦେବୀ ଧାରଣାରେ ବସିଛନ୍ତି।
ନିଜ ଅଞ୍ଚଳର ବିରଳ ଜୀବଜନ୍ତୁ, ପ୍ରାକୃତିକ ପରିବେଶ, ପ୍ରାଚୀନ କୀର୍ତ୍ତି ଓ ଜଳାଶ୍ରୟକୁ ଖଣ ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ ୭ ଦଫା ଦାବି ନେଇ ସେ ଧାରଣାରେ ବସିଛନ୍ତି ।
ସେ ଅଭିଯୋଗ କରିଛନ୍ତି, ଢୁଙ୍କାପଡା ପଞ୍ଚାୟତରେ ଦହିମୁଣ୍ଡିଆ ପାହାଡ଼ ସମେତ ଖଣି ଖନନ ବେଆଇନ ଭାବେ ସରକାରୀ ଅଧିକାରୀମାନଙ୍କର ଅନୈତିକ ସହଯୋଗରେ ଚାଲୁଛି । ଯାହା ଫଳରେ ଖଣି ମାଫିଆମାନେ ଅନୈତିକ ବ୍ଲାଷ୍ଟିଂ ଓ କଟିଙ୍ଗ କରି କୋଟି କୋଟି ଟଙ୍କାର ପଥର ଲୁଟ୍ କରି ସାରିଲେଣି । ଫଳରେ ବିରଳ ଜୀବଜନ୍ତୁ ତଥା ଗଞ୍ଜାମର ଗର୍ବ କୃଷ୍ଣସାର ମୃଗ, ମୟୂରଙ୍କ ଜୀବନ ବିପଦରେ ପଡିଛି ।
ବହୁ ପ୍ରାଚୀନ ସପ୍ତେଶ୍ଵର ମନ୍ଦିରର ଚାରିପଟେ ଥିବା ଏହି ସମୁହ ଖଣି ଖନନକୁ ନେଇ ପୂର୍ବରୁ ପ୍ରଶ୍ନ କରିଥିଲେ ବି ଜିଲ୍ଲା ପ୍ରଶାସନ ସଠିକ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଅଞ୍ଚଳର ଜଳାଶୟ ନଷ୍ଟ ହୋଇ ଚାଷ କାମ ବାଧାପ୍ରାପ୍ତ ହୋଇଛି। ଯେଉଁଥିପାଇଁ ଚଳିତବର୍ଷ ଚାଷ ବି ହୋଇନି । ପୂର୍ବତନ ଜିଲ୍ଲାପାଳ ଗ୍ରାମସଭା ନକରି ମିଛ ରିପୋର୍ଟ ଦାଖଲ କରିଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ସହ ଖଣି ମାଫିଆଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ ଆଣି ସେ ଧାରଣାରେ ବସିଛନ୍ତି। ସେ ଅଭିଯୋଗ କରିଛନ୍ତି, ମାଫିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଚାଲିଛନ୍ତି ।
ତେଣୁ ଲୋକଙ୍କ ସରକାର ଶୁଣିବେ ବୋଲି ଆଶା ନେଇ ସେ ଓ ତାଙ୍କ ସହ ଗ୍ରାମବାସୀ ୭ ଦିନ ପାଇଁ ସମୂହ ଧାରଣା ଦେଇଛନ୍ତି । ଆଗକୁ ସରକାର ନଶୁଣିଲେ ଆମରଣ ଅନଶନ କରିବୁ ଓ ଯେଉଁଠି ଜନ୍ମ ହୋଇଛୁ ସେଇଠି ମରିବୁ ବୋଲି ଆରତୀଙ୍କ ସହିତ ଧାରଣାରେ ବସିଥିବା ଗ୍ରାମବାସୀମାନେ କହିଛନ୍ତି ।
Arati Devi
  
 Follow Us