୫୭ବର୍ଷର ପରମ୍ପରା: ସନ୍ତାନ କାମନାରୁ ରଥଯାତ୍ରା

Advertisment
୫୭ବର୍ଷର ପରମ୍ପରା: ସନ୍ତାନ କାମନାରୁ ରଥଯାତ୍ରା

ଓଡ଼ାପଡ଼ା: ନିଃସନ୍ତାନ ଦମ୍ପତି ସନ୍ତାନ ମାନସିକ କରିଥିଲେ। ଜଗନ୍ନାଥେ ଚାହିଁଲେ କୋଳ ପୂରିବ। ଯଦି ପିଲା ହେଲା ଠାକୁରେଙ୍କ ରଥ ଗଡ଼ିବ। ସତକୁ ସତ ଭାବବିନୋଦିଆ ଭକ୍ତର ମନସ୍କାମନା ପୂରଣ କଲେ ଆଉ ଦମ୍ପତିଙ୍କ କୋଳମଣ୍ଡନ କଲା ପୁତ୍ର ସନ୍ତାନ। ଓଡ଼ାପଡ଼ା ବ୍ଲକ୍‌ ଓଡ଼ାପଡ଼ା ଗ୍ରାମର ସ୍ବର୍ଗତ ଦେବରାଜ ପଣ୍ଡାଙ୍କର ଏହି କାହାଣୀ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ଜାଣିଛନ୍ତି। ସେବେଠାରୁ ତାଙ୍କ ପରିବାରର ଉଦ୍ୟମକ୍ରମେ ହିନ୍ଦୋଳ ରୋଡ୍‌ ବଜାରରେ ଗଲା ୫୭ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ହେଉଛି।

କିମ୍ବଦନ୍ତୀ କୁହେ, ସନ୍ତାନ ଆଶାରେ ହଳଦିଆବାହଳ ଶ୍ରୀ ରଘୁନାଥଜିଉ ମନ୍ଦିର ପୂଜକ ଶ୍ରୀନିବାସ ଦାସଙ୍କ ପରାମର୍ଶକ୍ରମେ ସ୍ବର୍ଗତ ପଣ୍ଡା ଜଗନ୍ନାଥଙ୍କୁ ଘରେ ରଖି ପୂଜାର୍ଚ୍ଚନା କରିଥିଲେ। ୧୯୬୬ ମସିହାରେ ସେ ଏକ ଶଗଡ଼ରେ ଠାକୁରଙ୍କୁ ରଖି ରଥଯାତ୍ରା ଆରମ୍ଭ କରିଥିଲେ। ଏହା ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଥିଲା। ପରବର୍ଷ ୧୯୬୭ରେ ହିନ୍ଦୋଳ ରୋଡ୍‌ ବ୍ୟବସାୟୀମାନେ ଏଥିରେ ସହଯୋଗର ହାତ ବଢ଼ାଇଲେ। ‌୧୯୭୪ ମସିହାରେ ଦେବରାଜଙ୍କ ପରିବାରରେ ପୁଅଟିଏ ଜନ୍ମ ହେଲା। ଠାକୁରଙ୍କ ଶରଣାପନ୍ନ ହୋଇ ପୁଅ ‌ହୋଇଥିବାରୁ ପୁଅର ନାଁ ରଖାଯାଇଥିଲା ‘ବଳିଆ’। ତାଙ୍କର ଶୁଭନାମ ହେଉଛି ରାମବଳ ପଣ୍ଡା। ଶ୍ରୀ ପଣ୍ଡା ଗତ ୧୯୯୨ ମସିହାରୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ପୂଜକ ଭାବେ ଠାକୁରଙ୍କ ପୂଜାନୀତି ସମ୍ପାଦନ କରି ଆସୁଛନ୍ତି। ସମସ୍ତଙ୍କ ସହଯୋଗରେ ହିନ୍ଦୋଳ ରୋଡ୍‌ କଲେଜ ଛକ ନିକଟରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଗତ ୨୦୧୧ ଆଷାଢ଼ ଶୁକ୍ଳ ଦଶମୀ ତିଥୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି ମନ୍ଦିରରେ ସ୍ଥାପନ କରାଯାଇଥିଲା। ସେହିଦିନଠାରୁ ମନ୍ଦିରର ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳିତ ହେଉଛି। ପ୍ରତିବର୍ଷ ଶ୍ରଦ୍ଧାଳୁ, ବ୍ଲକ୍‌ ପ୍ରଶାସନ ଓ ପୁଲିସର ମିଳିତ ସହଯୋଗରେ ହିନ୍ଦୋଳ ରୋଡ୍‌ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମାପିତ ହେଉଛି। ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତମାନେ ଏକାଠି ହୋଇ ରଥ ଟାଣିଥାନ୍ତି। ତେବେ ଆଜି ବି ମହାପ୍ରଭୁଙ୍କ ନିକଟରେ ବହୁ ନିଃସନ୍ତାନ ଦମ୍ପତି ସନ୍ତାନ ଆଶାରେ ମାନସିକ ରଖୁଥିବା ଦେଖିବାକୁ ମିଳେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe