ମା’ର ମାଡ଼ରେ ୭ ବର୍ଷୀୟା ଝିଅ ଗୁରୁତର

Advertisment
ମା’ର ମାଡ଼ରେ ୭ ବର୍ଷୀୟା ଝିଅ ଗୁରୁତର

Shutterstock

ବଲାଙ୍ଗୀର: ମା’ର ନିସ୍ତୁକ ମାଡ଼ରେ ୭ ବର୍ଷ ବୟସର ଝିଅ ଗୁରୁତର ଆହତ ହୋଇଛି। ଝିଅର ଅବସ୍ଥା ଏବେ ଗୁରୁତର ଥିବାରୁ ତାକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବଲାଙ୍ଗୀର ସହର ସୁଦପଡ଼ାର ମଧୁ ସେଠ ଏବଂ ଲକ୍ଷ୍ମୀ ସେଠ ସେମାନଙ୍କ ଝିଅ ଶ୍ରୀୟା (୭ବର୍ଷ) ସହିତ କଣ୍ଟାବାଞ୍ଜି ଧୋବାପଡ଼ାରେ ରୁହନ୍ତି। ମଧୁ ଡ୍ରାଇଭର କାମ କରନ୍ତି। ରବିବାର କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହେଲା। ସ୍ୱାମୀ ମଧୁ ଗାଡ଼ି ଚଳାଇବା ପାଇଁ ବାହାରକୁ ଚାଲିଗଲେ। ରାତିରେ ନିଜ ସ୍ୱାମୀଙ୍କ ଉପରେ ଥିବା ରାଗକୁ ଝିଅ ଉପରେ ଶୁଝାଇଥିଲେ ଲକ୍ଷ୍ମୀ। ଝିଅକୁ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଝିଅ ଯେତେ ନେହୁରା ହେଲେ ମଧ୍ୟ ଛାଡ଼ି ନଥିଲେ। ଏପରିକି ଗୁରୁତର ଝିଅକୁ ଡାକ୍ତରଖାନା ମଧ୍ୟ ନେଇନଥିଲେ।

ସ୍ଥାନୀୟ ଲୋକେ ଜାଣିବା ପରେ ତାକୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ କିଛି ସମାଜସେବୀ ଝିଅର ଚିକିତ୍ସା ବ୍ୟବସ୍ଥା କରିବା ସହିତ ଚାଇଲ୍‌ଡଲାଇନ୍‌କୁ ଖବର ଦେଇଥିଲେ। ୟୁଥ ସର୍ଭିସ ସେଣ୍ଟର ଚାଇଲ୍‌ଡଲାଇନ୍‌ ଟିମ ଆସି ଝିଅକୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସାହାଯ୍ୟରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶରେ ଗୁରୁତର ଝିଅକୁ ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଝିଅର ଶରୀର ଅନେକ ଜାଗାରେ ମାଡ଼ର ଦାଗ ଲାଗିଛି। ମୁହଁରେ ଗଭୀର ଆଘାତ ଲାଗିବା ସହିତ ଫୁଲିଯାଇଛି। ଝିଅଟି ଠିକ୍‌ ଭାବେ କଥା ମଧ୍ୟ କହିପାରୁନି। ଚାଇଲ୍‌ଡଲାଇନ୍‌ ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ମାଡ଼ ମାରିବା କଥାକୁ ନିଜେ ମା’ ସ୍ୱୀକାର କରିବା ସହିତ ଆଗକୁ ଆଉ ଏମିତି ଭୁଲ କରିବେନି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe