କଟକ ଜିଲ୍ଲା ବାଘବିନ୍ଧା ଗାଁର ବିକଳ ଚିତ୍ର: ଚୁଆ ପାଣି ମେଣ୍ଟାଉଛି ଶୋଷ, ସଞ୍ଜ ନଇଁଲେ ହାତୀ ଭୟ, ସକାଳ ହେଲେ ପାଣି ଚିନ୍ତା

ପିଇବା ପାଣି ପାଇଁ ଚୁଆ ଭରସା। ସ୍ଥିତି କେଉଁ ଉପାନ୍ତ ଅଞ୍ଚଳର ନୁ‌ହେଁ, ରାଜଧାନୀ ଭୁବନେଶ୍ବରଠୁ ଅନତି ଦୂରରେ ଥିବା କଟକ ଜିଲ୍ଲା ଆଠଗଡ଼ ବ୍ଲକ ଗୁରୁଡ଼ିଝାଟିଆ ପଞ୍ଚାୟତ ବାଘବନ୍ଧ ଗାଁରେ।

gfgfvbg

କଟକ: ପିଇବା ପାଣି ପାଇଁ ଚୁଆ ଭରସା। ସ୍ଥିତି କେଉଁ ଉପାନ୍ତ ଅଞ୍ଚଳର ନୁ‌ହେଁ, ରାଜଧାନୀ ଭୁବନେଶ୍ବରଠୁ ଅନତି ଦୂରରେ ଥିବା କଟକ ଜିଲ୍ଲା ଆଠଗଡ଼ ବ୍ଲକ ଗୁରୁଡ଼ିଝାଟିଆ ପଞ୍ଚାୟତ ବାଘବନ୍ଧ ଗାଁରେ। ଗାଁରେ ନଳକୂପ ଅଛି ହେଲେ ବର୍ଷ ବର୍ଷ ହେଲା ସେଥିରୁ ବାହାରୁ ଥିବା ପାଣି ବ୍ୟବହାରଯୋଗ୍ୟ ନୁହେଁ। ଯାହା ଫଳରେ ଗ୍ରାମବାସୀ ଚୁଆ ଖୋଳି ସେଥିରୁ ବାହାରୁ ଥିବା ପାଣିରେ ଶୋଷ ମେଣ୍ଟାଉଛନ୍ତି। ସଞ୍ଜ ନଇଁବା ପୂର୍ବରୁ ଚୁଆରୁ ପାଣି ଆଣି ଘରେ ନ ରଖିଲେ ସେପଟେ ହାତୀ ଭୟ ଘାରୁଛି। ପ୍ରତିଦିନ ହାତୀ ଓ ପାଣି ପାଇଁ ବାଘବିନ୍ଧା ଗ୍ରାମବାସୀଙ୍କ ସଂଘର୍ଷ ଦିନକୁ ଦିନ ଜଟିଳ ହେବାରେ ଲାଗିଛି।

ସଞ୍ଜ ନଇଁଲେ ହାତୀ ଭୟ, ସକାଳ ହେଲେ ପାଣି ଚିନ୍ତା
ନଳକୂପ ଅଛି, ହେଲେ ପାଣି ବ୍ୟବହାରଯୋଗ୍ୟ ନୁହେଁ
ପାଇପ୍‌ ପଡ଼ିଛି, ପାଣି ଆସୁନି

ଆଠଗଡ଼ ବ୍ଲକ୍‌ ଗୁରୁଡ଼ିଝାଟିଆ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବାଘବିନ୍ଧା ଗାଁ ଗୁରୁଡ଼ିଝାଟିଆ ଥାନାଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଛି। ସ୍ବାଧୀନତା ପୂର୍ବରୁ ଏହି ଛୋଟିଆ ଗାଁରେ ପ୍ରାୟ ୨୦ରୁ ଅଧିକ ପରିବାର ରହି ଆସୁଛନ୍ତି। କିନ୍ତୁ ଚୁଆରୁ ପାଣି ପାଇଁ ଏମାନଙ୍କୁ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼େ। ଗାଁରେ ଯେଉଁ ଗୋଟିଏ ନଳକୂପ ରହିଛି, ତାହାକୁ ବହୁସମୟ ମାରିବା ପରେ ସେଥିରୁ ପାଣି ଆସେ। କିନ୍ତୁ ସେ ପାଣି ପିଇବା ଉପଯୋଗୀ ନୁହେଁ। ପାଣି ପାଇଁ ସରକାରଙ୍କ ତରଫରୁ ପାଇପ୍‌ ବିଛାଯାଇଛି, ହେଲେ ସେଥିରେ ଟ୍ୟାପ୍‌ ଲାଗିନି। ବର୍ଷ ବର୍ଷ ହେଲା କେବଳ ପାଇପ୍‌ ବିଛାରେ ସୀମିତ ରହିଛି ସରକାରଙ୍କ ବସୁଧା ‌ଯୋଜନା। ନିର୍ବାଚନ ସମୟରେ ଭୋଟ ପାଇଁ ଗାଁରେ ନେତାଙ୍କୁ ଦେଖିବାକୁ ମିଳେ। ସମସ୍ୟା ସମାଧାନର ପ୍ରତିଶ୍ରୁତି ମିଳେ। କିନ୍ତୁ ତା’ପରେ ଆଉ କାହାର ଦେଖା ନଥାଏ। ସଞ୍ଜ ନଇଁଲେ ହାତୀ ଭୟ, ସକାଳ ହେଲେ ପାଣି ଚିନ୍ତାରେ ସେମାନଙ୍କ ଜୀବନ କଟୁଛି ବୋଲି କହିଛନ୍ତି ଗାଁର ଗୋଲାପ ତିରିଆ ଓ ମିତା ତିରିଆ। ଗାଁରୁ ପାଖାପ‌ାଖି ୩ଶହ ମିଟର ଦୂରରେ ଥିବା ଚୁଆରୁ ସ୍ନାନ, ଶୌଚ ସହ ରୋଷେଇ ଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ସଂଗ୍ରହ କରାଯାଏ। ଏହି ପାଣି ପିଇବା ଦ୍ୱାରା ଅନେକ ସମୟରେ ଗ୍ରାମବାସୀ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି। ଏଭଳି ଦୟନୀୟ ସ୍ଥିତିରେ ଦିନ କାଟୁଥିବା ଅଧିବାସୀଙ୍କ ଉପରେ ସରକାର ଓ ପ୍ରଶାସନର ନଜର କେବେ ପଡ଼ିବ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe