ଜଙ୍ଗଲୀ ବାବୁଙ୍କ ବଦଳି ଉପରେ କଟକଣା

Advertisment

ଏପ୍ରିଲ ୧୫ରୁ ଜୁନ୍‌ ୧୫ ମଧ୍ୟରେ ବଦଳି ପ୍ରକ୍ରିୟା, ସିଏଫ୍‌/ଏସିଏଫ୍‌/ଏଫ୍‌ଆର ଗୋଟିଏ ଜିଲ୍ଲାରେ ୬ବର୍ଷ ରହିବେ

ଏପ୍ରିଲ ୧୫ରୁ ଜୁନ୍‌ ୧୫ ମଧ୍ୟରେ ବଦଳି ପ୍ରକ୍ରିୟା, ସିଏଫ୍‌/ଏସିଏଫ୍‌/ଏଫ୍‌ଆର ଗୋଟିଏ ଜିଲ୍ଲାରେ ୬ବର୍ଷ ରହିବେ

୨୦ ରେଞ୍ଜର୍‌ଙ୍କ ବଦଳି

ଭୁବନେଶ୍ବର : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କର୍ମଚାରୀଙ୍କ ବଦଳି ଉପରେ ଲାଗିଲା କଟକଣା। ଏଣିକି ଆଉ ମନଇଚ୍ଛା କିମ୍ବା ସୁପାରିସ ଆଧାରରେ ବଦଳି ହୋଇପାରିବ ନାହିଁ। ବର୍ଷ ସାରା ଚାଲୁଥିବା ବଦଳି ପ୍ରକ୍ରିୟା ଉପରେ ବି ରୋକ ଲଗାଯାଇଛି। ସାଧାରଣ ପ୍ରଶାସନ ବିଭାଗ ନିର୍ଦେଶାବଳୀ ଅନୁଯାୟୀ ଏପ୍ରିଲ ୧୫ରୁ ଜୁନ୍‌ ୧୫ ମଧ୍ୟରେ ହିଁ ବଦଳି ଅନୁଷ୍ଠିତ ହେବ। ସାଧାରଣ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଜାରି ହେଉଥିବା ନିୟମକୁ ମଧ୍ୟ ବିଭାଗରେ ପାଳନ କରାଯିବ। ଯଦି ସେଭଳି କୌଣସି ଆବଶ୍ୟକତା ପଡ଼େ ତେବେ ଧାର୍ଯ୍ୟ ସମୟ ପରେ ମଧ୍ୟ ବଦଳି ହୋଇପାରିବ। ଏଥିସହ ବଦଳି ଓ ନିର୍ଦେଶାବଳୀରେ ଆବଶ୍ୟକୀୟ ସମୀକ୍ଷା କରିବା ଲାଗି ଫରେଷ୍ଟ ଏଷ୍ଟାବ୍ଲିସମେଣ୍ଟ କମିଟି(ଏଫ୍‌ଇସି) ଗଠନ ହୋଇଛି। ଉକ୍ତ କମିଟି ଅନୁମୋଦନକ୍ରମେ ବଦଳି ଓ ନିଯୁକ୍ତି ପ୍ରକ୍ରିୟା ହେବ। କମିଟିରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ଶାସନ ସଚିବ ଅଧ୍ୟକ୍ଷ ରହିଥିବା ବେଳେ ପିସିସିଏଫ୍‌(ଜଙ୍ଗଲ), ପିସିସିଏଫ୍‌(ବନ୍ୟପ୍ରାଣୀ), ପିସିସିଏଫ୍‌(କେନ୍ଦୁପତ୍ର) କମିଟି ସଦସ୍ୟ ଅଛନ୍ତି। ବିଭାଗର ଅତିରିକ୍ତ ସଚିବ କମିଟିର ସଦସ୍ୟ ଆବାହକ ରହିଛନ୍ତି।

ଏଣିକି ଦୁଇଟି କାରଣ ଲାଗି ଜଙ୍ଗଲ ବିଭାଗ ବାବୁମାନଙ୍କ ବଦଳି ହୋଇପାରିବ। ପ୍ରଥମତଃ ପ୍ରଶାସନିକ ଓ ଦ୍ବିତୀୟଟି ବ୍ୟକ୍ତିଗତ। ଯଦି ବିଭାଗ ଅଧୀନ ଗୋଟିଏ ସ୍ଥାନରେ ଅଧିକ ଓ ଆଉ ଗୋଟିଏ ସ୍ଥାନରେ କମ୍‌ ରହିଥାନ୍ତି ସେଭଳିସ୍ଥଳେ ପ୍ରଶାସନିକ ବଦଳି ଲାଗୁ ହେବ। ସ୍ବାସ୍ଥ୍ୟଗତ କାରଣ ଓ ଅନ୍ୟାନ୍ୟ ସମସ୍ୟା କ୍ଷେତ୍ରରେ ବ୍ୟକ୍ତିଗତ ବଦଳି ଲାଗୁ ହୋଇପାରେ। ଯଦି କୌଣସି କର୍ମଚାରୀଙ୍କ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସ୍ବତନ୍ତ୍ର ଦକ୍ଷତା ଥିବ ତାହାହେଲେ ତାଙ୍କୁ ସେଠାରେ ଆଉ ୫ବର୍ଷ ପାଇଁ ରଖାଯାଇପାରିବ। ବଦଳି ହୋଇଥିବା କର୍ମଚାରୀ ସମ୍ପୃକ୍ତ ପଦବିରେ ୩ବର୍ଷ ପୂରଣ ନ କରିବା ପର୍ଯ୍ୟନ୍ତ ପୁଣିଥରେ ବଦଳି ହୋଇପାରିବେ ନାହିଁ। ମାତ୍ର ପ୍ରଶାସନିକ ଦୃଷ୍ଟିରୁ ବଦଳି କରାଯାଇପାରେ। ଡେପୁଟି ସିଏଫ୍‌/ଏସିଏଫ୍‌/ଏଫ୍‌ଆରମାନେ ଗୋଟିଏ ପଦବିରେ ୩ ବର୍ଷ କାର୍ଯ୍ୟ କରିବା ପରେ ବଦଳି ହୋଇପାରେ। ହେଲେ ୫ ବର୍ଷରୁ ଅଧିକ ସମୟ ଲାଗି କାର୍ଯ୍ୟ କରିବାକୁ କୌଣସି ବି ଅଧିକାରୀ ଅନୁମତି ଦେଇପାରିବେ ନାହିଁ। ଜଣେ ଅଧିକାରୀ ୩ବର୍ଷ ଲାଗି ଡେପୁଟେସନ୍‌ରେ ଯାଇପାରିବେ। ସମ୍ପୃକ୍ତ ସଂସ୍ଥାର ଆବଶ୍ୟକତା ଅନୁଯାୟୀ ଅତି ବେଶିରେ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇପାରେ।

ଡେପୁଟି ସିଏଫ୍‌/ଏସିଏଫ୍‌/ଏଫ୍‌ଆରଙ୍କୁ ଗୋଟିଏ ରାଜସ୍ବ ଜିଲ୍ଲାରେ ୬ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ। ସେମାନଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି ଦିଆଯିବ ନାହିଁ। ଯେଉଁ ଡେପୁଟି ରେଞ୍ଜରମାନେ ବିଭିନ୍ନ ଜିଲ୍ଲାରେ ରେଞ୍ଜ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ବି ଉକ୍ତ ନିୟମ ଲାଗୁ ହେବ। ପତି ଓ ପତ୍ନୀ ଯଦି ସରକାରୀ କର୍ମଚାରୀ ହୋଇଥିବେ ତାହା ହେଲେ ଗୋଟିଏ ଜିଲ୍ଲାରେ କାର୍ଯ୍ୟ କରିପାରିବେ। ଲୋକଙ୍କ ସୁବିଧା, ପ୍ରଶାସନିକ କାର୍ଯ୍ୟ, ସ୍ବାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଉପରୋକ୍ତ କଟକଣାରେ କୋହଳ ମନୋଭାବ ପୋଷଣ କରାଯିବ। ବଦଳି ନିର୍ଦ୍ଦେଶ ବାହାରିବାର ୭ ଦିନ ମଧ୍ୟରେ କର୍ମଚାରୀ ରିଲିଭ୍‌ ହେବା ସହ ଦାୟିତ୍ବ ନେବେ। ବିଭାଗ ପକ୍ଷରୁ କୁହାଯାଇଛି କିଛି ମାସ ହେଲା ବହୁ ସଂଖ୍ୟାରେ ଅଧିକାରୀ ବଦଳି ଲାଗି ଆବେଦନ କରୁଛନ୍ତି। ବିଶେଷକରି ବିଭାଗ ଅଧୀନରେ କାର୍ଯ୍ୟରତ ଫିଲ୍ଡ ଅଫିସରମାନେ ବର୍ଷ ସାରା ବିଭିନ୍ନ ସ୍ତରରେ ବଦଳି ଲାଗି ଆବେଦନ କରୁଥିବା ନଜରକୁ ଆସୁଛି। ‌ତାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe