ଶ୍ରୀଅଲାରନାଥଙ୍କ ପୀଠରେ ଜମୁଛି ଭିଡ଼: ସୁରକ୍ଷା ବ୍ୟବସ୍ଥା ଶୂନ, ବଢ଼ୁଛି ଅସନ୍ତୋଷ

ଶ୍ରୀଅଲାରନାଥଙ୍କ ପୀଠରେ ଜମୁଛି ଭିଡ଼: ସୁରକ୍ଷା ବ୍ୟବସ୍ଥା ଶୂନ, ବଢ଼ୁଛି ଅସନ୍ତୋଷ

ବ୍ରହ୍ମଗିରି: ପର୍ଯ୍ୟଟନ ଋତୁ ଆରମ୍ଭ ହେବା ସହିତ ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀଅଲାରନାଥଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଦର୍ଶନ କରୁଛନ୍ତି। କିନ୍ତୁ ମନ୍ଦିରରେ ଭିଡ଼ ପରିଚାଳନାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ମୂତୟନ ହେଉ ନଥିବା ଏବଂ ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ ପାଇଁ ଦର୍ଶନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇ ନ ଥିବା ଅନେକ ଭକ୍ତ ଅଭିଯୋଗ କରିଛନ୍ତି। ଫଳରେ ମନ୍ଦିର ପରିସରରେ ପ୍ରବଳ ଗହଳି ହେବା ସହିତ ମନ୍ଦିରକୁ ଯାଇଥିବା ରାସ୍ତାରେ ମଧ୍ୟ ଭିଡ଼ ନିୟନ୍ତ୍ରଣ ହୋଇ ପାରୁନି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ପ୍ରତିଦିନ ଭୋର ଚାରିଟାରୁ ଶ୍ରୀଜିଉଙ୍କ ମନ୍ଦିର ଖୋଲା ହେବା ବେଳକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଯାଉଛି।

ଆଜି ମଧ୍ୟ ମନ୍ଦିର ପରିସରରେ ଭିଡ଼ ନିୟନ୍ତ୍ରଣକୁ ନେଇ ଅଭାବନୀୟ ସ୍ଥିତି ଉପୁଜିଥିଲା। ସକାଳୁ ରତ୍ନସିଂହାସନଠାରୁ ଶନିଶ୍ଚରଙ୍କ ମନ୍ଦିର ଏବଂ ଅଲାରପୁର ଗାଁ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ମଧ୍ୟ୍ୟାହ୍ନ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଲାଗି ରହିଥିବା ବେଳେ ଜଣେ ହେଲେ ସୁରକ୍ଷା କର୍ମୀଙ୍କ ଦେଖା ନ ଥିଲା। ଧାଡ଼ିରେ ଯେତିକି ଶ୍ରଦ୍ଧାଳୁ ଦର୍ଶନ ପାଇଁ ଛିଡ଼ା ହୋଇଥିଲେ ସେତିକି ଆନନ୍ଦବଜାର ଓ ମନ୍ଦିର ପରିସର ଭିତରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଶ୍ରୀଜିଉଙ୍କ ମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ ବାଟ ଗୋଟିଏ ରହିଥିବାରୁ ଅଘଟଣ ଘଟିବାର ଆଶଙ୍କା ଯଥେଷ୍ଟ ରହିଛି। ଅଣସର ଦର୍ଶନ ବେଳେ ଅନେକ ଶ୍ରଦ୍ଧାଳୁ ଅଚେତ ହେବା ଏବଂ ଦଳାଚକଟା ହେବାର ପୂର୍ବରୁ ନଜୀର ରହିଛି। ସବୁଠାରୁ ବଡ଼କଥା ହେଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ଜଣେ ହେଲେ ସୁରକ୍ଷା କର୍ମୀ ମନ୍ଦିରରେ ନ ଥିବାକୁ ଭକ୍ତମାନେ ଏହାକୁ ନାପସନ୍ଦ କରିଛନ୍ତି। ଏହା ସହିତ ବ୍ରହ୍ମଗିରି ବଜାରରେ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇ ନ ଥିବାରୁ ପ୍ରବଳ ଟ୍ରାଫିକ ଜାମ୍‌ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe