ବାଲେଶ୍ବର: ନୀଳଗିରି ସାମ୍ବାଦିକଙ୍କୁ ପୁଲିସ ମାଡ଼ ମାରିବା ଓ ଗୁରୁତର ଅବସ୍ଥାରେ ତାଙ୍କ ଗୋଡରେ ବେଡ଼ି ବାନ୍ଧିବା ଘଟଣାକୁ ନେଇ ସାରା ରାଜ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। ପୁଲିସର ଏହି ଅମାନୁଷିକ କାର୍ଯ୍ୟକଳାପକୁ ସବୁଆଡ଼େ ଅସନ୍ତୋଷର ନିଆଁ ଦେଖିବାକୁ ମିଳିଥିବା ବେଳେ ଆଜି ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡ଼ିଶା ଶାଖାର ଏକ ପ୍ରତିନିଧି ଦଳ ବାଲେଶ୍ବର ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ପ୍ରତିବାଦ ଜଣାଇଥିଲେ। ଏନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିବା ସହିତ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବରେ କର୍ତ୍ତବ୍ୟରତ ଜଣେ ସାମ୍ବାଦିକଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶକ ଅତ୍ୟନ୍ତ ଦୁର୍ଭାଗ୍ୟଜକକ, ଯଦି ତାଙ୍କ ନାମରେ କୌଣସି ଅଭିଯୋଗ ଥିଲା ତେବେ ତଦନ୍ତକାରୀ ପୁଲିସ ଅଧିକାରୀ ଆଇନର ପରିସୀମା ଭିତରେ ରହି ନିଜର ନୈତିକ ଦାୟିତ୍ବ ନିର୍ବାହ କରିବା ଆବଶ୍ୟକ ଥିଲା। କିନ୍ତୁ ଏପରି କରାନଯାଇ ସାମ୍ବାଦିକଙ୍କୁ ଏଭଳି ବ୍ୟବହାର ପ୍ରଦର୍ଶନ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ପ୍ରତିନିଧି ଦଳ କହିଥିଲେ। ପୁଲିସ ନେଇଥିବା ଏଭଳି ଅମାନବୀୟ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ଓ ଆଇଆଇସିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଆସନ୍ତା ଦିନରେ ଏନେଇ ଏନ୍ଏଚ୍ଆରସିରେ ମାମଲା ରୁଜୁ ହେବା ସହିତ ପୁଲିସ ଡିଜିଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡ଼ିଶା ଶାଖାର ସଭାପତି ସସ୍ମିତା ଦାସ, ରାଜ୍ୟ କେନ୍ଦ୍ରୀୟ ସଭାପତି ପ୍ରଭୁପ୍ରସାଦ ମହାନ୍ତି, ଆନ୍ତର୍ଜାତିକ ମାନବାଧିକାର ପରିଷଦ କଟକ ଜିଲ୍ଲାର ସଭାପତି ନାରାୟଣ ବିଶ୍ବାଳ, ରାଜ୍ୟ ସଂଯୋଜିକା ଲିପିକା ରାୟ ପ୍ରମୁଖ କହିଥିଲେ।
Follow Us