ବ୍ରହ୍ମପୁରରେ ପୁଣି ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ

Advertisment

୨୫୦ ବୋତଲ ନକଲି ମଦ, ସ୍ପିରିଟ୍‌, ଲେବଲ୍‌ ଜବତ, ଦୁଇ ଗିରଫ

୨୫୦ ବୋତଲ ନକଲି ମଦ, ସ୍ପିରିଟ୍‌, ଲେବଲ୍‌ ଜବତ, ଦୁଇ ଗିରଫ

ବ୍ରହ୍ମପୁରରେ ପୁଣି ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠରେ ପୁଣି ଏକ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ ହୋଇଛି। ବ୍ରହ୍ମପୁର ଅବକାରୀ ବିଭାଗ ଏହି କାରବାର ପର୍ଦ୍ଦାଫାସ୍‌ ହୋଇଛି। ଏ ସଂକ୍ରାନ୍ତରେ ଦୁଇଜଣ ପ୍ରସ୍ତୁତକାରୀଙ୍କୁ ଗିରଫ କରା ଯାଇଥିବା ବ୍ରହ୍ମପୁର ଅଧିକାରୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାୟକ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ପାଣିଗ୍ରାହୀପେଣ୍ଠ ମାଲୁଆଣି ସାହିର ବି. ସନ୍ତୋଷ ପାତ୍ର(୩୧) ଓ କେ. ନୂଆଗାଁ ଥାନା ଅନ୍ତର୍ଗତ ଗୌଡ଼ଗାଁର ଶିବାଶିଷ ଚୌଧୁରୀ(୨୮) ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏମାନଙ୍କ ନିକଟରୁ ବିପୁଳ ପରିମାଣ ନକଲି ମଦ, ସ୍ପିରିଟ୍‌, ଲେବଲ୍‌ ପ୍ରଭୃତି ଜବତ ହୋଇଛି।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ସମେତ ବ୍ରହ୍ମପୁର ସହରତଳି ଅଞ୍ଚଳରେ ବେଆଇନ ନକଲି ମଦ ପ୍ରସ୍ତୁତି ଫ୍ୟାକ୍ଟ୍ରି ଖୋଲି କାରବାର ଚାଲିଥିବା ଅଭିଯୋଗ ହେଉଛି। ଏହା ଉପରେ ଅବକାରୀ ବିଭାଗ ଓ ପୁଲିସ ନଜର ରଖି ବିଭିନ୍ନ ସମୟରେ ଚଢ଼ଉ ଜାରି ରଖିଛି। ଅବକାରୀ କମିସନର୍‌ ଆଶିଷ କୁମାର ସିଂ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ବିଭାଗର ଏକ ଟିମ୍‌ ଟାମଣା ଛକରେ ବ୍ଲକିଂ କରି ଗାଡ଼ ଯାଞ୍ଚ କରୁଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ସ୍କୁଟି(ଓଡି୦୭ଟି ୧୧୯୩)କୁ ଅଟକ ରଖି ଯାଞ୍ଚ୍‌ କରା ଯାଇଥିଲା। ସନ୍ତୋଷ ନାମକ ଜଣେ ଯୁବକ ସ୍କୁଟିରେ ମଦ ଚାଲାଣ କରୁଥିବା ଜଣା ପଡ଼ିଥିଲା। ଯାଞ୍ଚ୍‌ ପରେ ତାହା ନକଲି ବୋଲି ସ୍ପଷ୍ଟ ହୋଇଥିଲା। ଏଣୁ ଅବକାରୀ ବିଭାଗ ସନ୍ତୋଷର ବୟାନ୍‌କୁ ଆଧାର କରି ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମର ଏକ ଘରେ ଚଢ଼ଉ କରିଥିଲା। ସେଠାରୁ ବିପୁଳ ପରିମାଣ ନକଲି ବିଦେଶୀ ମଦ ଓ ସ୍ପିରିଟ୍‌ ଜବତ ହୋଇଥିଲା। ଏହାପରେ କେ.ନୂଆଗାଁ ଥାନା ଅନ୍ତର୍ଗତ ଗୌଡ଼ଗାଁରେ ଚଢ଼ଉ କରି ଅନ୍ୟତମ ସହଯୋଗୀ ଶିବାଶିଷକୁ କାବୁ କରିଥିଲା। ତା’ ନିକଟରୁ ମଧ୍ୟ ନକଲି ମଦ ଜବତ ହୋଇଥିଲା। ଉଭୟ ସ୍ଥାନରୁ ବିଭିନ୍ନ ବ୍ରାଣ୍ଡ୍‌ର ପ୍ରାୟ ୨୫୦ ବୋତଲ ନକଲି ବିଦେଶୀ ମଦ, ୧୦ଲିଟର୍‌ ସ୍ପିରିଟ୍‌, ନକଲି ଅବକାରୀ ଲେବଲ୍‌, ଠିପି, ବୋତଲ, ସିଲିଂ ମେସିନ୍‌ ଓ ଏକ ଲିଟର୍‌ ରଙ୍ଗ ଜବତ ହୋଇଥିଲା। ନକଲି ମଦ ବିଭିନ୍ନ ଗ୍ରାମାଞ୍ଚଳ ଇଲାକାରେ ବିକ୍ରି କରାଯାଉଥିଲା ବୋଲି ତଦନ୍ତରେ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe