ବିରଜା ମନ୍ଦିରରେ ଧସେଇ ପଶିଲେ ବିଦେଶୀ: ବେଢ଼ା ଭିତରେ ବୁଲିଲେ

ପରିଚୟ ମାଗିବାରୁ ପଳାଇଲେ, ଗାଡ଼ି ଧକ୍କାରେ ଯୁବକ ଆହତ

ବିରଜା ମନ୍ଦିରରେ ଧସେଇ ପଶିଲେ ବିଦେଶୀ: ବେଢ଼ା ଭିତରେ ବୁଲିଲେ

ଯାଜପୁରସଦର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ରହିଥିବା ବେଳେ ଆଜି ୩ଜଣ ବିଦେଶୀ ପର୍ଯ୍ୟଟକ ଧସେଇ ପଶିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରୁ ୩ ଜଣ ବିଦେଶୀ ନାଗରିକ (ଦୁଇ ମହିଳା ଓ ଜଣେ ଯୁବକ) ମନ୍ଦିରକୁ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଥିଲେ। ପୂର୍ବାହ୍ନ ୧୧ ଟା ସମୟରେ ପ୍ରଥମେ ସେମାନେ ମା’ ବିରଜାଙ୍କ ମୁଖ୍ୟଦ୍ବାର ସମ୍ମୁଖରେ ପ୍ରବେଶ ଉଦ୍ୟମ କରିଥିଲେ। ସେଠାରେ ଥିବା ମନ୍ଦିର କର୍ମଚାରୀ ଏହାକୁ ବିରୋଧ କରିବାରୁ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦର୍ଶନ ଅନୁମତି ନିମନ୍ତେ ଯାଇଥିଲେ ବୋଲି ଜଣାପଡ଼ିଛି। ସେଠାରୁ ନିରାଶ ହୋଇ ଫେରିବା ପରେ ପୁନର୍ବାର ଅପରାହ୍ନରେ ଉତ୍ତର ଦ୍ବାର ଦେଇ ମନ୍ଦିର ପରିସରରେ ପଶି ଯାଇଥିଲେ। ମା’ଙ୍କ ଗର୍ଭଗୃହ ମଧ୍ୟକୁ ଯାଇପାରି ନଥିଲେ ମଧ୍ୟ ମନ୍ଦିର ବେଢ଼ା ଭିତରେ ବୁଲାବୁଲି କରିଥିଲେ। ବେଢ଼ାରେ ୧୦୮ ଶିବଲିଙ୍ଗ ଦର୍ଶନ କରିବା ସହ ନାଭିଗୟା ଓ ଅନ୍ୟ ଦେବଦେବୀଙ୍କ ଦର୍ଶନ କରିଥିଲେ।

ଏହିସମୟରେ ମନ୍ଦିରରେ ନିୟୋଜିତ ପୁଲିସ କର୍ମଚାରୀ ସୂର୍ଯ୍ୟମଣି ନାୟକ ସେମାନଙ୍କୁ ପରିଚୟ ପ୍ରମାଣ ମାଗିଥ‌ିଲେ। ଜଣେ ବିଦେଶୀ ମହିଳା ତାଙ୍କୁ ପାସପୋର୍ଟ ଦେଖାଇଥିଲେ। ପୁଲିସ କର୍ମଚାରୀ ଏହାର ଫଟୋ ଉଠାଇବାକୁ ଉଦ୍ୟମ କରିବାରୁ ମହିଳାଜଣକ ପାସପୋର୍ଟ ଛଡ଼ାଇନେଇ ପୁଲିସକୁ ଓଲଟି ପରିଚୟପତ୍ର ମାଗିଥିଲେ। ପୁଲିସ ପିଛା କରି ବିଦେଶୀ ପର୍ଯ୍ୟଟକଙ୍କ କାର୍‌ ପାଖକୁ ଯାଇ ପୁଣି ପ୍ରମାଣପତ୍ର ମାଗିଥିଲେ। ଏହିସମୟରେ ସେମାନେ ଅଡି କାର୍‌ (ସିଜି ୦୪ ଏନସି ୦୦୦୯) ଯୋଗେ ଦ୍ରୁତ ଗତିରେ ପଳାଇଥିଲେ। ତରବରରେ ଗାଡ଼ି ଚଳାଇ ପଳାଇ ଯିବାକୁ ଉଦ୍ୟମ କରିବା ସମୟରେ ନିକଟରେ ଥିବା ସ୍ଥାନୀୟ ଯୁବକ ରୂପକ କୁମାର ଦୀକ୍ଷିତକୁ ଧକ୍କା ଦେବାରୁ ସେ ଆହତ ହୋଇଛନ୍ତି। ଏନେଇ ରୂପକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମନ୍ଦିରରେ ଉପସ୍ଥିତ ପୁଲିସ ଓ ଜଣେ ସାମ୍ବାଦିକ ମଧ୍ୟ ଏନେଇ ଟାଉନ ଥାନାଧିକାରୀ ବିଲ୍ବମଙ୍ଗଳ ସେଠୀଙ୍କୁ ଅବଗତ କରାଇଥିଲେ। ତେବେ ମନ୍ଦିରରୁ ସହରର ଦୂରତା ମାତ୍ର ୪ କିଲୋମିଟର ରହିଥିଲେ ମଧ୍ୟ ସେମାନଙ୍କ ଗାଡ଼ିଟିକୁ ଧରିବାକୁ ଉଦ୍ୟମ କରାଯାଇନଥିଲା ବୋଲି ଅଭିଯୋଗ ହୋଇଛି। ଏନେଇ ମନ୍ଦିର ସେବାୟତ ପରିଷଦ ସଭାପତି ଦେବୀପ୍ରସାଦ ପାଣି କହିଛନ୍ତି ଯେ ବିଦେଶୀ ଭକ୍ତଙ୍କୁ ତନଖି କରିବା ଓ ଅଟକାଇବା ଦାୟିତ୍ବ ସେଠାରେ ନିୟୋଜିତ ପୁଲିସ କର୍ମଚାରୀଙ୍କର। ସେମାନଙ୍କ ଅଣଦେଖା ପାଇଁ ଏପରି ଘଟଣା ଘଟିଛି, ଯାହାକି ତଦନ୍ତ ସାପେକ୍ଷ। ଏନେଇ ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ଅଂଶୁମାନ ଶତପଥୀଙ୍କୁ ଯୋଗାଯୋଗ କରିବାରୁ ଏହାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe