ଆଜି ଏସ୍‌ସିବି ଆସିବେ ଏଆଇଜିର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ: ଲିଭର ପ୍ରତିରୋପଣ ବ୍ୟବସ୍ଥାର ହେବ ସମୀକ୍ଷା

Advertisment
ଆଜି ଏସ୍‌ସିବି ଆସିବେ ଏଆଇଜିର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ: ଲିଭର ପ୍ରତିରୋପଣ ବ୍ୟବସ୍ଥାର ହେବ ସମୀକ୍ଷା

indianadmissionsguru.com

କଟକ : ଏସ୍‌ସିବିରେ ଲିଭର ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ୟବସ୍ଥାର ତଦାରଖ ପାଇଁ ଶନିବାର ଦିନ ହାଇଦ୍ରାବାଦ୍‌ର ଏସିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଏସ୍‌ସିବି ଗସ୍ତରେ ଆସୁଥିବା ଜଣାପଡ଼ିଛି।

ଏହି ପ୍ରତିନିଧିମଣ୍ଡଳୀ ଓଟି, ଆଇସିୟୁ ଓ ବିଭିନ୍ନ ବ୍ୟବସ୍ଥାର ତଦାରଖ କରିବେ। ଏଥିସହ ରୋଗୀ ଓ ଡୋନରଙ୍କୁ ଭେଟିବା ସହିତ କେଉଁ ରୋଗୀ ପ୍ରତିରୋପଣ ପାଇଁ ଫିଟ୍‌ ଅଛନ୍ତି କି ନାହିଁ, ତା’ର ତଦାରଖ କରିବେ। ଅନ୍ୟପଟେ ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ, ଅଧୀକ୍ଷକ, ଏସ୍‌ସିବିର ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥିବା ଟିମ୍‌ ସହ ଆଲୋଚନା କରିବେ। ଏଆଇଜିର ଟିମ୍‌ ପ୍ରତିରୋପଣ ବ୍ୟବସ୍ଥା ନିମନ୍ତେ ତାଲିମ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଆଲୋଚନା କରିବାର ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବିର ୟୁରୋଲୋଜି ଓଟିରେ ଲିଭର ପ୍ରତିରୋପଣ କରାଯିବ। ଏଆଇଜିର ସର୍ଜିକାଲ ଓ ମେଡିକାଲ ଟିମ୍‌ ଏଥିପାଇଁ ଆସିବେ ବୋଲି ଜଣାପଡିଛି। ସେପ୍ଟେମ୍ବର ୨୯ ତାରିଖରେ ଏସ୍‌ସିବିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏସ୍‌ସିବି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ର ଉଦ୍‌ଘାଟନ କରିଥିଲେ ବି ଏଯାଏ ଏଥିରେ ଲିଭର ପ୍ରତିରୋପଣ ଆରମ୍ଭ ହୋଇପାରି ନାହିଁ।

ଏସ୍‌ସିବିରେ ଲିଭର ପ୍ରତିରୋପଣ ପାଇଁ ବର୍ତ୍ତମାନ ସୁଦ୍ଧା ୨୬୦ଜଣ ପଞ୍ଜୀକରଣ କରିସାରିଛନ୍ତି। କିନ୍ତୁ ଯେଉଁ ବିଭାଗ ଅର୍ଥାତ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭାଗ ଦ୍ବାରା ଏହି ପ୍ରତିରୋପଣ କରାଯିବାକୁ ଥିବା ବେଳେ ସେହି ବିଭାଗ ମାତ୍ର ଜଣେ ଡାକ୍ତରରେ ଚାଲିଛି। ଫଳରେ ସରକାରଙ୍କ ଏତେ ବଡ ଯୋଜନା ଆଗକୁ କେମିତି ବଢିବ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏସ୍‌ସିବି ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭାଗରେ ରହିଛି ୧୫ଟି ବେଡ୍‌। ଜଣେ ପ୍ରଫେସର, ଜଣେ ଆସୋସିଏଟ୍‌ ପ୍ରଫେସର, ଜଣେ ଆସିଷ୍ଟାଣ୍ଟ ପ୍ରଫେସର ବିଭାଗରେ ରହିବା କଥା। କିନ୍ତୁ ୪ବର୍ଷ ହେଲା ବିଭାଗ ପ୍ରଫେସର ଶୂନ୍ୟ। କେବଳ ଜଣେ ଆସୋସିଏଟ୍‌ ପ୍ରଫେସରଙ୍କୁ ନେଇ ଚାଲିଛି ବିଭାଗ। ବିଭାଗରେ ଥିବା ଅନ୍ୟଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଏମ୍‌କେସିଜି ମେଡିକାଲ କଲେଜ ବ୍ରହ୍ମପୁରକୁ ବଦଳି କରାଯାଇଥିବାରୁ ଏବେ ସେହି ପଦ ଖାଲି ପଡ଼ିଛି। ଜଣେ ଆସୋସିଏଟ୍‌ ପ୍ରଫେସରଙ୍କୁ ସହାୟତା କରୁଛନ୍ତି ଜଣେ ସିନିୟର ରେସିଡେଣ୍ଟ। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ହୁଏତ ଗୋଟିଏ, ଦୁଇଟି ପ୍ରତିରୋପଣ ପରେ ଏହା ବନ୍ଦ ହୋଇଯିବାର ଆଶଙ୍କା ରହୁଛି। ଯେଉଁମାନେ ପୂର୍ବରୁ ଲିଭର ପ୍ରତିରୋପଣ ପାଇଁ ତାଲିମ୍‌ ନେଇ ସାରିଛନ୍ତି ସେମାନଙ୍କୁ ମଧ୍ୟ ଏକାଠି କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe