ଚର୍ଚ୍ଚାରେ ଦୃଷ୍ଟିବାଧିତଙ୍କ ପ୍ରେମ କାହାଣୀ: କଲେଜରେ ପରିଚୟ, ଚାକିରି ପରେ ବିବାହ

ଚର୍ଚ୍ଚାରେ ଦୃଷ୍ଟିବାଧିତଙ୍କ ପ୍ରେମ କାହାଣୀ: କଲେଜରେ ପରିଚୟ, ଚାକିରି ପରେ ବିବାହ

ଯାଜପୁରସଦର : ଚର୍ଚ୍ଚାରେ ଦୃଷ୍ଟିବାଧିତଙ୍କ ପ୍ରେମକାହାଣୀ। ଅନେକ ବାଧାବିଘ୍ନକୁ ଏଡ଼ାଇ ପରସ୍ପର ହାତ ଧରି ଚାଲିବାକୁ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ଯାଜପୁର ମା ବିରଜାଙ୍କ ମନ୍ଦିରରେ ଏହି ପ୍ରେମୀ ଯୁଗଳଙ୍କ ବିବାହ ସଂପନ୍ନ ହୋଇଛି।

ଯାଜପୁର ବ୍ଲକ୍‌ ନାଥସାହି ପଞ୍ଚାୟତ ବାବଳପୁର ଗ୍ରାମର ସସ୍ମିତା ନାୟକ(୨୮)। ଜନ୍ମରୁ ଦୃଷ୍ଟିବାଧିତ। ବାବଳପୁର ସ୍କୁଲରୁ ତାଙ୍କର ଶିକ୍ଷା ଗ୍ରହଣ ଆରମ୍ଭ ହୋଇଥିଲା। ପରେ ଭୁବନେଶ୍ବରର ଭୀମଭୋଇ ସ୍କୁଲରେ ନିଜର କ୍ୟାରିୟରକୁ ଆଗକୁ ନେଇଥିଲେ। ରେଭେନ୍ସାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଉଚ୍ଚଶିକ୍ଷା ଶେଷ କରିଥିଲେ। ପରେ ସରକାରଙ୍କ ଦ୍ବାରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସେ ନାଥସାହି ନୋଡାଲ ସ୍କୁଲରେ ଶିକ୍ଷକତା କରୁଛନ୍ତି। ପାଠପଢ଼ା ସମୟରେ ପାଖ ଗାଁ ଜାଫରପୁର ପଞ୍ଚ‌ା‌ୟତ ମୁଗୁଡ଼ି ଅଞ୍ଚଳର ଦୃଷ୍ଟିବାଧିତ ବିରଞ୍ଚି ନାରାୟଣ ସାହୁ(୩୦)ଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେ ମଧ୍ୟ ଭୀମଭୋଇ ସ୍କୁଲରେ ଶିକ୍ଷା ଗ୍ରହଣ କରି ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ବର୍ତ୍ତମାନ ସେ ବ୍ରହ୍ମପୁରରେ ଦୃଷ୍ଟିବାଧିତ ଛାତ୍ରୀଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି।

ଉଭୟ ଉଚ୍ଚଶିକ୍ଷିତ ହୋଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମସଂପର୍କ ଗଢ଼ି ଉଠିଥିଲା। ଏହି ସଂପର୍କକୁ ସବୁଦିନ ପାଇଁ ଯୋଡ଼ିବାକୁ ଯାଇ ଯାଜପୁରର ମା ବିରଜା ମନ୍ଦିରରେ ଉଭୟ ପରିବାରଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶିକ୍ଷକଶିକ୍ଷୟିତ୍ରୀଙ୍କ ଏପରି ନିଆରା ବିବାହକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସେମାନଙ୍କ ସୁଖମୟ ଦାମ୍ପତ୍ୟ ଜୀବନ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe