The Hans India
ରାଉରକେଲା: ପରିବା କିଣିବାକୁ ଗାଁଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଝାଡ଼ଖଣ୍ଡର ଏକ ହାଟକୁ ଯାଇଥିଲେ। ପରିବା ଆଣିଲା ପରେ ଘରେ ରୋଷେଇ କରିଥାନ୍ତେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା ପ୍ରକାର। ଜଙ୍ଗଲ ଭିତର ପାଦଚଲା ରାସ୍ତାରେ ଯାଉଥିବାବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ପାତ୍ରାସ ଡାଙ୍ଗ। ତେବେ ହାତୀ ସମ୍ମୁଖରୁ ବର୍ତ୍ତିପାରିନଥିଲେ। କଲବଲ କରି ଦନ୍ତା ହାତୀ କଚାଡ଼ି କଚାଡ଼ି ମାରିଦେଲା। ଏହି ଅଘଟଣ ବିଷୟରେ ପରିବାର ଲୋକ, ଗ୍ରାମବାସୀ ଜାଣିବାକୁ ପାଇଥିଲେ ମଧ୍ୟ ଜଙ୍ଗଲ ଭିତରକୁ ଯିବାକୁ ସାହସ ଜୁଟାଇପାରିନଥିଲେ। ଫଳରେ ପାତ୍ରାସଙ୍କ ମୃତ ଦେହ ରାତିସାରା ଜଙ୍ଗଲ ଭିତରେ ପଡ଼ିରହିଥିଲା। ରାଏବଗା ଥାନା ଢ଼ୋଲକଣା ଗାଁରେ ସଂଘଟିତ ଏହି ଘଟଣା ବନବିଭାଗର ଅବହେଳାକୁ ପଦାରେ ପକାଇଦେଇଛି।
ଓଡ଼ିଶା ସୀମାନ୍ତରେ ଥିବା ଏହି ଢ଼ୋଲକଣା ଗାଁରେ ସପରିବାର ରୁହନ୍ତି ପାତ୍ରାସ(୪୫)। ଗାଁରୁ ମାତ୍ର ୧ କିଲୋମିଟର ଦୂରରେ ରହିଛି ଝାଡ଼ଖଣ୍ଡ ସୀମାନ୍ତ ଦେଉଲି ଗାଁ। ଅତି ପାଖରେ ଥିବାରୁ ଝାଡ଼ଖଣ୍ଡର ଦେଉଲିକୁ ଗ୍ରାମାବାସୀଙ୍କ ଯିବାଆସିବା ଲାଗି ରହିଥାଏ। ସାମାନ୍ୟ ରାସନ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ, ଗ୍ରାମବାସୀ ଝାଡ଼ଖଣ୍ଡକୁ ହିଁ ଯାଇଥାନ୍ତି। ଏହି କ୍ରମରେ ଶନିବାର ଅପରାହ୍ନ ପ୍ରାୟ ୪ଟାରେ ପାତ୍ରାସ ଦେଉଲି ହାଟକୁ ପରିବା କିଣିବାକୁ ଯାଇଥିଲେ। ତେବେ ଢ଼ୋଲକଣା ଜଙ୍ଗଲ ପାର ହେଉଥିବାବେଳେ ଗତ କିଛିଦିନ ହେଲା ବାଟବଣା ହୋଇ ବୁଲୁଥିବା ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ କଚାଡ଼ି ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଉକ୍ତ ରାସ୍ତା ଦେଇ କିଛି ଲୋକ ଝାଡ଼ଖଣ୍ଡରୁ ଫେରୁଥିବାବେଳେ ରାସ୍ତାକଡ଼ରେ ପାତ୍ରାସଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ପରେ ଏନେଇ ଗାଁରେ ଆସି ସୂଚନା ଦେଇଥିଲେ। କିନ୍ତୁ ରାତିରେ ସୁରକ୍ଷା ଦୃଷ୍ଟିରୁ ଜଙ୍ଗଲ ଭିତରକୁ ଯିବାକୁ ଉଚିତ ମଣିନଥିଲେ। ଫଳରେ ରାତିସାରା ଜଙ୍ଗଲ ଭିତରେ ପାତ୍ରାସଙ୍କ ମୃତ ଦେହ ପଡ଼ିରହିଥିଲା। ଆଜି ଭୋର୍ ସମୟରେ ପରିବାର ସଦସ୍ୟ, ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ। ସୂଚନା ପାଇ ବୀରମିତ୍ରପୁର ବନାଞ୍ଚଳ କର୍ତୃପକ୍ଷ ଓ ରାଏବଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ପାତ୍ରାସଙ୍କ ଏଭଳି ଅକାଳ ମୃତ୍ୟୁ ସହଜରେ ଗ୍ରହଣ କରିପାରିନାହାନ୍ତି ଗ୍ରାମବାସୀ। ସେମାନେ ସିଧାସଳଖ ବନ ବିଭାଗ କର୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି।
ବେଶ୍ କିଛି ଦିନ ହେଲା ଜଙ୍ଗଲରେ ଦନ୍ତା ହାତୀ ବୁଲୁଛି। କିନ୍ତୁ ଏହାର ଗତିବିଧି ଉପରେ ବନ ବିଭାଗର ନଜର ନାହିଁ। ଏମିତିକି ଏ ବିଷୟରେ ପାର୍ଶ୍ବବର୍ତ୍ତୀ ଗାଁର ଅଧିବାସୀଙ୍କୁ ସୂଚନା ମଧ୍ୟ ଦିଆଯାଉନି। ଆଗୁଆ ସୂଚନା ମିଳିଲେ ଅନ୍ତତଃ ଜଙ୍ଗଲ ରାସ୍ତା ଯିବାଆସିବାରୁ ଗ୍ରାମବାସୀ ଦୂରେଇ ରୁହନ୍ତେ। କିନ୍ତୁ ହାତୀ ବିଷୟରେ କୌଣସି ସୂଚନା ନ ଥିବାରୁ ଲୋକେ ଦୈନନ୍ଦିନ ଆବଶ୍ୟକତାକୁ ମେଣ୍ଟାଇବାକୁ ଯାଉଛନ୍ତି ଓ ଜୀବନ ହରାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Follow Us