ଉପନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍, ୪୮୮ ​କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ 

Advertisment
ଉପନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍, ୪୮୮ ​କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ 

image source--india ahead

ବରଗଡ଼/ପଦ୍ମପୁର: ‌ଯେକୌଣସି ମୁହୂର୍ତ୍ତରେ ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଏହା ପୂର୍ବରୁ ଶନିବାର ସଂଧ୍ୟାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚନମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରି ମାଷ୍ଟରଷ୍ଟ୍ରୋକ୍‌ ଖେଳିଛନ୍ତି। ଏଥିରେ କିଛି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବାବେଳେ ଆଉ କିଛି ଆଗାମୀ ଦିନରେ କାର୍ଯ୍ୟକାରୀ ହେବ। ପଦ୍ମପୁରଠାରେ ସମବେତ ଜନତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟ‌ମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୀମା ପ୍ରସଂଗ ଉଠାଇ ଏହି ବିଭ୍ରାଟର ଶୀଘ୍ର ସମାଧାନ ହେବ ବୋଲି ଭରସା ଦେଇଥିଲେ। ଅନ୍ୟପକ୍ଷରେ ପଦ୍ମପୁର ନିର୍ବାଚନମଣ୍ଡଳୀ ବିକାଶର ଏକ ମଡେଲ ହେବ ବୋଲି ସେ କହିଥିଲେ। ସେ କହିଲେ, ଓଡ଼ିଶାର ବିକାଶର ଗତି କ୍ଷୀପ୍ର ଓ ପ୍ରଶସ୍ତ ହୋଇଥିବାବେଳେ ଏଥିରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଯୋଡ଼ି ହୋଇଛି। ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ  ଏଠାରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ କରିଛି।

ପଦ୍ମପୁର ଅଞ୍ଚଳର ବିକାଶ ଧାରାକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ  ୧୦ କୋଟିର ୨୦ଟି ଉଠାଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଥିଲେ। କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮.୪୮ କୋଟି ଟଙ୍କାର ପ୍ରକଳ୍ପ କାମ ଶୁଭାରମ୍ଭ କରିଥିଲେ। ଚା‌ଷୀଙ୍କୁ ମୁଖ୍ୟମନ୍ତ୍ରୀ ଭରସା ଦେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ସମସ୍ୟା ସଂପର୍କରେ ସେ କେନ୍ଦ୍ର ସରକାରଙ୍କ ସହ ଶୀଘ୍ର ଆଲୋଚନା କରିବେ ବୋଲି କହିଥିଲେ। ଏହି ଅବସରରେ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ, ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪. ୨୨ କୋଟି ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ଶୁଭାରମ୍ଭ କରାଯାଇଛି। ନୃସିଂହନାଥ ଓ ଦେବଦର୍ହା ପୀଠର ବିକାଶ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସେହିପରି ୩ଟି ବ୍ଲକ୍‌ ଓ ସହରାଞ୍ଚଳ  ପାଇଁ ୩୦ କୋଟି ଟଙ୍କାର  ୨୦ଟି କଲ୍ୟାଣ ମଣ୍ଡପ ସହିତ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର ଉଦ୍‌ଘାଟନ କରାଯାଇଛି। କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ  ରୀତା ସାହୁ, ରାଜ୍ୟସଭା ସାଂସଦ ନିରଂଜନ ବିଶି ଭଟଲି ବିଧାୟ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ, ପାଟଣାଗଡ଼ ବିଧାୟକ ସରୋଜ ମେହେର,  ବରିଷ୍ଠ ନେତା ସାଧୁ ନେପାକ ଉପସ୍ଥିତ ଥିଲେ। ଶ୍ରମ କମିସନର୍‌ ଶ୍ରୀମୟୀ କର ମଂଚ ପରିଚାଳନା, ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe