Image Courtesy of India Today
ଭୁବନେଶ୍ବର: ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମୃତ୍ୟୁ ହେଉଛି ସେସବୁ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ବା ଏମ୍ସିସିଡିକୁ ଆଉ କାଗଜପତ୍ରରେ ପଠାଇବାକୁ ପଡ଼ିବ ନାହିଁ। ହସ୍ପିଟାଲ ପକ୍ଷରୁ ସିଧାସଳଖ ଏହାକୁ ୱେବ୍ ପୋର୍ଟାଲରେ ଅପ୍ଲୋଡ୍ କରାଯିବ। ରାଜ୍ୟରେ ଏମ୍ସିସିଡି ହାର ଦେଶରେ ଯଥେଷ୍ଟ କମ୍ ଥିବାରୁ ଏଥିରେ ବୃଦ୍ଧି କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟରେ ପ୍ରତିବର୍ଷ ଯେତିକି ମୃତ୍ୟୁ ହେଉଛି ତାହାର ୭୦ ପ୍ରତିଶତ ଡୋମିସାଇଲ୍ ବା ଘରେ ହେଉଛି। ମାତ୍ର ୩୦ ପ୍ରତିଶତ ହସ୍ପିଟାଲଗୁଡ଼ିକରେ ହେଉଛି। ଯେହେତୁ ଅଧିକ ସଂଖ୍ୟାରେ ମୃତ୍ୟୁ ଘରେ ହେଉଛି ଏ କାରଣରୁ ସଂପୃକ୍ତ ବ୍ୟକ୍ତି ଜଣକ କେଉଁଥିରେ ପ୍ରାଣ ହରାଇଛନ୍ତି ତାହାର ରେକର୍ଡ ରହିପାରୁ ନାହିଁ। ଯାହାଫଳରେ ଓଡ଼ିଶା ଫଛରେ ରହୁଛି। ତେଣୁ ଘରେ ହେଉଥିବା ମୃତ୍ୟୁର କାରଣକୁ ଚିହ୍ନଟ ପାଇଁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଏକ ମେଡିକାଲ ଟିମ୍ ଗଠନ କରିଛନ୍ତି। ଏହି ଟିମ୍ରେ ଆୟୁଷ ଡାକ୍ତର/ସ୍ବାସ୍ଥ୍ୟ ସୁପରଭାଇଜର/ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ସଂପୃକ୍ତ ଅଞ୍ଚଳରେ ଯଦି କୌଣସି ମୃତ୍ୟୁ ସଂପର୍କରେ ସୂଚନା ଆସିଥାଏ ତାହାଲେ ଟିମ୍ ୭ଦିନରେ ସଂପୃକ୍ତ ମୃତକଙ୍କ ଘରକୁ ଯାଇ ମୃତ୍ୟୁର କାରଣକୁ ଚିହ୍ନଟ କରିବେ। ପରବର୍ତୀ ସମୟରେ ପିଏଚ୍ସି/ସିଏଚ୍ସିରେ ଥିବା ମେଡିକାଲ ଅଧିକାରୀ ଏମ୍ସିସିଡିରେ ଦସ୍ତଖତ କରିବେ। ପରବର୍ତୀ ସମୟରେ ଏହାକୁ ସିଧାସଳଖ ୱେବ୍ ପୋର୍ଟାଲରେ ଅପ୍ଲୋଡ୍ କରିବେ। ଆଗାମୀ ଦିନରେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲମାନଙ୍କୁ ୱେବ୍ ପୋର୍ଟାଲର ଆଇଡି ଓ ପାସୱାର୍ଡ ପ୍ରଦାନ କରାଯିବ। ଯାହାଫଳରେ ସେମାନେ ଏହା ଜରିଆରେ ଏମ୍ସିସିଡିକୁ ଅପ୍ଲୋଡ୍ କରିପାରିବେ। ଏଥିପାଇଁ ଖୁବଶୀଘ୍ର ତାଲିମ୍ କାର୍ଯ୍ୟକ୍ରମ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
୩ ପୁରାତନ ମେଡିକାଲ କଲେଜରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ ରାଜ୍ୟର ୩ଟି ପୁରାତନ ମେଡିକାଲ କଲେଜରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ ଆରମ୍ଭ ହେବ। କିଛିମାସ ପୂର୍ବରୁ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣର ସଫଳତା ପରେ ସ୍ବାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ମେଡିକାଲ କଲେଜଗୁଡ଼ିକରେ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା ହେଲେ ଲୋକମାନେ ସହଜରେ ସାର୍ଟିଫିକେଟ୍ ପାଇବା ସହିତ ଏଥିରେ ସ୍ବଚ୍ଛତା ଆସିପାରିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟ ସରକାର ଏବେ ଜନ୍ମ/ମୃତ୍ୟୁର ଅନ୍ଲାଇନ୍ ଆବେଦନ ସହିତ ପଞ୍ଜୀକରଣ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ରାଜ୍ୟରେ ନଗର ଉନ୍ନୟନ ବିଭାଗ ଅଧୀନରେ ୩୧୪ଟି ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ କାର୍ଯ୍ୟ କରୁଥିଲା। ମାତ୍ର ଏବେ ତାହା ସ୍ବାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରିବ। ଏହାସହ ଆଉ ୧୧୬ଟି ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ସଂଖ୍ୟା ୪୩୦କୁ ବୃଦ୍ଧି ପାଇଛି। ତୃଣମୂଳସ୍ତରରେ ଏହି ବ୍ୟବସ୍ଥାକୁ ପହଞ୍ଚାଇବା ଲାଗି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୁରାତନ ମେଡିକାଲ କଲେଜ ମଧ୍ୟରେ ଏସ୍ସିବି, ଏମ୍କେସିଜି ଓ ଭିମ୍ସାରରେ ଏହି କାର୍ଯ୍ୟାଳୟ ଖୋଲିବା ପାଇଁ ବିଭାଗ ଯୋଜନା କରିଛି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ମେଡିକାଲ କଲେଜଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଠାରେ ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ନେଉଛନ୍ତି। ସେହି ଅନୁଯାୟୀ ମୃତ୍ୟୁ ମଧ୍ୟ ରେକର୍ଡ କରାଯାଉଛି। ତେଣୁ ଏହି ୩ଟି ମେଡିକାଲ କଲେଜରେ ଯଦି ଜନ୍ମ/ମୃତ୍ୟୁ ପଞ୍ଜୀକରଣ କରାଯିବ ତାହାଲେ ସ୍ଥାନୀୟ ଲୋକମାନେ ଏହାର ଲାଭ ପାଇପାରିବେ। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
Follow Us