ମାସକ ପରେ ମୁକୁଳିଲା ବନ୍ଦୀ ନାଗସାପ

ଏସ୍‌ସିବିରେ ନାବାଳିକା

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

Symbolic picture by voanews.com

ରାଇଘର/କଟକ : ୯ବର୍ଷର ଝିଅକୁ କାମୁଡ଼ିଲା ବୋଲି ବନ୍ଦୀ ହୋଇଥିଲା ନାଗସାପ। ଏପରିକି ଝିଅ ଖିଆପିଆ ବନ୍ଦ କରିବାକୁ ସାପକୁ ବି ଦିଆଯାଇ ନଥିଲା ଖାଦ୍ୟ। ତେଣୁ ମାସେ ହେଲା ଯନ୍ତ୍ରଣାରେ ଛଟପଟ ହେଉଥିଲେ ଉଭୟ ନାବାଳିକା ଏବଂ ନାଗସାପ। ଶେଷରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ ପାଇଛି। ବନ ବିଭାଗ ପହଞ୍ଚି ବୁଧବାର ଦିନ ବନ୍ଦୀ ରହିଥିବା ନାଗସାପକୁ ଉଦ୍ଧାର କରିଛି। ସେହିପରି ସାପ ବିଷ ଯୋଗୁଁ ସଂକ୍ରମଣ ହୋଇ ଯନ୍ତ୍ରଣା ଭୋଗୁଥିବା ନାବାଳିକା ମଧ୍ୟ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛି। ତାଙ୍କ ‌ଡାହାଣ ହାତ ପଚିଯିବାକୁ ବସିଥିବାବେଳେ ଏସ୍‌ସିବିରେ ପହଞ୍ଚିବା ପରେ ପ୍ରଥମେ କାଜୁଆଲିଟି ଓ ପରେ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଛି। ଏଥିସହ ସିଟିଭିଏସ୍‌, ସର୍ଜରି ଓ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଡାକ୍ତରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଚିକିତ୍ସା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ମୁଣ୍ଡିବେଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗାଁର ସୁନାଧର ଅଣ୍ଟିଙ୍କ ଝିଅ ମଞ୍ଜୁଳା (୯ବର୍ଷ) ମାସକ ତଳେ ଚଢ଼େଇ ଧରିବା ପାଇଁ ଗୋଟିଏ ଗଛରେ ଚଢ଼ିଥିଲେ। କୋରଡ଼ ଭିତରେ ହାତ ଭର୍ତ୍ତି କରିଥିବାବେଳେ ପୂର୍ବରୁ ରହିଥିବା ଗୋଟିଏ ନାଗସାପ କାମୁଡ଼ି ଦେଇଥିଲା। ଡାକ୍ତର ୩ଦିନ ଚିକିତ୍ସା କରିବା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଆସି ନଥିଲା। ତେଣୁ ବ୍ରହ୍ମପୁର ମେଡିକାଲ କଲେଜକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଅର୍ଥ ଅଭାବରୁ ଝିଅକୁ ନେଇ ଘରକୁ ଚାଲି ଆସିଥିଲେ ସୁନାଧର। ଝିଅର ଅବସ୍ଥାକୁ ନେଇ ଚିନ୍ତିତ ରହିଥିବା ବେଳେ କାମୁଡ଼ିଥିବା ନାଗସାପକୁ ବି ଧରିବା ପରେ ବନ୍ଦୀ କରି ରଖିଥିଲେ। ଝିଅ ଯେଉଁଦିନ ପର୍ଯ୍ୟନ୍ତ ଭଲ ନ ହେବ ସାପକୁ ଛାଡ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ଘରକୁ ଫେରିବା ପରେ ବିଷ ଜ୍ବାଳାରେ ଛଟପଟ ହୋଇ ମଞ୍ଜୁଳା ଖାଇବା ବନ୍ଦ କରି ଦେଇଥିଲେ। ଏହା ଦେଖିବା ପରେ ସୁନାଧର ନାଗସାପକୁ ବି ଖାଇବା ଦେଇ ନଥିଲେ। ତେବେ, ଖାଦ୍ୟ ଅଭାବରୁ ନାଗସାପ ସଂପୂର୍ଣ୍ଣ ଦୁର୍ବଳ ହୋଇ ଯାଇଥିଲେ ବି ମରି ନଥିଲା। ଯାହାକି ସମସ୍ତଙ୍କୁ ଚକିତ କରିଛି। ବନ ବିଭାଗ ପକ୍ଷରୁ ନାଗସାପର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରିବର୍ତ୍ତେ ଗୋଟିଏ ଜଙ୍ଗଲରେ ନେଇ ଛଡ଼ାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe