ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା ଘଟଣା: କାଗଜଟୁକୁଡ଼ାରେ ହତ୍ୟା ରହସ୍ୟ

Advertisment
ନବ ଦାସ ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା କୋଇଲା ଲିଙ୍କ୍

ଝାରସୁଗୁଡ଼ା/କଟକ : କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କଲେ ପୁଲିସ ଏଏସ୍‌ଆଇ ଗୋପାଳ ଦାସ? ନବଙ୍କ ହତ୍ୟାର ପାଞ୍ଚଦିନ ପରେ ବି ଏହା ଉପରୁ ରହସ୍ୟ ହଟିପାରିନାହିଁ। ସେପଟେ ରିମାଣ୍ଡର ଦ୍ବିତୀୟ ଦିନରେ ଆଜି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଗୋପାଳଙ୍କୁ ତନାଘନା ଜେରା କରିଛନ୍ତି। ଗୋପାଳଙ୍କ ଆର୍ଥିକ ଦିଗ ତଥା କାରବାର ସଂପର୍କରେ ମଧ୍ୟ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି।

ଅତି ବିଶ୍ବସ୍ତସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ ଗତକାଲି ଗୋପାଳଙ୍କ ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଅଧିକାରୀମାନେ ଝାରସୁଗୁଡ଼ା ବିମାନ ବନ୍ଦର ପାଇଖାନା ଟାଙ୍କି ଭାଙ୍ଗି କିଛି କାଗଜପତ୍ର ଜବତ କରିଥିଲେ ଓ ଗୁରୁବାର ଅପରାହ୍ନ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହୋଇଛି। ମୋଟ ୨୬ଟି କାଗଜ ଖଣ୍ଡ ଉଦ୍ଧାର କରାଯାଇଛି। ମନ୍ତ୍ରୀଙ୍କୁ ଗୁଳି ମା଼ଡ଼ର ଉଦ୍ଦେଶ୍ୟ ଏହା ଭିତରେ ଲୁଚି ରହିଥିବା ଗୋପାଳ ସୂଚନା ଦେଇଥିବା କାରଣରୁ ଏହି କାଗଜ ଖଣ୍ଡରୁ କେତେ ଅଧିକ ତଥ୍ୟ ସଂଗ୍ରହ କରିହେବ, ତାହା ଉପରେ ତଦନ୍ତକାରୀ ଦଳ ଗୁରୁତ୍ବ ଦେଉଛନ୍ତି। ଉଦ୍ଧାର କାଗଜରେ ଲାଲ୍‌ ରଙ୍ଗ ସ୍ୟାହି ବା କାଳିରେ ଓଡ଼ିଆରେ କିଛି କଥା ଉଲ୍ଲେଖ ରହିଛି। ପ୍ରାୟ ସବୁ କାଗଜ ଓଦା ଓ ଟିକି ଟିକି ଖଣ୍ଡରେ ରହିଛି ଓ ପାଣିରେ ବତୁରି ଯାଇଥିବାରୁ ଅଧିକାଂଶ ଅକ୍ଷର ଅସ୍ପଷ୍ଟ ଦେଖାଯାଉଛି, ଯାହାକୁ ପଢ଼ିବା ଏତେ ସହଜ ନୁହେଁ। ଏସବୁକୁ ଆଜି କଡ଼ା ସୁରକ୍ଷା ଭିତରେ ଥାନାରେ ଶୁଖାଯାଇଥିଲା। ପରେ ଫରେନ୍‌ସିକ ଲାବୋରାଟୋରିକୁ ପଠାଯାଇ ହ୍ୟାଣ୍ଡରାଇଟିଂ ବିଶେଷଜ୍ଞଙ୍କ ଦ୍ବାରା ଲିଭିଯାଇଥିବା ଅକ୍ଷର ପୁନରୁଦ୍ଧାର କରାଯିବା ସହିତ ଏହାକୁ ପରୀକ୍ଷା କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ପାଇଖାନା ଟାଙ୍କିରୁ ୨୬ଟି କାଗଜଟୁକୁଡ଼ା ଜବତ
ଲାବରେଟୋରି ଯିବ; ପରୀକ୍ଷା ପାଇଁ ଗଲା ଭିସେରା
ଅଭିଯୁକ୍ତ ପକେଟରୁ କାଗଜ ଜବତ କରିନଥିଲେ, ସନ୍ଦେହରେ ପୁଲିସ
ବ୍ୟବହାର ହୋଇଥିବା ଗୁଳି ଜବତ, ବନ୍ଧୁକ ଧରିଥିବା ଯୁବକ କିଏ?
ଗୋପାଳଙ୍କ ଭାଇକୁ ଜେରା ଶେଷ, ଦୁଇ ବନ୍ଧୁଙ୍କୁ ଟେକିନେଲା କ୍ରାଇମବ୍ରାଞ୍ଚ

publive-image

ହେଲେ କ୍ରାଇମବ୍ରାଞ୍ଚ ଏହି କାଗଜ ରହସ୍ୟର ଉନ୍ମୋଚନ କରିବା ପରେ ସ୍ଥାନୀୟ ପୁଲିସର ଭୂମିକା ସନ୍ଦେହକୁ ଚାଲିଆସିଛି। ପ୍ରଶ୍ନ ଉଠୁଛି, ନବଙ୍କୁ ଗୁଳିମାରିବା ପରେ ପରେ ହିଁ ଝାରସୁଗୁଡ଼ା ପୁଲିସ ଗୋପାଳଙ୍କୁ ଘଟଣାସ୍ଥଳରୁ କାବୁ କରି ନେବା ସହିତ ବିମାନବନ୍ଦର ଥାନାକୁ ଆଣିଥିଲେ। ତାଙ୍କ ପକେଟ୍‌ରୁ ଗୁଳି ଜବତ କରାଗଲା ଓ ବନ୍ଧୁକ ଓ ମୋବାଇଲ୍ ଫୋନ୍ ବି। ହେଲେ ଗୋପାଳଙ୍କ ପାଖରେ ଥିବା ଏସବୁ କାଗଜ ସଂପର୍କରେ କେହି କେମିତି ଜାଣି ପାରିଲେନାହିଁ? ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି ଯେ ଅଭିଯୁକ୍ତ ଧରାପଡ଼ିବା ସମୟରେ ତଦନ୍ତକାରୀ ଅଧିକାରୀ ପ୍ରଥମେ ତା' ପକେଟ ଯାଞ୍ଚ କରିଥାନ୍ତି। କାଳେ ଏଥିରେ କୌଣସି ମାରଣାସ୍ତ୍ର କିମ୍ବା ଆପତ୍ତିଜନକ ସାମଗ୍ରୀ ଥିବ, ସେଥିପାଇଁ ତଲାସି କରାଯାଏ। ଏହା ବ୍ୟବସ୍ଥାର ସବୁଠୁ ଗୁରୁତ୍ବପୂର୍ଣ୍ଣ ନିୟମ। ଏ କ୍ଷେତ୍ରରେ ତାହା କିଭଳି ପାଳନ ହୋଇନାହିଁ, ତାହା ପ୍ରଶ୍ନର ବିଷୟ। ଏହି କଥାଟିକୁ ଅତି ସହଜରେ ଗ୍ରହଣ କରିହେଉନାହିଁ। ସ୍ଥାନୀୟ ପୁଲିସ ଏସବୁକୁ ଜାଣିଶୁଣି ବାହାର କରିନଥିଲା ନା ପୁଲିସର ଅପାରଗତା ତାହା ତଦନ୍ତସାପେକ୍ଷ।

ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଆଜି ସୂଚନା ଦେଇଛନ୍ତି ଯେ ନବ ଦାସଙ୍କୁ ଗୁଳିମାଡ଼ ମାମଲାରେ ଗୋପାଳ ନିଜ ସର୍ଭିସ୍ ପିସ୍ତଲରୁ ଯେଉଁ ଗୁଳି ଫୁଟାଇଥିଲେ, ସେହି ଗୁଳି ହସ୍ତଗତ ହୋଇଛି। କ୍ରାଇମବ୍ରାଞ୍ଚ ପାଇଁ ଏହା ଏକ ପ୍ରମୁଖ ପ୍ରମାଣ ହୋଇଥିବା ବେଳେ ସାଇଣ୍ଟିଫିକ୍ ଅଫିସର ଓ ବାଲିଷ୍ଟିକ୍ ବିଶେଷଜ୍ଞଙ୍କ ଦ୍ବାରା ଫାରୋ ୩-ଡି ସ୍କାନର ମାଧ୍ୟମରେ ଏହାକୁ ଠାବ କରାଯାଇଛି। ସେହିଭଳି ନବ ଦାସଙ୍କ ଭେସେରା ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଛି।
ଏହି ଘଟଣାରେ ଅନ୍ୟ ଗୋଟିଏ ଦିଗକୁ ନେଇ ଚର୍ଚ୍ଚା ଜମିଲାଣି। ତାହା ହେଉଛି, ଘଟଣାଦିନ ଗୁଳିକାଣ୍ଡ ପରେ ପୁଲିସ ଆଇଆଇସିଙ୍କ ପିସ୍ତଲକୁ କିଛି ବ୍ୟକ୍ତି ଭିଡ଼ି ନେଇଥିଲେ। ଏପରିକି ଜଣେ ଯୁବକ ପିସ୍ତଲ ଧରି ହାତ ଉପରକୁ ଉଠାଇ ବୁଲୁଥିବା ଦେଖାଯାଇଥିଲା। ଏହି ପିସ୍ତଲଟି ବାସ୍ତବରେ କାହାର ଥିଲା? ଆଇଆଇସିଙ୍କର ନା ଗୋପାଳଙ୍କର ତାହା ଅଦ୍ୟାବଧି ଜଣାପଡ଼ିନାହିଁ। ସଂପୃକ୍ତ ଯୁବକ କାହିଁକି ଓ କେଉଁ ପରିସ୍ଥିତିରେ ବନ୍ଧୁକ ଧରିଲେ ଓ କଣ ପ୍ରମାଣ କରିବାକୁ ଚାହୁଁଥିଲେ, ତାଙ୍କର ଉଦ୍ଦେଶ୍ୟ କଣ ଥିଲା? ସେ ନେଇ ନା ଥାନାରେ ମାମଲା ହୋଇଛି ବା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁଲିସ ଏ ପ୍ରସଙ୍ଗରେ ନିରବ ରହିବା, ମାମଲାର ଗମ୍ଭୀରତାକୁ ବଢ଼ାଇ ଦେଉଛି।

ଉଲ୍ଲେଖଯୋଗ୍ୟ, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ଏକ ଟିମ୍‌ ବ୍ରହ୍ମପୁର ସହର ଉପକଣ୍ଠ ଗୋପାଳ ଦାସଙ୍କ ପୈତୃକ ଘର ଜଳେଶ୍ବରପୁରରେ ଡେରା ପକାଇଛି। ସେଠାରେ ଥିବା ଗୋପାଳଙ୍କ ବଡ଼ ଭାଇ ସତ୍ୟନାରାୟଣ ଦାସଙ୍କୁ ଜେରା ଶେଷ ହୋଇଛି। ଏଠାରେ କିନ୍ତୁ ଗୋପାଳଙ୍କ ସମସ୍ତ ସମ୍ପର୍କୀୟଙ୍କୁ ପର୍ଯ୍ୟାୟକ୍ରମେ ଜେରା କରାଯାଉଛି। ବ୍ରହ୍ମପୁରର ଆଙ୍କୁଲିରେ ରହୁଥିବା ଗୋପାଳଙ୍କ ନିଜ ଘରେ ପତ୍ନୀ ଜୟନ୍ତୀ ଦାସ ଓ ତାଙ୍କ ପୁଅ ଝିଅଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି। ବ୍ରହ୍ମପୁର ଟାଉନରେ ଥିବା ଗୋପାଳଙ୍କ ଦୁଇ ବନ୍ଧୁଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଟେକିନେଇ ଏକ ଗୋପନୀୟ ସ୍ଥାନରେ ଜେରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe