ପୁରୀ: କେନ୍ଦୁଝରର ୧୪ ବର୍ଷର ଝିଅ ଦମୟନ୍ତୀଙ୍କ ପରେ ଦ୍ବିତୀୟ ବ୍ୟକ୍ତି ଭାବେ ବାଲେଶ୍ୱରର ୩୨ ବର୍ଷୀୟ ଯୁବକ ଅଜିତ ଚୌଧୁରୀଙ୍କୁ ଆଜି ଅଙ୍ଗଦାନ ପାଇଁ ରାଷ୍ଟ୍ରୀୟ ସମ୍ମାନ ମିଳିଛି। ପୁରୀ ସ୍ବର୍ଗଦ୍ବାରଠାରେ ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନପୂର୍ବକ ତାଙ୍କର ଅନ୍ତିମସଂସ୍କାର କରାଯାଇଛି। ଅଜିତ ତାଙ୍କ କିଡ୍ନି ଦାନ କରିଛନ୍ତି। ତେବେ ଡାକ୍ତରଖାନା ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଜିତଙ୍କ ପରିବାର। ଅଜିତଙ୍କ ଘର ବାଲେଶ୍ବର ଜିଲ୍ଲା ଔପଦା ତଳକିଆରେ। ମସ୍କିଷ୍କାଘାତ କାରଣରୁ ସେ ୧୪ ଦିନ ହେବ ଚିକିତ୍ସାଧୀନ ଥିଲେ। ସେ ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଗତକାଲି ରାତିରେ ତାଙ୍କର ମୃତ୍ୟୁପରେ ପରିବାର ଲୋକଙ୍କ ସହମତିରେ ଆଜି କିଡ୍ନି କଢ଼ାଯାଇଛି, ଯାହା ଅନ୍ୟ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାର ରାହା ଦେଇଛି ବୋଲି ଅଜିତଙ୍କ ଭିଣୋଇ ଅନିଲ ମହାପାତ୍ର କହିଛନ୍ତି। ଅଭୟ କୁମାର ଚୌଧୁରୀ ଓ ସୁଶାମଣି ଚୌଧୁରୀଙ୍କ ଦୁଇ ଝିଅରେ ଏକମାତ୍ର ପୁଅ ଥିଲେ ଅଜିତ। ସେ ପେସାରେ ଜଣେ ବ୍ୟବସାୟୀ। ବାପା ଅଭୟ କୁମାର ଚୌଧୁରୀଙ୍କ ୧୮ ବର୍ଷ ତଳୁ ମୃତ୍ୟୁ ହୋଇସାରିଛି। ଆଜି ଅପରାହ୍ନରେ ତାଙ୍କ ମରଶରୀର ସ୍ବର୍ଗଦ୍ବାରରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ, ସିଟି ଡିଏସ୍ପି ପ୍ରମୁଖ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ତୋପସଲାମୀ ଦିଆଯାଇଥିଲା। ଏହି ଅବସରରେ ଅଜିତଙ୍କ ସାନ ଭିଣୋଇ ଶ୍ରୀ ମହାପାତ୍ର, ଭଉଣୀ ସ୍ମିତା ଚୌଧୁରୀ, ଦୀପ୍ତିରାଣୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ଭିଣୋଇ ଶ୍ରୀ ମହାପାତ୍ର କହିଛନ୍ତି, କିଡ୍ନି ଦାନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁଭଳି ବ୍ୟବସ୍ଥା କରାଯାଇଥିଲା, ତାହା ସ୍ବାଗତଯୋଗ୍ୟ। ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କାର ସହାୟତା ବି ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଡାକ୍ତରଖାନା ପକ୍ଷରୁ ସହଯୋଗ ମିଳି ନଥିଲା। ପରିବାର ଲୋକେ ହୃତ୍ପିଣ୍ଡ, ଲିଭର୍ ଓ କିଡ୍ନି ଦାନ କରିବାକୁ ଚାହୁଁଥିଲେ। କିନ୍ତୁ, ଡାକ୍ତରଖାନା କର୍ତ୍ତୃପକ୍ଷ କେବଳ କିଡ୍ନି ଦରକାର କହି, ହୃତ୍ପିଣ୍ଡ, ଲିଭର ଆଦି ନେବାକୁ ମନା କରି ଦେଇଥିଲେ। ଯଦି ଏହା ନେଇଥାନ୍ତେ, ଅନ୍ୟ ରୋଗୀମାନେ ବି ଉପକୃତ ହୋଇପାରିଥାନ୍ତେ। ଅନ୍ୟପଟେ ଆମକୁ ମୃତଦେହ ଦେବାରେ ବହୁ ବିଳମ୍ବ କରାଗଲା ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।
Follow Us