ଆୟୁଷ ନିର୍ଦ୍ଦେଶକଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, ପାଲଟା ଅଭିଯୋଗ କଲେ ଅଭିଯୁକ୍ତ ଅଧିକାରୀ

ଅଭିଯୋଗକାରିଣୀଙ୍କ ନିଯୁକ୍ତି ବେଆଇନ, ତଦନ୍ତ କରୁଛି ଭିଜିଲାନ୍ସ

ଆୟୁଷ ନିର୍ଦ୍ଦେଶକଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, ପାଲଟା ଅଭିଯୋଗ କଲେ ଅଭିଯୁକ୍ତ ଅଧିକାରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ଆସିଛି ନୂଆ ମୋଡ଼। ଗତକାଲି ଅଭିଯୁକ୍ତ ଅଧିକାରୀଙ୍କର ସହକର୍ମୀ ଯୁବତୀଙ୍କ ଅଭିଯୋଗରେ ମାମଲା ରୁଜୁ ହେବା ପରେ ମହିଳା ଥାନାରେ ଆଜି ସମ୍ପୃକ୍ତ ଅଧିକାରୀ ପାଲଟା ଏତଲା ଦେଇଛନ୍ତି। ଏତଲାରେ ଶ୍ରୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି ଯେ, ଅଭିଯୋଗକାରିଣୀ ମିଛ କହୁଛନ୍ତି। ତାଙ୍କର ନିଯୁକ୍ତି ବେଆଇନ ହୋଇଥିବାରୁ ଆଗାମୀ ବର୍ଷକୁ ଚୁକ୍ତିନାମା ନବୀକରଣ ହେବ ନାହିଁ। ଏହି ବେଆଇନ ନିଯୁକ୍ତିର ତଦନ୍ତ ପାଇଁ ଭିଜିଲାନ୍ସକୁ ଲେଖାଯାଇଛି। ସେଥିପାଇଁ ଏଭଳି ମିଥ୍ୟା ଅଭିଯୋଗ ହୋଇଛି। ଅଭିଯୋଗକାରିଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ମହିଳା ଥାନାରେ ଏତଲା ଦେଇଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଯୁବତୀଙ୍କୁ ସେ ଅଶ୍ଳୀଳ ଭିଡିଓ ପଠାଇନାହାନ୍ତି କିମ୍ବା ଯେଉଁ ବାର୍ତ୍ତାଳାପର କଲ୍‌ ରେକର୍ଡ ସେ ଧରି ବୁଲୁଛନ୍ତି ତାହା ତାଙ୍କର କଣ୍ଠସ୍ବର ନୁହେଁ। ଯେଉଁ ନମ୍ବରରୁ ଏହି ସବୁ ଆସିଛି ବୋଲି ଅଭିଯୋଗ ଉଠିଛି ତାହା ମଧ୍ୟ ତାଙ୍କର ନୁହେଁ। ଏ କଣ୍ଠସ୍ବର କାହାର ତାହା ଲ୍ୟାବ୍‌କୁ ପଠାଯାଇ ପ୍ରମାଣ କରାଯାଉ ବୋଲି ଦର୍ଶାଇଛନ୍ତି। ମହିଳା ଥାନା ପୁଲିସ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଏହି ଅଭିଯୋଗ ପଛରେ ଆଉ ଜଣଙ୍କୁ ଦୋଷୀ କରିଛନ୍ତି ଅଭିଯୁକ୍ତ ଅଧିକାରୀ। ସେ ହେଉଛନ୍ତି ନ୍ୟାସନାଲ ଆୟୁଷ ମିସନ ପ୍ରୋଗ୍ରାମ୍‌ ମ୍ୟାନେଜର ସୁଶାନ୍ତ ଦାଶ। ଅଭିଯୋଗକାରିଣୀଙ୍କ ନିଯୁକ୍ତି ବାବଦରେ ସମସ୍ତ ମୂଳ କାଗଜପତ୍ର ଦେଖାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେ ଦେଖାଇ ପାରି ନାହାନ୍ତି। ଏଣୁ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ସମ୍ପୃକ୍ତ ଠିକା ସଂସ୍ଥା (ସର୍ଭିସ୍‌ ପ୍ରୋଭାଇଡର) ଏକ୍ସଇଏଏମ୍‌ ଭେଞ୍ଚର ପ୍ରାଇଭେଟ୍‌ ଲିମିଟେଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ସୁଶାନ୍ତ ଅଭିଯୋଗକାରିଣୀଙ୍କର ନିକଟ ସମ୍ପର୍କୀୟ ହୋଇଥିବାରୁ ଷଡ଼୍‌ଯନ୍ତ୍ର କରି ମିଥ୍ୟା ଅଭିଯୋଗ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି। ଅପରପକ୍ଷରେ ଗତକାଲି ଯୁବତୀ ଥାନାରେ ଅଭିଯୋଗ କଲେ ଗତକାଲି ହିଁ ସୁଶାନ୍ତଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ସର୍ଭିସ ପ୍ରୋଭାଇଡରକୁ ଚିଠି ଲେଖାଯାଇଛି। ଅନ୍ୟପଟେ ସୁଶାନ୍ତ ମଧ୍ୟ କାଲି ମଧ୍ୟ ଇସ୍ତଫା ପତ୍ର ଲେଖିଛନ୍ତି। ମାନସିକ ଅବସାଦ କାରଣରୁ ସେ ଏହି ଚାକିରି ଆଉ କରିବାକୁ ଚାହୁନାହାନ୍ତି ବୋଲି ଲେଖିଥିବା ବେଳେ ଆଜି ଆୟୁଷ ବିଭାଗ ଏହି ଚିଠିକୁ ଗ୍ରହଣ କରିଛି। ଗୋଟିଏ ଦିନ‌ରେ ଏତେ ସବୁ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଛି।

publive-image The Logical Indian

ଅନ୍ୟପଟେ ଜାଲ୍‌ କାଗଜପତ୍ର ଓ ଜାତୀୟ ଆୟୁଷ ମିସନ୍‌ର ସମସ୍ତ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ଅଭିଯୋଗକାରିଣୀଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରୋଗ୍ରାମ୍‌ ମ୍ୟାନେଜର ସୁଶାନ୍ତ ଦାଶଙ୍କର ନିଯୁକ୍ତି ମଧ୍ୟ ବେଆଇନ। ସୁଶାନ୍ତଙ୍କୁ ଗତ ୨ ତାରିଖରେ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା। ଗତକାଲି ତାଙ୍କୁ ବହିଷ୍କାର କରାଯାଇଛି। ଗତକାଲି ହିଁ ନିର୍ଦ୍ଦେଶକ ଭିଜିଲାନ୍ସକୁ ତଦନ୍ତ ପାଇଁ ଚିଠି ଲେଖିଛନ୍ତି। ଏହି ଜାଲ୍‌ ନିଯୁକ୍ତିର ତଦନ୍ତ କରିବା ସହ ଏମାନଙ୍କ ଠାରୁ ସମସ୍ତ ଦରମା ଆଦାୟ କରିବା ପାଇଁ ଶ୍ରୀ ଷଡ଼ଙ୍ଗୀ ଭିଜିଲାନ୍ସକୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି କି ପଞ୍ଜାବର ସର୍ଭିସ ପ୍ରୋଭାଇଡର ସଂସ୍ଥା ଏକ୍ସଇଏଏମ୍‌ ସୁଶାନ୍ତ ଓ ଅଭିଯୋଗକାରିଣୀଙ୍କ ଭଳି ଅନେକଙ୍କୁ ବେଆଇନ ନିଯୁକ୍ତି ଦେଇଛି। ଏଣୁ ସଂସ୍ଥାର କାରବାର ସମ୍ବନ୍ଧରେ ମଧ୍ୟ ତଦନ୍ତ କରାଯାଉ।

ଅଭିଯୁକ୍ତ ନିର୍ଦ୍ଦେଶକ ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନାକୁ ଆସିନାହାନ୍ତି। କେବଳ ଅଭିଯୋଗ ପତ୍ର ପଠାଇ ଦେଇଛନ୍ତି। ଯେବେ ଯୁବତୀ ଅଭିଯୋଗ କଲେ ସେହିଦିନ ହିଁ ସମସ୍ତ ଚିଠି ଆଦାନପ୍ରଦାନ ହୋଇଛି। ଯଦି ଏତେ ଅଭିଯୋଗ ଥିଲା ‌ତେବେ ଗତକାଲି ହିଁ ସମସ୍ତ କାରବାର କାହିଁକି ହୋଇଛି ବୋଲି ପ୍ରଶ୍ନ ଉଠିଛି। ଗତକାଲି ନ୍ୟାସ୍‌ନାଲ ଆୟୁଷ ମିସନ୍‌ରେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ଶ୍ରୀ ଷଡ଼ଙ୍ଗୀଙ୍କ ବିରୋଧ‌ରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ମହିଳା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆଜି ସମ୍ପୃକ୍ତ ଯୁବତୀଙ୍କର ବିଧିବଦ୍ଧ ଭାବରେ ବୟାନ ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe