ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକଳ ଚିତ୍ର: ମୋବାଇଲ୍ ଲାଇଟ୍‌ରେ ରୋଗୀସେବା

ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ୍ ଲାଇଟ୍‌ରେ ହେଉଛି ରୋଗୀସେବା। ତାହା ପୁଣି ସ୍ବତନ୍ତ୍ର କ୍ୟାବିନ୍‌ରେ। ଥରେ ବିଦ୍ୟୁତ୍‌ କଟିଲେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଆସୁନି।

ssfsfsf

ଜୟପୁର: ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ୍ ଲାଇଟ୍‌ରେ ହେଉଛି ରୋଗୀସେବା। ତାହା ପୁଣି ସ୍ବତନ୍ତ୍ର କ୍ୟାବିନ୍‌ରେ। ଥରେ ବିଦ୍ୟୁତ୍‌ କଟିଲେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଆସୁନି। ଏଭଳି ସ୍ଥିତିରେ ଜେନେରେଟର୍‌ ଥିଲେ ବି ବ୍ୟବହାର କରାଯାଉନି।
ବାଧ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟ ଟର୍ଚ୍ଚ ଓ ମୋବାଇଲ୍ ଲାଇଟ୍‌ ବ୍ୟବହାର କରୁଛନ୍ତି। ମିଞ୍ଜିମିଞ୍ଜି ଆଲୁଅରେ ରୋଗୀଙ୍କୁ ସାଲାଇନ୍‌ ସହ ଇଞ୍ଜେକସନ୍‌ ଦିଆଯାଉଥିବାରୁ ଅଘଟଣ ଘଟିବାର ଆଶଙ୍କା ରହିଛି। ଏହି ଘଟଣାକୁ ଗୁରୁତ୍ବର ସହ ନେବା ବଦଳରେ ଦୋଷ, ଦୁର୍ବଳତାକୁ ଲୁଚାଇବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଆଳ ଖୋଜିଛନ୍ତି। କହିଛନ୍ତି ଚକ୍ଷୁ ବିଭାଗ ଅପରେସନ୍‌ ଥିଏଟରକୁ ବିଦ୍ୟୁତ୍ ସଂଯୋଗ କାମ ଚାଲିଛି। ଏଥି ପାଇଁ ବିଦ୍ୟୁତ୍‌ କାଟ ହେଉଛି।

ଜୟପୁର ପୁରୁଣାଗଡ଼ ଅଞ୍ଚଳରେ ଜଣେ ରୋଗୀ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରକ୍ତଚାପ ସହ ଶର୍କରା ସ୍ତର ନିୟନ୍ତ୍ରଣ ବାହାରେ ଥିବାରୁ ପରିବାର ଲୋକ ଚିକିତ୍ସାଳୟର ସ୍ବତନ୍ତ୍ର କ୍ୟାବିନ୍‌ରେ ରଖି ଚିକିତ୍ସା କରୁଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେବାରୁ ଡାକ୍ତର ପରୀକ୍ଷା କରି ସାଲାଇନ୍‌ ଓ ଇଞ୍ଜେକସନ୍‌ ଦେବା ପାଇଁ ପରାମର୍ଶ ଦେଇଥିଲେ। ନର୍ସିଂ ଆସିଷ୍ଟାଣ୍ଟ୍ କ୍ୟାବିନ୍‌ରେ ପହଞ୍ଚି ସାଲାଇନ୍‌ ବାହାର କରୁଥିବା ବେଳେ ବିଦ୍ୟୁତ୍‌କାଟ ହୋଇଥିଲା। ସନ୍ଧ୍ୟା ୭ଟାରେ ବିଦ୍ୟୁତ୍‌ କଟିଥିବା ବେଳେ ୧୦ ମିନିଟ୍ ବ୍ୟବଧାନରେ ଆସିଥିଲା। ଏଣୁ ସମ୍ପର୍କୀୟମାନେ ମୋବାଇଲ୍ ଲାଇଟ୍ ଅନ୍‌ କରିବା ପରେ ନର୍ସିଂ ଆସିଷ୍ଟାଣ୍ଟ୍ ରୋଗୀଙ୍କୁ ସାଲାଇନ୍ ଦେଇଥିଲେ।

ସେହିପରି ବୁଧବାର ଦିନ ତମାମ ୩ରୁ ୪ ଥର ଡାକ୍ତରଖାନାରେ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଅପରାହ୍ଣ ୪ଟାରେ ବିଦ୍ୟୁତ୍ କଟିଥିବା ବେଳେ ୨୦ ମିନିଟ୍ ପରେ ଆସିଥିଲା। ବିନା ବିଦ୍ୟୁତ୍‌ରେ ରୋଗୀମାନେ ୱାର୍ଡ ସମେତ କ୍ୟାବିନ୍‌ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏ ସମ୍ପର୍କରେ ଡାକ୍ତରଖାନା ‌ମ୍ୟାନେଜର ରୂପସୀ ନାୟକଙ୍କୁ ପଚାରିବାରୁ, ଚକ୍ଷୁ ବିଭାଗର ଅପରେସନ୍ ଥିଏଟରକୁ ନୂଆ ବିଦ୍ୟୁତ୍ ସଂଯୋଗ ହେଉଥିବାରୁ ବିଦ୍ୟୁତ୍‌ କାଟ ହୋଇଥିଲା ବୋଲି କହିଛନ୍ତି। ତେବେ ବିଦ୍ୟୁତ୍‌ କଟିଲେ ଜେନେରେଟର ସୁବିଧା ଥିବା ସତ୍ତ୍ବେ ବହୁ ସମୟ ଧରି ଡାକ୍ତରଖାନା ଅନ୍ଧାର ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଧିକାଂଶ ସମୟରେ ଜେନେରେଟର ଚାଲୁ ନ ଥିବା ମଧ୍ୟ ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ମୋବାଇଲ୍ ଲାଇଟ୍‌ରେ ଚିକିତ୍ସା ଘଟଣା ଲୋକଲୋଚନକୁ ଆସିବା ପରେ ଆଜି ତରବରିଆ ଭାବେ କର୍ତ୍ତୃପକ୍ଷ ଜେନେରେଟରରୁ ପ୍ୟାନେଲ୍ ବୋର୍ଡକୁ ସଂଯୋଗ ହୋଇଥିବା ତାର ସବୁ ସଜାଡ଼ୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe