କାଠଯୋଡ଼ି ପଠାରେ ଅଭାବନୀୟ ଘଟଣା: ବାଣ ନିଷ୍କ୍ରିୟ ବେଳେ ହାବିଲଦାର ମୃତ

Advertisment

ଏସ୍‌ଓପିକୁ ଅଣଦେଖା, କିଏ ହେବେ ଉତ୍ତରଦାୟୀ?

ଏସ୍‌ଓପିକୁ ଅଣଦେଖା, କିଏ ହେବେ ଉତ୍ତରଦାୟୀ?

କାଠଯୋଡ଼ି ପଠାରେ ଅଭାବନୀୟ ଘଟଣା: ବାଣ ନିଷ୍କ୍ରିୟ ବେଳେ ହାବିଲଦାର ମୃତ

ଫୁଲନଖରା: କାଠଯୋଡ଼ି ପଠାରେ ବାଣ ନିଷ୍କ୍ରିୟ କରିବାକୁ ଯାଇ ଜଣେ ପୁଲିସ ହାବିଲଦାରଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମୃତ ହାବିଲଦାର ହେଉଛନ୍ତି କଟକ ଜଗତପୁର ପୀର ବଜାର ଅଞ୍ଚଳର ପ୍ରଦୀପ ମଲ୍ଲିକ (୪୫)। ସୂଚନା ଅନୁସାରେ, କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟ କାଠଯୋଡ଼ି ନଦୀ ପଠାରେ ସଦର ଥାନା ଦ୍ବାରା ଜବତ ହୋଇଥିବା ବାଣକୁ ନିଷ୍କ୍ରିୟ କରିବାକୁ ପଦକ୍ଷେପ ନିଆଯାଇଥିଲା। ହାବିଲଦାର ପ୍ରଦୀପ ମଲ୍ଲିକ ଓ ତାଙ୍କ ସହିତ ଅନ୍ୟ ପ୍ରାୟ ୪ ଜଣ କର୍ମଚାରୀ ଉକ୍ତ ଜବତ ବାଣ (ସୁତୁଲି ବମ )କୁ ନିଷ୍କ୍ରିୟ କରିବା ପାଇଁ ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାକୁ ନେଇଥିଲେ। ସେଠାରେ ଗୋଟିଏ ଛୋଟ ଗାତ ଭିତରେ ବାଣକୁ ପୂରାଇ ପ୍ରଦୀପ ସେଥିରେ ଅସାବଧାନତାବଶତଃ ନିଆଁ ଲଗାଇଦେବା ଫଳରେ ତାହା ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ପ୍ରଦୀପଙ୍କ ଶରୀର ହାରାହାରି ୭୦ ଭାଗ ପୋଡ଼ିଯିବା ସହ ପ୍ୟାଣ୍ଟ, ସାର୍ଟ ଓ ମାଂସ ଖଣ୍ତ ଖଣ୍ତ ହୋଇ ଘଟଣାସ୍ଥଳରେ ପଡ଼ିଥିଲା। ତାଙ୍କର ମୃତଦେହ ପ୍ରାୟ ୧୪ ଫୁଟ ଦୂରରେ ଯାଇ ପଡିଥିଲା।

ସେଠାରେ ଥିବା ଅନ୍ୟ କର୍ମଚାରୀ ଓ ସଦର ଥାନା ପୁଲିସ ପହଞ୍ଚି ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ ପଠାଇଥିଲେ। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯାଇ ନଥିଲା। ଫଳରେ, ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ପୂର୍ବତନ ବିଧାୟକ ପ୍ରକାଶ ବେହେରା ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହିତ ମୃତ ପ୍ରଦୀପଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ପରିବାରର ଜଣକୁ ଚାକିରି ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

କଟକ: ପୁଲିସ ଜବତ କରୁଥିବା ବେଆଇନ ବାଣଗୁଡ଼ିକୁ ନଷ୍ଟ କରିବାପାଇଁ ସେଥିରେ ନିଆଁ ଲଗାଇଲେ ସେଥିରେ ବିପଦ ଆଶଙ୍କା ରହିଥାଏ। ଏଥିପାଇଁ ବ୍ୟାଟେରି କରେଣ୍ଟ ଦିଆଯାଇ ୧୦୦ ମିଟର ଦୂରରେ ରହି ଏହାକୁ ବିସ୍ଫୋରଣ କରାଯିବାର ଏସ୍‌ଓପି ରହିଛି। କିନ୍ତୁ କଟକ ସଦର ଥାନା ପୁଲିସ ପକ୍ଷରୁ ଆଜି ବାଣ ବିସ୍ଫୋରଣ ସମୟରେ ଏହି ଏସ୍‌ଓପି ଆଦୌ ପାଳନ କରାଯାଇନାହିଁ। ସିଧା ନିଆଁ ଲଗାଇ ବିସ୍ଫୋରଣ କରାଯିବାରୁ ଜଣେ ହାବିଲଦାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଫଳରେ, ଏଥିପାଇଁ ଏବେ କିଏ ଉତ୍ତରଦାୟୀ ହେବେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଓଡ଼ିଶା ପୁଲିସର ନିୟମ ମୁତାବକ, ପୁଲିସ ବିଭିନ୍ନ ସମୟରେ ଜବତ କରିଥିବା ବେଆଇନ ବିସ୍ଫୋରକ ସାମଗ୍ରୀଗୁଡ଼ିକ ଥାନାରେ ରଖି ମାମଲା ରୁଜୁ କରିଥାଏ। ଏହାକୁ ନଷ୍ଟ କରିବାପୂର୍ବରୁ ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀ ଏ ସଂକ୍ରାନ୍ତରେ ଅଦାଲତର ଅନୁମତି ପାଇଁ ଆବେଦନ କରିଥା’ନ୍ତି। ଅଦାଲତ ଅନୁମତି ଦେବାପରେ ତଦନ୍ତକାରୀ ଅଧିକାରୀ ଜିଲ୍ଲା ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ଚିଠି ଲେଖି ସେମାନଙ୍କୁ ପଦକ୍ଷେପ ନେବାକୁ କହିଥା’ନ୍ତି। ଏହି ଦଳ ପକ୍ଷରୁ ଦକ୍ଷ ବୋମା ନିଷ୍କ୍ରିୟକାରୀ ହାବିଲଦାର/କନଷ୍ଟେବଳଙ୍କୁ ନଷ୍ଟ କରିବା ଦାୟିତ୍ବ ଦିଆଯାଏ।

ସାଧାରଣତଃ ଜଣେ ହାବିଲଦାରଙ୍କ ନେତୃତ୍ବରେ ଦୁଇଜଣ କନଷ୍ଟେବଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଲା ପରେ ଏହି ଜବତ ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ନଦୀ ପଠା କିମ୍ବା ଖୋଲା ସ୍ଥାନରେ ବଡ଼ ଗାତ ଖୋଳି ରଖାଯାଏ। ଏହି ଗାତରୁ ସର୍ବନିମ୍ନ ୧୦୦ ଫୁଟ ଦୂର ଯାଏ ଇଲେକ୍ଟ୍ରି ତାର ବିଛାଯାଇଥାଏ। ଏହି ତାରକୁ ୧୦୦ ଫୁଟ ଦୂରରେ ଏକ ବ୍ୟାଟେରି ସହିତ ସଂଯୋଗ କରାଯାଏ। ବ୍ୟାଟେରି କରେଣ୍ଟ ଦେଇ ଏହି ସାମଗ୍ରୀଗୁଡ଼ିକୁ ନଷ୍ଟ କରାଯାଇଥାଏ। ନିଆଁ ଲଗାଇ ନଷ୍ଟ କଲେ ହଠାତ୍ ବିସ୍ଫୋରଣ ହେବା ଆଶଙ୍କା ରହୁଥିବାରୁ ଦୂରରେ ରହି ବିସ୍ଫୋରଣ ପାଇଁ ଏ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ମାତ୍ର, ସଦର ଥାନା ପୁଲିସ ପକ୍ଷରୁ ନଷ୍ଟ ହେଉଥିବା ବିସ୍ଫୋରକ ସାମଗ୍ରୀ କ୍ଷେତ୍ରରେ ଏଭଳି ସତର୍କତାମୂଳକ ପଦକ୍ଷେପକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଗାତରେ କୁଢ଼ାଯାଇଥିବା ବାଣରେ ନିଆଁ ଲଗାଇ ଏହାକୁ ନଷ୍ଟ କରାଯାଉଥିବା ବେଳେ ଏହା ଫାଟିଥିଲା। ଏଭଳି ଫାଟିଥିଲା ଯେ ହାବିଲଦାର୍ ଜଗତପୁର ପୀର ବଜାର ଅଞ୍ଚଳର ପ୍ରଦୀପ ମଲ୍ଲିକ ୧୪ ଫୁଟ ଦୂରକୁ ଛିଟିକି ପଡ଼ିଥିଲେ। ତାଙ୍କ ଶରୀର ସମ୍ପୂର୍ଣ୍ଣ ଜଳିଯିବା ସହିତ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକ କହିଛନ୍ତି ଯେ ଜବତ ବିସ୍ଫୋରକ ସାମଗ୍ରୀର ନମୁନା ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଥାଏ। ବିଶେଷଜ୍ଞ ଏହାଉପରେ ଏକ ରିପୋର୍ଟ ଦେଇଥାନ୍ତି। ବିସ୍ଫୋରକ ସାମଗ୍ରୀ ବୋଲି ରିପୋର୍ଟରେ ସ୍ପଷ୍ଟ କରିବା ପରେ ନଷ୍ଟ କରିବାକୁ ଅଦାଲତର ଅନୁମତି ମଗାଯାଇଥାଏ। ଏହା ପରେ ଫାଙ୍କା ସ୍ଥାନରେ ଖାଲ କରି ସୁରକ୍ଷିତ ଭାବେ ତାହାକୁ ନଷ୍ଟ କରାଯାଇଥାଏ ବୋଲି ଶ୍ରୀ ମାରିକ କହିଛନ୍ତି।

(ବକ୍ସ)
ଏସ୍‌ଓପିରେ କ’ଣ ଉଲ୍ଲେଖ ଥିଲା?
୨୦୨୧ ସେପ୍ଟେମ୍ବର ୨୭ରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ମାଲଖାନାରେ ଜବତ ହୋଇ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ହଠାତ୍ ଫାଟିଥିଲା। ଏହି ଘଟଣାରେ ଥାନାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାପରେ ବିସ୍ଫୋରକ ସାମଗ୍ରୀ ରଖିବା ଓ ନଷ୍ଟ କରିବାକୁ ନେଇ ତତ୍କାଳୀନ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜିଙ୍କ ପକ୍ଷରୁ ଏକ ଏସ୍‌ଓପି ଜାରି କରାଯାଇଥିଲା। ଥାନା ପରିସରରେ କୌଣସି ଜବତ ବିସ୍ଫୋରକ ସାମଗ୍ରୀ ରଖିଲେ କିଭଳି ସତର୍କ ମୂଳକ ପଦକ୍ଷେପ ଗ୍ରହଣ କରାଯିବ, ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ଏସ୍‌ପି ଓ କମିସନରେଟ୍ ପୁଲିସର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ଅତି ଜରୁରୀ ପରିସ୍ଥିତିରେ ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ମାଲଖାନାରେ ରଖାଯିବ ତେବେ ବୋମା ନିଷ୍କ୍ରିୟକାରୀ ଦଳ ଦ୍ବାରା ଏହାକୁ ଯାଞ୍ଚ କରିବା ପରେ ରଖାଯିବାକୁ ପରାମର୍ଶ ଦିଆଯାଇଥିଲା। ନଚେତ୍‌ ଏହାକୁ ନଷ୍ଟ କରିବା ପର୍ଯ୍ୟନ୍ତ ଥାନା ବାହାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସହିତ ରଖାଯିବାକୁ ଏହି ଏସ୍‌ଓପିରେ ଉଲ୍ଲେଖ କରାଯାଇଥିଲା। ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ବୋମା ନିଷ୍କ୍ରିୟକାରୀ ଦଳ ନଷ୍ଟ କରିବେ। ଜିଲ୍ଲାରେ ଥିବା ଏସ୍‌ଡିପିଓ/ଡିଏସ୍‌ପି/ଏସିପି ନିଜ ଅଞ୍ଚଳରେ ଥିବା ପ୍ରତ୍ୟେକ ଥାନାକୁ ଯାଇ ବିସ୍ଫୋରକ ସାମଗ୍ରୀର ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏତେସବୁ କଟକଣା ଓ ଏସ୍‌ଓପି ସତ୍ତ୍ବେ ସେହି ଘଟଣାର ପୁନରାବୃତ୍ତି ହେବା ସହିତ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe