ଭତ୍ତା ପାଇଁ କରୁଣ ଦୃଶ୍ୟ: ଶିକାରେ ନଈ ପାର୍‌

Advertisment

ବୁହା ‌‌ହେଉଛନ୍ତି ବହୁ ହିତାଧିକାରୀ, ବ୍ୟାଙ୍କ ବନ୍ଦ ଯୋଗୁ ନିରାଶରେ ଫେରିଲେ, ଟଙ୍କା ୫୦୦ ପାଇଁ ସରକାରୀ ଦହଗଞ୍ଜ

ବୁହା ‌‌ହେଉଛନ୍ତି ବହୁ ହିତାଧିକାରୀ, ବ୍ୟାଙ୍କ ବନ୍ଦ ଯୋଗୁ ନିରାଶରେ ଫେରିଲେ, ଟଙ୍କା ୫୦୦ ପାଇଁ ସରକାରୀ ଦହଗଞ୍ଜ

ଭତ୍ତା ପାଇଁ କରୁଣ ଦୃଶ୍ୟ: ଶିକାରେ ନଈ ପାର୍‌

ରାଜନଗର : ନବରଙ୍ଗପୁର ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ବାଣୁଆଗୁଡ଼ା ଗ୍ରାମର ସୂର୍ଯ୍ୟ ହରିଜନ (୭୨ବର୍ଷ) ‌ଚଉକି ଧରିଧରି ଭତ୍ତାପାଇଁ କୋଶେ ବାଟ ଯାଉଥିଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଠିକାପାଲି ଗ୍ରାମର ଧୋବା ନାଗ (୬୮)। ଭତ୍ତା ପାଇଁ ୨୫ କି‌ଲୋମିଟର ଯାଉଛନ୍ତି। କେବଳ ଏହି ଦୁଇଟି ଦୃଶ୍ୟ ନୁହେଁ, ଆହୁରି ଅନେକ ସ୍ଥାନରେ ହିତାଧିକାରୀମାନେ ଭତ୍ତା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଆଜି ଏହାର ଆଉ ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ର ଏକମାଣିଆ ପଞ୍ଚାୟତରେ। ଭତ୍ତା ପାଇଁ ଜଣେ ବୃଦ୍ଧଙ୍କୁ ଶିକାଭାରରେ ବୁହାହୋଇ ନଦୀ ପାର୍‌ ହେବାକୁ ପଡ଼ିଛି। ଆଉ କେତେଜଣ ହିତାଧିକାରୀ ବୁହାହୋଇ ନଦୀପାର୍‌ ହୋଇଥିବାବେଳେ ବ୍ୟାଙ୍କ ବନ୍ଦ ଯୋଗୁ ସମସ୍ତଙ୍କୁ ନିରାଶହୋଇ ଫେରିବାକୁ ପଡ଼ିଛି।

ଏକମାଣିଆ ପଞ୍ଚାୟତ ଅନ୍ତର୍ଗତ ନଳପାହି ଗ୍ରାମର ଗଙ୍ଗାଧର ପରିଡ଼ା। ତାଙ୍କର ବୟସ ୮୮ ଛୁଇଁଲାଣି। ହାତରେ ବାଡ଼ି ଧରିଲେ ବି ଚାଲି ପାରୁନାହାନ୍ତି। ନିତ୍ୟକର୍ମ ପାଇଁ ପରିବାର ଲୋକେ ଟେକି କି ନେବା ଆଣିବା କରୁଛନ୍ତି। ଏପରି ସ୍ଥିତିରେ ପରିବାର ଲୋକେ ତାଙ୍କୁ ଶିକାଭାରରେ ନଦୀ ଭିତରେ ପଶି ଡଙ୍ଗାରେ ଚଢ଼ାଇଥା’ନ୍ତି। ଡଙ୍ଗାରୁ ଓହ୍ଲାଇ ଅଟୋ କରି ବ୍ୟାଙ୍କକୁ ନେଇଥା’ନ୍ତି। ଆଜି ମଧ୍ୟ ସେ ଭତ୍ତା ପାଇଁ ସେହିଭଳି ବୁହା ହୋଇ ଯାଇଥିଲେ। ରଙ୍ଗାଧରଙ୍କ କହିବା କଥା ହେଲା, ୧୧ମାସ ହେଲା ମୁଁ ଭତ୍ତା ଟଙ୍କା ଆଣିନି। ଆଜି ମୋତେ ଘର ଲୋକେ ଟେକିଟେକି ନଦୀ ପାର୍‌ କରି ବ୍ୟାଙ୍କକୁ ନେଇଥିଲେ। ମାତ୍ର, ବ୍ୟାଙ୍କ ବନ୍ଦ ବୋଲି ଜାଣିନଥିଲୁ, ନିରାଶ ହୋଇଫେରିଲି।

publive-image
କେବଳ ଗଙ୍ଗାଧର ନୁହନ୍ତି, ସେହି ଗାଁର ହଳଧର ନାୟକ (୭୭), ରଙ୍ଗାଧର ପରିଡ଼ା(୮୩)ଙ୍କୁ ଆଜି ତାଙ୍କ ପରିବାର ଲୋକେ ଭତ୍ତା ଟଙ୍କା ଉଠାଇବାକୁ ଟେକିଟେକି ନଈ ଭିତରେ ଡଙ୍ଗାକୁ ଆଣିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ହଳଧରଙ୍କ କହିବା କଥା ହେଲା, ଚାରିମାସ ତଳେ ଘର ଲୋକ ମୋତେ ଟେକି ଟେକିନେଇ ନଈ ପାରି କରି ବ୍ୟାଙ୍କକୁ ନେଇଥିଲେ। ସେଠାରୁ ଟଙ୍କା ନେଇ ଫେରିଥିଲି। ଆଜି ପୁଣି ଦହଗଞ୍ଜ ହୋଇ ମୋତେ ବ୍ୟାଙ୍କକୁ ଆଣିଥିଲେ। ‘ଟଙ୍କା ୫ଶହ ପାଇଁ ଏପରି ଦହଗଞ୍ଜ ସରକାର କାହିଁକି କରୁଛନ୍ତି?,’ ବୋଲି କହିଛନ୍ତି ହଳଧର। ଏଥିସହିତ, ପୂର୍ବପରି ଆମ ପଞ୍ଚାୟତରେ ବ୍ୟାଙ୍କ ନ ଥିବାରୁ ଆମକୁ ପଞ୍ଚାୟତ କାର୍ଯ୍ୟାଳୟରୁ ଟଙ୍କା ଦେବାର ବ୍ୟବସ୍ଥା ହେଉ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏହି ପଞ୍ଚାୟତରେ ୪ଶହ ବୃଦ୍ଧବୃଦ୍ଧା ଭତ୍ତା ଟଙ୍କା ପାଇଁ ଏପରି ସମାନ ପରିସ୍ଥିତିର ସାମ୍ନା କରୁଛନ୍ତି। ନଳପାହି, ଏକମାଣିଆ ଓ ଦକ୍ଷିଣଡିଆ ୩ଟି ଗାଁକୁ ନେଇ ଗଠିତ ଏହି ପଞ୍ଚାୟତକୁ ଚାରିପଟୁ ବ୍ରାହ୍ମଣୀ ନଦୀ ଘେରିରହିଛି। ଫଳରେ, ନଦୀ ପାର୍‌ହୋଇ ରାଜନଗର ବ୍ଲକ୍‌ କେରେଡାଗଡ଼ ବଜାର ଓ କେରେଡାଗଡ଼ଠାରେ ଥିବା ବ୍ୟାଙ୍କ ଅଫ୍ ବରୋଦାକୁ ସମସ୍ତେ ଭତ୍ତା ପାଇଁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe