‘ଅସ୍ମିତାର ଦ୍ୱିତୀୟ ଉଦାହରଣ କବି ଗଙ୍ଗାଧର’

Advertisment

ସୌମ୍ୟରଂଜନ ଉଠାଇଥିବା ‘ଅସ୍ମିତା’ ରାଜ୍ୟରେ ସରକାର ବଦଳାଇଦେଲା: ପ୍ରଦୀପ

ସୌମ୍ୟରଂଜନ ଉଠାଇଥିବା ‘ଅସ୍ମିତା’ ରାଜ୍ୟରେ ସରକାର ବଦଳାଇଦେଲା: ପ୍ରଦୀପ

‘ଅସ୍ମିତାର ଦ୍ୱିତୀୟ ଉଦାହରଣ କବି ଗଙ୍ଗାଧର’

ବରଗଡ଼/ବରପାଲି: ଓଡ଼ିଆ ଜାତି ତଥା ଅସ୍ମିତାର ପ୍ରଥମ ପରିଚୟ ଯଦି ପ୍ରଭୁ ଜଗନ୍ନାଥ, ତାହେଲେ ଦ୍ୱିତୀୟ ଉଦାହରଣ ହେଉଛନ୍ତି କବି ଗଙ୍ଗାଧର ମେହେର। କାରଣ ଜଗନ୍ନାଥଙ୍କ ପରେ ଓଡ଼ିଆ ଭାଷା ହେଉଛି ଆମର ପରିଚୟ। ଆମ ଭାଷାର ଆରାଧନା ପାଇଁ କବି ଗଙ୍ଗାଧର ମେହେର ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ବୋଲି କହିଛନ୍ତି ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ସ୍ୱଭାବ କବିଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ‘ସମ୍ବାଦ-ଆମଓଡ଼ିଶା’ ପକ୍ଷରୁ ମଙ୍ଗଳବାର ଆୟୋଜିତ ହୋଇଥିଲା ‘ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ’ କାର୍ଯ୍ୟକ୍ରମ। ଏଥିରେ ଶ୍ରୀ ପଟ୍ଟନାୟକ ସଭାପତିତ୍ବ କରି କବିଙ୍କର ପ୍ରାତଃସ୍ମରଣୀୟ କାବ୍ୟ ‘ମାତୃଭୂମି ମାତୃଭାଷାରେ ମମତା...’ର ଉଦାହରଣ ଦେଇ କହିଥିଲେ, ସମସ୍ତେ ମିଶି ଓଡ଼ିଆ ଭାଷା ସାହିତ୍ୟକୁ ଆଗକୁ ନେଇପାରିଲେ ତାହା ହେବ ସ୍ୱଭାବ କବିଙ୍କ ପ୍ରତି ଉଚିତ ସମ୍ମାନ। କବିଙ୍କ ଜନ୍ମମାଟି ବରପାଲିଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଥିଲେ, ଅସ୍ମିତା ଶବ୍ଦ ଏବେ ସମସ୍ତ ଓଡ଼ିଆଙ୍କ ମୁହଁରେ ଅଛି। ‘ସମ୍ବାଦ’ ଗ୍ରୁପ୍‌ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଉଠାଇଥିବା ଅସ୍ମିତା ଶବ୍ଦ ୨୦୨୪ ନିର୍ବାଚନରେ ସରକାରକୁ ବଦଳାଇ ଦେଇଥିଲା। ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଅସ୍ମିତାର କଥା କହିଥିଲେ। ଆଉ ଓଡ଼ିଶାର ଭାଷା ସାହିତ୍ୟ ପାଇଁ ସ୍ୱଭାବ କବିଙ୍କ ଆରାଧନା ଚିରସ୍ମରଣୀୟ ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଡ.ଗୌରହରି ଦାସ କହିଥିଲେ, ସ୍ୱଭାବ କବି ଗଙ୍ଗାଧରଙ୍କ ବ୍ୟକ୍ତିତ୍ୱ ବେଶ୍‌ ନମ୍ର ଥିଲା। ଗଙ୍ଗାଧରଙ୍କ କୃତଜ୍ଞତାବୋଧ, ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ କରିବାର ଦୃଢ଼ ସଂକଳ୍ପ ଓ ଭାଷା ପ୍ରୀତି ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଏକ ପରିଚୟ ଦେଇଥିଲା। ଗଙ୍ଗାଧରଙ୍କୁ ଫକୀରମୋହନ ସେନାପତି, ରାଧାନାଥ ରାୟଙ୍କ ଭଳି ଅନେକ ପ୍ରତିଷ୍ଠିତ ସାହିତ୍ୟିକ, କବି ଉଚିତ ସମ୍ମାନ ଦେଇଥିଲେ। ଶ୍ରାବଣ ପୂର୍ଣ୍ଣିମାରେ ଜନ୍ମ ହୋଇଥିବା ଏହି ମହାନ ପ୍ରତିଭା ନିଜ ଜୀବନରେ ସାହିତ୍ୟ ଆରାଧନା ସାରି ଧରଣୀକୁ ଆଲୋକିତ କରିବା ପରେ ଚଇତ୍ର ଅମାବାସ୍ୟାରେ ବିଦାୟ ନେଇଥିଲେ। ଏଭଳି ଜଣେ ବିରଳ ବ୍ୟକ୍ତିତ୍ୱଙ୍କୁ ସତେ ଯେମିତି ପ୍ରକୃତି ହିଁ ପଠାଇଥିଲା। ଆଲୋକ ଓ ଅମୃତର କବି ଗଙ୍ଗାଧର ଦାରିଦ୍ର‌୍ୟ, ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରି ନିଜକୁ ଅଦ୍ବିତୀୟ ପ୍ରମାଣିତ କରିଥିଲେ।

ସମ୍ମାନିତ ଅତିଥି ସତ୍ୟବ୍ରତ ମିଶ୍ର ନିଜ ବକ୍ତବ୍ୟରେ ସ୍ୱଭାବ କବି ଗଙ୍ଗାଧରଙ୍କ ଜୀବନଚର୍ଯ୍ୟା ସଂପର୍କରେ ବକ୍ତବ୍ୟ ରଖିଥିଲେ। ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ଗଙ୍ଗାଧର ମେହେରଙ୍କ ରଚିତ କାବ୍ୟର ଉଦାହରଣ ଦେଇ ତାଙ୍କ କଲମ ଶବ୍ଦରୁ ନାରୀଶକ୍ତିର ଉପାଖ୍ୟାନ ରଖିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ‘ଜୁଗାର୍‌’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ‘ଆମ ଓଡ଼ିଶା’ ସଂପାଦକ ଅରବିନ୍ଦ ଦାସ ସ୍ୱାଗତ ବକ୍ତବ୍ୟ ଓ ଅତିଥି ପରିଚୟ ଦେଇଥିଲେ। ପ୍ରାରମ୍ଭରେ ଲିଟିଲ ଏଞ୍ଜେଲ୍‌ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ୱାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ଅବସରରେ ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କ୍ଷୁଦ୍ର ନାଟକ ‘ରାଖି ରହିବ ସାକ୍ଷୀ’ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ସଂପାଦନା ବିଭାଗ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା ପରିଚାଳନା କରିଥିବା ବେଳେ ‘ସମ୍ବାଦ’ ବରପାଲି ପ୍ରତିନିଧି ପଦ୍ମଲୋଚନ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe