୨୭ରୁ ଚାନ୍ଦିପୁରରେ ସିରିଜ୍‌ ପରୀକ୍ଷାମୂଳକ ଉଡ଼ାଣ

Advertisment

ଅସ୍ଥାୟୀ ଶିବିରରେ ରହିବେ ୭ ହଜାର ଲୋକ

ଅସ୍ଥାୟୀ ଶିବିରରେ ରହିବେ ୭ ହଜାର ଲୋକ

୨୭ରୁ ଚାନ୍ଦିପୁରରେ ସିରିଜ୍‌ ପରୀକ୍ଷାମୂଳକ ଉଡ଼ାଣ

ବାଲେଶ୍ବର: ଆସନ୍ତା ମାର୍ଚ୍ଚ ୨୭ରୁ ୩୦ ତାରିଖ ମଧ୍ୟରେ ଚାନ୍ଦିପୁର ଆଇଟିଆରରୁ ସିରିଜ୍ ପରୀକ୍ଷାମୂଳକ ଉଡ଼ାଣ(ଏକ୍ସପେରିମେଂଟାଲ ଫ୍ଲାଇଟ୍ ଟ୍ରାଏଲ) ହେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ପରୀକ୍ଷଣ  କେନ୍ଦ୍ର (ଏଲସି-୩)ର ଅଢ଼େଇ କିଲୋମିଟର ପରିଧି ମଧ୍ୟରେ ବସବାସ କରୁଥିବା ସ୍ଥାନୀୟ ଜନସାଧାରଣଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ଆଜି ପୂର୍ବାହ୍ନରେ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲା ପ୍ରଶାସନର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରୀକ୍ଷାମୂଳକ ଉଡ଼ାଣ ପାଇଁ ସ୍ଥାନୀୟ ଖଡ଼ୁପାହି, କୁସୁୁମୁଳି ପାହି, ଭୀମପୁର ପାହି, ତୁଣ୍ତରା ପାହି, ଜୟଦେବକସବା ପାହି ଏବଂ ସାହାଜାନଗର ପାହି ଗ୍ରାମର ପ୍ରାୟ ୭ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ଖଡୁପାହି ୟୁପି ସ୍କୁଲ, ତୁଣ୍ତରା ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଜୟଦେବ କସବାପାହି ବାତ୍ୟା ଆଶ୍ରୟସ୍ଥଳୀଠାରେ ଅସ୍ଥାୟୀ ଶିବିର କରାଯିବ।

ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ସଠିକ୍ ଭାବେ ଚିହ୍ନଟ ସହ ସେମାନଙ୍କୁ ମାଇକ୍ ପ୍ରଚାର ମାଧ୍ୟମରେ ସଚେତନ କରିବା ଏବଂ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ମତ୍ସ୍ୟ ବିଭାଗ ଉପନିେର୍ଦ୍ଦଶକଙ୍କୁ କୁହାଯାଇଥିଲା। ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ଲୋକଙ୍କୁ ପ୍ରାପ୍ୟ ଟଙ୍କା ଠିକ୍ ଭାବେ ପ୍ରଦାନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିେର୍ଦ୍ଦଶ ଦେଇଥିଲେ। ପ୍ରାପ୍ୟ ଟଙ୍କା ଗ୍ରହଣ ସମୟରେ ଲୋକମାନଙ୍କୁ ନିଜର ପରିଚୟ ପତ୍ର ଯଥା ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ଦେଖାଇବାକୁ ହେବ।

ଅସ୍ଥାୟୀ ଶିବିରକୁ ଆସୁଥିବା ଲୋକଙ୍କୁ ନିଜ ସାଙ୍ଗରେ ଜରୁରୀ ଔଷଧ ଏବଂ ଖାଦ୍ୟ ଆଣିବା ପାଇଁ ସଚେତନ କରାଯିବ। କେଉଁ ସମୟରେ ଲୋକମାନଙ୍କୁ ଅସ୍ଥାୟୀ ଶିବିରକୁ ଆସିବାକୁ ହେବ ଏବଂ କେତେ ସମୟ ସେଠାରେ ରହିବାକୁ ହେବ ସେ ନେଇ ସେମାନଙ୍କୁ ଆଗୁଆ ମାଇକ୍ ପ୍ରଚାର ମାଧ୍ୟମରେ ଜଣାଇଦିଆଯିବ। ଅସ୍ଥାୟୀ ଶିବିର ନିକଟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ବିଭାଗକୁ ଏବଂ ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ କୁହାଯାଇଥିଲା।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ବାବଧାନରେ ଅସ୍ଥାୟୀ ଶିବିର ନିକଟରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍ ମୁତୟନ କରାଯିବ। ଏହି ପରୀକ୍ଷାମୂଳକ ଉଡ଼ାଣ ଏକ ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କିତ ବିଷୟ ହୋଇଥିବାରୁ ଏହାକୁ ସର୍ବାଧିକ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଭବେଶ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ପିଡି-ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ଆଇଟିଆର ବରିଷ୍ଠ ବୈଜ୍ଞାନିକ ନୀଳାଦ୍ରି ରାୟ, ଆଇଏଏସ ପ୍ରୋବେସନର କୁନାଲ ଚୌହାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe