ଭଦ୍ରକ: ସ୍ବପ୍ନରେ ରହିଯାଇଛି ଜଳଯାତ୍ରା। ଏଯାଏ ଜେଟି ନିର୍ମାଣ ହେଲାନି। ଫଳରେ ୧୫ କୋଟି ଟଙ୍କାର ଜାହାଜ ଏବେ ମୁହାଣରେ ପଡ଼ି ନଷ୍ଟ ହେବାରେ ଲାଗିଛି। କେନ୍ଦ୍ର ଅନ୍ତର୍ଦେଶୀୟ ଜଳପଥ ବିଭାଗ ଏବଂ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ସହଭାଗିତାରେ ଭଦ୍ରକ ଜିଲ୍ଲା ଧାମରା କାଳନାଳୀ ମୁହାଣରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ମୁହାଣକୁ ଜଳଯାତ୍ରା ନେଇ ନିଷ୍ପତ୍ତି ହୋଇଥିଲା। ଏନେଇ କାଳନାଳୀ ଓ ତାଳଚୁଆଠାରେ ଦୁଇଟି ଜେଟି ନିର୍ମାଣ ପାଇଁ ୨୦୨୦ ମସିହାରେ କେନ୍ଦ୍ର ସରକାର ୫୦ କୋଟି ୩୦ ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାର ୬୦ କୋଟି ୩୦ ଲକ୍ଷ ଟଙ୍କା; ମୋଟ୍ ୧୧୦ କୋଟି ୬୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ। ସେହିପରି ଏକ ଜାହାଜ ମଧ୍ୟ ଆସିଥିଲା। ଜେଟି କାମ ପାଇଁ ଗତବର୍ଷ ଜୁଲାଇ ମାସରେ ଟେଣ୍ଡର ହୋଇଥିବା ବେଳେ ୧୮ ମାସ ଭିତରେ ସରିବା କଥା। ହେଲେ କାମ ଅଧାରେ ଅଟକି ରହିଛି। ଫଳରେ ୧୫ କୋଟି ଟଙ୍କାର ଜାହାଜ ଏବେ ବୈତରଣୀ ନଦୀ ମୁହାଣରେ ପଡ଼ିରହିଛି। ଲୁଣାପାଣି ଯୋଗୁଁ ଏହା କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଅପରପକ୍ଷେ, ଜାହାଜ କେବେ ଭାସିବ ଏବଂ ଲୋକେ ଜଳଯାତ୍ରାର ସୁବିଧା ପାଇବେ, ତାହା ବର୍ତ୍ତମାନ ସ୍ବପ୍ନ ପାଲଟିଛି।
ସ୍ବପ୍ନରେ ରହିଲା ଜଳଯାତ୍ରା: ମୁହାଣରେ ପଡ଼ିଛି ୧୫ କୋଟିର ଜାହାଜ
Advertisment
Follow Us