ଚୌଦ୍ବାର ଜେଲ୍‌ରେ ଅଭାବନୀୟ ଘଟଣା: ଜେଲ୍‌ ପାଚେରି ଡେଇଁ କଏଦୀ ଛୁ

ଚୌଦ୍ବାରସ୍ଥିତ ରାଜ୍ୟର ସର୍ବବୃହତ୍ ମଣ୍ତଳ କାରାଗାରରୁ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ପାଚେରି ଡେଇଁ ଚମ୍ପଟ ମାରିଛନ୍ତି। ଗତକାଲି ଦଶହରାର ସୁଯୋଗ ନେଇ ସେମା‌ନେ ଚାଞ୍ଚଲ୍ୟକର ଢଙ୍ଗରେ ଏଭଳି କାଣ୍ଡ କରିଛନ୍ତି।

dgdadagdgzccv

ଚୌଦ୍ବାର: ଚୌଦ୍ବାରସ୍ଥିତ ରାଜ୍ୟର ସର୍ବବୃହତ୍ ମଣ୍ତଳ କାରାଗାରରୁ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ପାଚେରି ଡେଇଁ ଚମ୍ପଟ ମାରିଛନ୍ତି। ଗତକାଲି ଦଶହରାର ସୁଯୋଗ ନେଇ ସେମା‌ନେ ଚାଞ୍ଚଲ୍ୟକର ଢଙ୍ଗରେ ଏଭଳି କାଣ୍ଡ କରିଛନ୍ତି। ୨୦୨୫, ଜାନୁଆରି ୪ ତାରିଖରେ ଯାଜପୁର ଜିଲ୍ଲା ପାଣିକୋଇଲିରେ ଥିବା ପଣ୍ତା ଅଳଙ୍କାର ଲୁଟ୍ ଓ ୨ଜଣଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା ଘଟଣାରେ ଗିରଫ ହୋଇଥିଲେ ଏହି ଦୁଇ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର। ସେମାନେ ଯାଜପୁର ରଗଡ଼ି ଜେଲ୍‌ରେ ଥିଲା ବେଳେ ଅଧିକ ସୁରକ୍ଷା ଦୃଷ୍ଟିରୁ ୮ ମାସ ତଳେ ତାଙ୍କୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଚୌଦ୍ବାର ଜେଲର ଦୁଇଟି ସ୍ବତନ୍ତ୍ର ସେଲ୍‌ରେ ସେମାନଙ୍କୁ ରଖାଯାଇଥିଲା। ୩ ମାସ ତଳେ ଏହି ଦୁଇଜଣ ଜେଲରୁ ଖସିଯିବା ପାଇଁ ଯୋଜନା କରୁଥିବା ବେଳେ ପାଖରେ ରଖିଥିବା ଏକ ଆରି ପାତକୁ ଜେଲ୍‌ କର୍ତ୍ତୃପକ୍ଷ ଜବତ କରିଥିଲେ। ଗତକାଲି ଜେଲ ପରିସରରେ ଦଶହରା ପୂଜାକୁ ନେଇ ପାର୍ବଣ ଉତ୍ସବ ଜମିଥିବା ବେଳେ ଦୁଇଜଣଯାକ ଦୁଇଟି ସେଲ୍‌ର ଲୁହା ରଡ୍‌କୁ କାଟି ପାଚେରି ପାଖକୁ ଯାଇଥିଲେ। ଜେଲ୍‌ରୁ ମିଳିଥିବା କମ୍ବଳ, ବେଡସିଟ୍ ଓ ନିଜର ପିନ୍ଧା ପ୍ୟାଣ୍ଟ୍ ସାହାଯ୍ୟରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଦଉଡ଼ିରେ ଏକ କାଠଫାଳିଆ ସାହାଯ୍ୟରେ ପାଚେରି ଡେଇଁ ପଳାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ସେଲ୍‌ର ଲୁହାରଡ୍‌ କାଟିବା ସମୟ ସାପେକ୍ଷ ହୋଇଥିବା ବେଳେ ସେ ଶବ୍ଦ ବି କେମିତି କେହି ଜାଣି ପାରିଲେନି, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ଲୁଟ୍‌, ହତ୍ୟା ଅପରାଧରେ ସଂପୃକ୍ତ ଥିଲେ ଦୁଇ ବିହାରୀ ଦୁର୍ବୃତ୍ତ
କମ୍ବଳ, ବେଡସିଟ୍ ଓ ଜିନ୍‌ସ ପ୍ୟାଣ୍ଟରେ ତିଆରି କରିଥିଲେ ଦଉଡ଼ି
ଫେରାର କ‌ଏଦୀଙ୍କ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର
ଡିଆଇଜିଙ୍କ ନେତୃତ୍ବରେ ତଦନ୍ତ; ୨ ଜେଲ୍‌ କର୍ମଚାରୀ ନିଲମ୍ବିତ

 ଆଜି ଜେଲ ଡିଜି ସୁଶାନ୍ତ କୁମାର ନାଥ, କଟକ ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓ, ଚୌଦ୍ବାର ଥାନା ଭାରପ୍ରାପ୍ତ ଅଧିକାରୀ ଦୀପକ କୁମାର ଖଣ୍ତାୟତରାୟ ଜେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। କଟକରୁ ସନ୍ଧାନୀ ପୁଲିସ କୁକୁରକୁ ଅଣାଯାଇ ଜେଲ ପରିସର ଏବଂ ଏହାର ଚାରିପଟେ ଛାନ୍‌ଭିନ୍‌ କରାଯାଇଥିଲା। ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଚୌଦ୍ବାର ଥାନାରେ (କେସ୍‌ ନମ୍ବର ୫୯୪/୨୫) ଏକ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଜେଲ ଡିଜିଙ୍କ ନିର୍ଦ୍ଦେଶରେ ରାତିରେ ଡ୍ୟୁଟିରେ ଥିବା ୱାର୍ଡର ସିଦ୍ଧାନ୍ତ ସାହୁ ଓ ଚିଫ୍ ୱାର୍ଡର ଭଗତ ରାମ୍‌ଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ ଭାର ଜେଲ୍‌ ଡିଆଇଜି ଅନୁସୂୟା ଜେନାଙ୍କୁ ପ୍ରଦାନ କରାଯାଇଛି। ତଦନ୍ତରେ ଯଦି କୌଣସି ବରିଷ୍ଠ ଅଧିକାରୀ କିମ୍ବା ଅନ୍ୟ କାହାର ସମ୍ପୃକ୍ତି ଥାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ୍‌ ଡିଜି ଶ୍ରୀ ନାଥ ପ୍ରକାଶ କରିଛନ୍ତି। 

ଫେରାର କ‌ଏଦୀଙ୍କ ସଂପର୍କରେ କେହି ସୂଚନା ଦେଲେ କମିସନରେଟ୍ ପୁଲିସ ତରଫରୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ମଧ୍ୟ ପୁଲିସ ଏକ ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ପୁଲିସ ପକ୍ଷରୁ ଦୁଇଟି ଯୋଗାଯୋଗ ନମ୍ବର ୯୪୩୭୧୪୮୧୬୮, ୯୩୩୮୦୨୫୧୧୯ ଜାରି କରାଯାଇଛି। ପୂର୍ବରୁ ଚୌଦ୍ବାର ଜେଲ୍‌ରେ ଏକାଧିକ ‌କଏଦୀ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ ବି ଧରା ପଡ଼ିଯାଇଥିଲେ। ବାତ୍ୟା ସମୟରେ ଏକ ଗଛ ଉପୁଡ଼ି ପଡ଼ି ପାଚେରିରେ ଲାଗିଥିବା ବେଳେ ଜଣେ କଏଦୀ ସେହି ବାଟ ଦେଇ ଜେଲରୁ ଚମ୍ପଟ ମାରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ପୂର୍ବରୁ ଦୁଇ ତିନିଥର କଏଦୀ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। କିନ୍ତୁ ଦୁଇ ଜଣ କଏଦୀ ସେଲ୍‌ର ଲୁହାରଡ୍‌କୁ କାଟି ଦୁଇଟି ପାଚେରିକୁ ଫିଲ୍ମ ଷ୍ଟାଇଲରେ ଡେଇଁ ଫେରାର ହେବା ଘଟଣା ଏବେ ଉଦ୍‌ବେଗର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe