ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା, ୧୦୪୬ ଜଣ ଶ୍ରମିକଙ୍କୁ ନେଇ କାନ୍‌ପୁର ଗଲା ସ୍ବତନ୍ତ୍ର ଟ୍ରେନ୍‌

Advertisment
ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା, ୧୦୪୬ ଜଣ ଶ୍ରମିକଙ୍କୁ ନେଇ କାନ୍‌ପୁର ଗଲା ସ୍ବତନ୍ତ୍ର ଟ୍ରେନ୍‌

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ୧୮ଟି ଜିଲ୍ଲାରେ ଫସି ରହିଥିବା ୧୦୪୬ ଜଣ ଶ୍ରମିକଙ୍କୁ ନେଇ ଗୁରୁବାର ସମ୍ବଲପୁରରୁ ପ୍ରଥମ ସ୍ବତନ୍ତ୍ର ଟ୍ରେନ୍‌ କାନ୍‌ପୁର ଅଭିମୁଖେ ବାହାରିଛି। ଶୁକ୍ରବାର ସକାଳ ୯ଟା ୩୦ ମିନିଟ୍‌ରେ ଟ୍ରେନ୍‌ଟି କାନ୍‌ପୁରରେ ପହଞ୍ଚିବା ନେଇ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ଜିଲ୍ଲାରୁ ଶ୍ରମିକଙ୍କୁ ନେଇ ୪୦ଟି ବସ୍‌ ଓ ୨୦ଟି ଛୋଟ ବଡ଼ ଗାଡ଼ି ବୁର୍ଲାସ୍ଥିତ ଭିସୁଟ୍‌ ପୁଲହ ଛାତ୍ରାବାସରେ ପହଞ୍ଚିଥିଲା। ତେବେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ବିଳମ୍ବ ହୋଇଥିଲା। ଅପରାହ୍ନ ୪ଟା ପରିବର୍ତ୍ତେ ୫ଟା ୫୮ ମିନିଟ୍‌ରେ ଶ୍ରମିକଙ୍କୁ ନେଇ କ୍ଷେତରାଜପୁର ‌ରେଳଷ୍ଟେସନ ପରିସରରୁ ସ୍ବତନ୍ତ୍ର ଟ୍ରେନ୍‌ ବାହାରିଥିଲା। ବୁଧବାର ସକାଳୁ ‌ଛାତ୍ରାବାସରେ ଉକ୍ତ ଶ୍ରମିକଙ୍କୁ ସ୍ବାଗତ କରାଯିବା ସହ ସେମାନଙ୍କର ଖାଦ୍ୟପାନୀୟ ସହିତ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଗୁରୁବାର ମଧ୍ୟାହ୍ଣ ଭୋଜନ ପରେ ବସ୍‌ଗୁଡ଼ିକ ଶ୍ରମିକଙ୍କୁ ନେଇ କ୍ଷେତରାଜପୁର ଷ୍ଟେସନ ଅଭିମୁଖେ ବାହାରିଥିଲା। ପ୍ରତି ପର୍ଯ୍ୟାୟ‌ରେ ୩ଟି କରି ବସ୍‌ ରେଳଷ୍ଟେସନ ଅଭିମୁଖେ ଆସିଥିଲା। ଏହି ବସ୍‌ଗୁଡ଼ିକୁ ପିସିଆର୍‌ ଏସକର୍ଟ କରି ପିସି ବ୍ରିଜ ଛକ, ଦୁର୍ଗାପାଲି ଛକ, ମନ୍ଦଲିଆ ଛକ ଦେଇ କ୍ଷେତରାଜପୁର ରେଳ ଷ୍ଟେସନରେ ଛାଡ଼ିବା ପରେ ସେହି ବାଟରେ ହିଁ ଜାତୀୟ ରାଜପଥକୁ ବାହାରି ପିଏଚ୍‌ଡି ପଡ଼ିଆରେ ଯାଇରହିଥିଲା। ବସ୍‌ରୁ ଓହ୍ଲାଇବା ପରେ ଶ୍ରମିକଙ୍କୁ ପ୍ରଥମେ ସାନିଟା‌ଇଜ୍‌ କରାଯାଇ ପୂର୍ବରୁ ପ୍ରସ୍ତୁତ ୧୦ଟି ସ୍କ୍ରିନିଂ ମେସିନ୍‌ ଯୋଗେ ସ୍କ୍ରିନିଂ କରାଯାଇଥିଲା। ସ୍କ୍ରିନିଂ ପରେ ହସ୍ତ ବିଶୋଧନ କରାଯାଇ ଶ୍ରମିକମାନେ ଟିକେଟ କାଉଣ୍ଟରକୁ ଯାଇ ଟିକେଟ ନେବାପରେ ପ୍ଲାଟଫର୍ମରେ ପୂର୍ବରୁ ଦିଆଯାଇଥିବା ମୁଣ୍ଡଳିରେ ଛିଡ଼ା ହୋଇଥିଲେ। ଏହାପରେ ଶ୍ରମିକଙ୍କୁ ରାତି ପାଇଁ ଖାଦ୍ୟ ପ୍ୟାକେଟ, ପାଣି ବୋତଲ ଦିଆଯିବା ପରେ ସେମାନେ ସାମାଜିକ ଦୂରତା ରଖି ଟ୍ରେନ୍‌ ଭିତରକୁ ଚଢ଼ିଥି‌ଲେ।

ଉତ୍ତରାଞ୍ଚଳ ରାଜସ୍ବ କମିସନର ନିରଞ୍ଜନ ସାହୁ, ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା, ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂହ, ସମ୍ବଲପୁର ରେଳ ମଣ୍ଡଳ ଡିଆର୍‌ଏମ୍‌ ପ୍ରଦୀପ କୁମାର ସବୁଜ ପତାକା ଦେଖାଇବା ପରେ ‌ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା। ସ୍ବତନ୍ତ୍ର ଟ୍ରେନ୍‌ରେ ୧୫ଟି ସାଧାରଣ କୋଚ୍‌, ୭ ଟି ସାଧାରଣ କୋଚ୍‌ରେ ପରିବର୍ତ୍ତିତ ସ୍ଲିପର୍‌ କୋଚ୍‌, ୨ଟି ଏସ୍‌ଏଲ୍‌ଆର୍‌ ବଗି ରହିଛି। ତେବେ ଶୁକ୍ରବାର ସକାଳ ୯ଟା ୩୦ ମିନିଟ୍‌ରେ ଟ୍ରେନ୍‌ଟି କାନ୍‌ପୁରରେ ପହଞ୍ଚିବା ନେଇ ଲକ୍ଷ୍ୟ ରଖାଯାଇଛି। ସେପଟେ, ଟ୍ରେନ୍‌ ଛାଡ଼ିବା ପରେ ସମଗ୍ର ରେଳ ଷ୍ଟେସନ ପରିସର‌, କ୍ଷେତରାଜପୁର ରେଳ ଷ୍ଟେସନ ରାସ୍ତାରୁ ବୁର୍ଲା ଭିସୁଟ୍‌ ଯାଏ ରାସ୍ତାକୁ ସାନିଟାଇଜ୍‌ କରାଯାଇଥିଲା। ଶ୍ରମିକଙ୍କୁ ଛାଡ଼ି ଆସିଥିବା ବସ୍‌ଗୁଡ଼ିକୁ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ସାନିଟାଇଜ୍‌ କରାଯିବା ପରେ ବସ୍‌ଗୁଡ଼ିକ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲେ। ଏହି ବସ୍‌ଗୁଡ଼ିକର ଯାତାୟାତକୁ ଦୃଷ୍ଟିରେ ରଖି ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏ ରେଳ ଷ୍ଟେସନର ୨୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅର୍ଥାତ୍‌ ଅଗ୍ରସେନ୍‌ ଛକଠାରୁ ଚେରୁଆପଡ଼ା ଛକ ଯାଏ ୧୪୪ ଧାରା ଜାରି କରାଯାଇଥିଲା। ଏହି ସମୟରେ ଏକସାଙ୍ଗରେ ୩ରୁ ଅଧିକ ଲୋକଙ୍କ ଉପସ୍ଥିତି ଉପରେ କଟକଣା ଜାରି କରାଯାଇଥିଲା। ଜିଲ୍ଲା ପୁଲିସ୍‌ ପକ୍ଷରୁ ୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସକୁ ମୁତୟନ କରାଯାଇଥିବା ସମୟରେ ରେଳଷ୍ଟେସନ ପରିସରରେ ଜିଆର୍‌ପି ଓ ଆର୍‌ପିଏଫଙ୍କୁ ମୁଖ୍ୟ ସୁରକ୍ଷା ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏହାବାଦ୍‌ ସହରର ୬ ଥାନା ହୀରାକୁଦ, ବୁର୍ଲା, କ୍ଷେତରାଜପୁର, ଅଇଁଠାପାଲି, ଧନୁପାଲି, ଟାଉନ୍‌ ଥାନାର ସମସ୍ତ କର୍ମଚାରୀଙ୍କୁ ନିଜ ନିଜ ଅଞ୍ଚଳରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ଏହି ସମସ୍ତ ଥାନାର ଆଇଆଇସିମାନେ ଶ୍ରମିକଙ୍କ ବସ୍‌ର ଗତିବିଧି ଉପରେ ନଜର ରଖିଥିଲେ। ଟିକେଟକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅଶାନ୍ତି ରେଳଷ୍ଟେସନ ପରିସରରେ ପହଞ୍ଚିବା ପରେ ଶ୍ରମିକଙ୍କୁ ସ୍ବାଗତ କରାଯାଇ ଟିକେଟ କାଉଣ୍ଟରକୁ ନିଜ ନିଜ ଟିକେଟ ନେବାକୁ କୁହାଯାଇଥିଲା। ପ୍ରତି ଟିକେଟ ପିଛା ୫୨୫ ଟଙ୍କା ଧାର୍ଯ୍ୟ କରାଯାଇଥିବା ସମୟରେ ଶ୍ରମିକଙ୍କୁ ଟିକେଟ ନେବା ବାଧ୍ୟତାମୂଳକ କରାଯାଇଥିଲା। ନିଜ ଖର୍ଚ୍ଚରେ ବସ୍‌ ଭଡ଼ା ଦେଇ ଆସିଥିବା କିଛି ଯାତ୍ରୀଙ୍କୁ ପୂର୍ବରୁ ମାଗଣା ଟ୍ରେନ୍‌ ସେବା ମିଳିବ ବୋଲି କୁହାଯାଇଥିବା ନେଇ କିଛି ଶ୍ରମିକ କହିଥିଲେ। ମାତ୍ର , ଶ୍ରମିକଙ୍କୁ ବାଧ୍ୟ କରାଯିବା ପରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା‌ଦେଇଥିଲା।

ମିଳିଥିବା ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲାରୁ ୧୧ ଜଣ ଶ୍ରମିକ ଯାଇଥିବାବେଳେ ନୟାଗଡ଼ରୁ ୬୩, ମାଲକାନଗିରିରୁ ୩୮, କନ୍ଧମାଳରୁ ୧୨, ବରଗଡ଼ରୁ ୮୭, କେନ୍ଦୁଝରରୁ ୧୦୫, କୋରାପୁଟରୁ ୫୩, ବଲାଙ୍ଗୀରରୁ ୪୨, ଝାରସୁଗୁଡ଼ାରୁ ୮୫, ସୁବର୍ଣ୍ଣପୁରରୁ ୮, ବୌଦ୍ଧରୁ ୮, ନବରଙ୍ଗପୁରରୁ ୩୧, ମୟୂରଭଞ୍ଜରୁ ୧୪, ସମ୍ବଲପୁରରୁ ୧୭୭, ଅନୁଗୁଳରୁ ୮୪, ସୁନ୍ଦରଗଡ଼ରୁ ୧୦୩ ଓ କଳାହାଣ୍ଡିରୁୁ ୧୩୬ ଜଣ ଶ୍ରମିକ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe