ସେବା ଓ ତ୍ୟାଗର ମୂର୍ତ୍ତି

Advertisment

ଅନାଦି ଜଗନ୍ନାଥ ଦାସଙ୍କ ଦ୍ବାଦଶାହ ଉପଲକ୍ଷେ

ଅନାଦି ଜଗନ୍ନାଥ ଦାସଙ୍କ ଦ୍ବାଦଶାହ ଉପଲକ୍ଷେ

ସେବା ଓ ତ୍ୟାଗର ମୂର୍ତ୍ତି

ସେ ଥିଲେ ଆଧ୍ୟାତ୍ମିକ ସେବା ଓ ତ୍ୟାଗର ମୂର୍ତ୍ତ ବିଗ୍ରହ। ରାତିରାତି ଉଜାଗର ରହି ରୋଗୀଙ୍କ ସେବା କରି ଆନନ୍ଦ ପାଉଥିବା ଏବଂ ବିପଦ-ଆପଦରେ ସ୍ଥିର ଓ ଅବିଚଳିତ ରହୁଥିବା ଜଣେ ସନ୍ନ୍ୟାସୀ। ସେ ହେଉଛନ୍ତି ବାଙ୍ଗାଲୋରର ଗୀତା ପ୍ରବଚକ ତଥା ଇସ୍କନର ଭକ୍ତ ଅନାଦି ଜଗନ୍ନାଥ ଦାସ (ପୂର୍ବାଶ୍ରମର ନାମ: ଅମରନାଥ ସିଂହ)। ୪୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୁଏ ବାଙ୍ଗାଲୋରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ, ଜୁଲାଇ ୩୧ ତାରିଖ ରାତି ୧୦ଟାରେ।

ସେ ଅତି ଛୋଟବେଳୁ ଆଧ୍ୟାତ୍ମିକ ଚେତନାରେ ସମୃଦ୍ଧ ହୋଇ ନିଜ ପିତାଙ୍କ ସହ ସର୍ବୋଦୟ ସେବାରେ ସମର୍ପିତ ହୋଇଥିଲେ। କାଲିକଟ ଏନ୍‌ଆଇଟିରୁ ଇଂଜିନିୟରିଂ ଡିଗ୍ରୀ ଶେଷକରି ବାଙ୍ଗାଲୋରର ଏକ ପ୍ରତିଷ୍ଠିତ ଆଇଟି କମ୍ପାନିରେ ଯୋଗଦାନ କଲା ପରେ ୨୦୦୦ ମସିହାରେ ସେ ଇସ୍କନ୍‌ଭକ୍ତ ଭାବେ ନିଜକୁ ସମର୍ପିତ କରି ଦେଇଥିଲେ। ସେ କୃଷ୍ଣଚେତନାରେ ନିମଜ୍ଜିତ ହୋଇ ଗୀତାଜ୍ଞାନ ଉପରେ ଚମତ୍କାର ପ୍ରବଚନ ଦେଇ ମୁଗ୍‌ଧ କରୁଥିଲେ ସମସ୍ତଙ୍କୁ। କାଲିକଟରେ ଇଂଜିନିୟରିଂ ପଢ଼ୁଥିବାବେଳେ ସେ ଭକ୍ତିବିନୋଦ ସ୍ୱାମୀ ମହାରାଜଙ୍କ ସଂସ୍ପର୍ଶରେ ଆସି ଇସ୍କନ୍ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ବାଙ୍ଗାଲୋରର ମାଦ୍ରୀପୁରମ୍‌ରେ ସେ ଏକ ଇସ୍କନ୍‌ ମନ୍ଦିର ନିର୍ମାଣ କରି ଶ୍ରୀଚୈତନ୍ୟ ଭାବର ପ୍ରଚାରରେ ଲାଗିପଡ଼ିଥିଲେ। ନିଜର ସମସ୍ତ ଦରମା ସେ ରୋଗୀସେବାରେ ଓ ପରୋପକାରରେ ବିନିଯୋଗ କରୁଥିଲେ। ଏଭଳି ଜଣେ ଆଧ୍ୟାତ୍ମିକ ଯୋଗୀଙ୍କ ବିୟୋଗ ସମସ୍ତଙ୍କୁ ସ୍ତମ୍ଭିତ କରିଛି। ଆମେରିକା, ପଶ୍ଚିମବଙ୍ଗର ମାୟାପୁରୀ, ମାଲେସିଆ ଓ ବାଙ୍ଗାଲୋରରେ ଥିବା ତାଙ୍କର ହଜାରହଜାର ପ୍ରଶଂସକ ସ୍ମୃତିସଭାଠାରୁ ଆରମ୍ଭ କରି ୧୧ ଦିନ ଧରି ଗୀତାଜ୍ଞାନ ଯଜ୍ଞ, ସଂକୀର୍ତ୍ତନ ଆଦିର ଆୟୋଜନ କରିବା ସହ ଇସ୍କନ ପକ୍ଷରୁ ତାଙ୍କର ପୂର୍ବରୁ ରେକର୍ଡ ହୋଇଥିବା ପ୍ରବଚନ ଶୁଣିବାର ବ୍ୟବସ୍ଥା କରାଯାଇଛି। ଏହି ପ୍ରଜ୍ଞାବାନ୍ ପ୍ରବଚକ ଥିଲେ ମୋର ଅନୁଜପ୍ରତିମ ପ୍ରିୟମଣିଷ।

-ନିରାକାର ଦାସ
ରେଳକୁଞ୍ଜ, ଚନ୍ଦ୍ରଶେଖରପୁର, ମୋ: ୮୪୫୫୮୮୫୦୧୩

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe