ବଡ଼ଦେଉଳରୁ ପୁଣି ଖସିଲା ପଥର

ଦକ୍ଷିଣ ପାର୍ଶ୍ୱରେ ସାମୁଦ୍ରିକ ପବନ ଦୁର୍ବଳ କରୁଛି: ଏଏସ୍‌ଆଇ

ମେ ୧୦ରେ ଅକ୍ଷୟ ତୃତୀୟା: ଜୁଲାଇ ୧୭ରେ ରଥ ଉପରେ ସୁନାବେଶ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜି ପୁଣିଥରେ ପଥର ଖସିଛି। ଶ୍ରୀମନ୍ଦିର ମୁଖ୍ୟ ମନ୍ଦିରକୁ ଲାଗି ପଶ୍ଚିମ-ଦକ୍ଷିଣ ପାର୍ଶ୍ବରେ ଥିବା ବରାହ ମନ୍ଦିରରୁ ଏହି ପଥର ଖସିଛି। ପଥର ଖସିବା ଫଳରେ କାହାରି କିଛି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ତଳେ ଥିବା ଏକାଦଶୀ ମନ୍ଦିର ଟିଣ ଆଜବେଷ୍ଟସ୍‌ କ୍ଷତିଗ୍ରସ୍ତ ହୋଇଛି। ପଥରଟିର ଲମ୍ବ ପ୍ରାୟ ୧୫ ଇଞ୍ଚ ଓ ଓସାର ପ୍ରାୟ ୫ ଇଞ୍ଚ ବୋଲି କୁହାଯାଉଛି। ଓଜନ ପ୍ରାୟ ୩ରୁ ୪ କେଜି। ଏହି ଘଟଣା ପରେ ଏଏସ୍ଆଇର ଏକ ଟିମ୍‌ ଘଟଣାର ଅନୁଧ୍ୟାନ କରିଛନ୍ତି।

ଆଜି ସକାଳେ ଏହି ପଥରଟି ଖସି ଏକାଦଶୀ ମନ୍ଦିର ପାଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେବାୟତମାନେ ଏହି ପଥର ପାଇ ଶ୍ରୀମନ୍ଦିର ଗାରଦରେ ଦାଖଲ କରିଥିଲେ। ଘଟଣା ପ୍ରଘଟ ହେବା ପରେ ଏଏସ୍ଆଇ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡ. ଡିବି ଗଡ଼ନାୟକ ଓ ଅନ୍ୟ ଅଧିକାରୀମାନେ ଶ୍ରୀମନ୍ଦିର ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡ. ଗଡ଼ନାୟକ ଗଣମାଧ୍ୟମକୁ କହିଛନ୍ତି, ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ସାମୁଦ୍ରିକ ପବନ ବେଶି ମାଡ଼ ହେଉଥିବାରୁ ପଥର ଦୁର୍ବଳ ହେଉଛି। ମନ୍ଦିରର ପ୍ରମୁଖ ସ୍ଥାନରୁ ଏହି ପଥର ଖସିନାହିଁ। ବରଂ ଖଞ୍ଜାଯାଇଥିବା ଛୋଟ ପଥର କାଳକ୍ରମେ ଦୁର୍ବଳ ହୋଇ ଖସିଛି। ମୁଖ୍ୟ ମନ୍ଦିର ପ୍ରତି କିଛି ବିପଦ ନାହିଁ। ଏହି ସ୍ଥାନର ପଥର ପରିବର୍ତ୍ତନ କରାଯିବ। ପୂର୍ବରୁ ଏହି ଜାଗାର ମରାମତି କରାଯାଇଥିଲା। ଫାଙ୍କା ଜାଗାରେ ନୂଆ ପଥର ଦିଆଯାଇଥିଲା। ମାଙ୍କଡ଼ ଚଢ଼ିବା ଫଳରେ ଏହି ପଥର ଖସି ପଡ଼ିଥିବା ପ୍ରତ୍ନତତ୍ତ୍ବ ବିଭାଗ ଅନୁମାନ କରୁଛି। ଅପରପକ୍ଷେ ଶ୍ରୀମନ୍ଦିର ସେବାୟତ ଓ ଭକ୍ତମାନେ ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୂଚନାଯୋଗ୍ୟ ଯେ ୧୯୯୨ ମସିହାରେ ଏକ ବଡ଼ ପଥର ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବରୁ ଖସି ପଡ଼ିଥିଲା। ଯାହା ଏବେ ବି ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ବାହାର ବେଢ଼ାରେ ରହିଛି। ଶେଷ ଥର ୨୦୨୨ ମସିହା ଅକ୍ଟୋବର ୨୮ ତାରିଖରେ ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବରୁ ବି ଏକ ପଥର ଖସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe