ଯାଜପୁର/ରଗଡ଼ି : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ର ରଗଡ଼ିସ୍ଥିତ ସରକାରୀ ପଲିଟେକ୍ନିକ କଲେଜର ଡିପ୍ଲୋମା ଶେଷବର୍ଷ (ବିଦ୍ୟୁତ୍ ବିଭାଗ) ଛାତ୍ରୀ ରୋଜାଲିନ ପାତ୍ରଙ୍କ ମୃତଦେହକୁ ପୁଲିସ ମଙ୍ଗଳବାର ଦିନ ଛାତ୍ରୀନିବାସରୁ ଜବତ କରିଛି।
ଛାତ୍ରୀନିବାସର ୩ନମ୍ବର କୋଠରିରେ ପଙ୍ଖାରେ ଓହଳି ସେ ଆତ୍ମହତ୍ୟା କରିଥିବା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସକୁ କହିଛନ୍ତି। ତେବେ, ରୋଜାଲିନଙ୍କୁ ତାଙ୍କ ସହପାଠୀ ବିଭୁଦତ୍ତ ସାହୁ, ଅର୍ପିତା ଦଳାଇ ଓ ପିଙ୍କି ହତ୍ୟା କରିଥିବା ତାଙ୍କ ବାପା ଅମୂଲ୍ୟ ପାତ୍ର ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ରୋଜାଲିନ୍ଙ୍କୁ ସମ୍ପୃକ୍ତ ସହପାଠୀମାନେ ବର୍ଷେ ହେଲା ହଇରାଣ କରିବା ସହିତ ଅଶ୍ଳୀଳ ଭାଷାରେ ମୋବାଇଲ୍ ବାର୍ତ୍ତା ପଠାଇ ମାନସିକ ନିର୍ଯାତନା ଦେଉଥିଲେ। ବିଭୁଦତ୍ତ ଗତକାଲି ରୋଜାଲିନଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ। କିଛି ଛାତ୍ରଛାତ୍ରୀ ଦେଖି ବିଭୁଦତ୍ତଙ୍କୁ ବାରଣ କରିବାରୁ ଘଟଣା ଚପି ଯାଇଥିଲା। ଗତକାଲି ଏ ସଂପର୍କରେ ରୋଜାଲିନ ଫୋନ୍ କରି ଜଣାଇବା ସହ ଘରକୁ ଚାଲିଯିବାକୁ କହିଥିଲେ। ସହପାଠୀଙ୍କ ନିର୍ଯାତନା ସଂପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା ବୋଲି ରୋଜାଲିନ୍ଙ୍କ ବାପା କହିଛନ୍ତି।
କୋରେଇ ଥାନାଧିକାରିଣୀ ସଂଘମିତ୍ରା ନାୟକ କହିଛନ୍ତି, ମୃତ ରୋଜାଲିନଙ୍କ ବାପା ଅମୂଲ୍ୟ ପାତ୍ରଙ୍କ ଏତଲା ଅନୁଯାୟୀ କେସ ନମ୍ବର ୮୦ରେ ଦଫା ୩୦୨,୫୦୭,୯୪ ଆଇପିସରେ ମାମଲା ରୁଜୁ ହୋଇଛି।
Follow Us