ଶିକ୍ଷୟିତ୍ରୀଙ୍କ ସୃଜନ ନିଶା: ଅଦରକାରୀ ଦ୍ରବ୍ୟରୁ ତିଆରି କରୁଛନ୍ତି ଆକର୍ଷଣୀୟ ସାମଗ୍ରୀ

ଶିକ୍ଷୟିତ୍ରୀଙ୍କ ସୃଜନ ନିଶା: ଅଦରକାରୀ ଦ୍ରବ୍ୟରୁ ତିଆରି କରୁଛନ୍ତି ଆକର୍ଷଣୀୟ ସାମଗ୍ରୀ

ଜଗତସିଂହପୁର: ବୃତ୍ତିରେ ଶିକ୍ଷୟିତ୍ରୀ। ନିଶା ଭିନ୍ନ। ଦୈନଦିନ ଜୀବନରେ ନିଜର କାମ ଶେଷ ପରେ ଯାହାକୁ ସମସ୍ତେ ଫୋପାଡ଼ି ଦିଅନ୍ତି, ତାକୁ ହିଁ ବ୍ୟବହାର କରି ସେ ଏହାକୁ ଏକ ନୂଆ ଏକ ରୂପ ଦିଅନ୍ତି। ତାଙ୍କ ହାତସ୍ପର୍ଶରେ ସତେ ଯେମିତି ଏହି ଅଦରକାରୀ ଜିନିଷ ଜୀବନ୍ତ ହୋଇଉଠୁଛନ୍ତି। ଶାରଦୀୟ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି କଲମ କାଳିରେ ସେ ପ୍ରସ୍ତୁତ କରିଛନ୍ତି ମାଙ୍କର ଛବି। ଯାହା ବେଶ୍ ଆକର୍ଷଣୀୟ ହୋଇଛି। ଜଗତସିଂହପୁର ବ୍ଲକ୍ ଯଶୋବନ୍ତପୁର ଗାଁର ସୁକାନ୍ତ କୁମାର ଦାଶଙ୍କ ଝିଅ ସ୍ନିଗ୍ଧା ସ୍ବୟଂପ୍ରଭା ବିରିଡ଼ି ବ୍ଲକ୍ ବିଶ୍ବନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ। ସ୍କୁଲରୁ ଫେରି ସନ୍ଧ୍ୟାରେ ଯେତିକି ସମୟ ମିଳେ ‌ସେ ଏହି କାର୍ଯ୍ୟ କରନ୍ତି। ପିଲାଦିନୁ ହସ୍ତକଳା ପ୍ରତି ତାଙ୍କର ରୁଚି ରହିଛି। ମାତ୍ର ସମୟ ଅଭାବ ଯୋଗୁଁ ସେ ଏହାକୁ ଚାଲୁ ରଖିପାରିନଥିବା ବେଳେ ଗତ ଦୁଇ ବର୍ଷ ହେଲା ସେ ଏଥିପତ୍ରି ସ୍ବତନ୍ତ୍ର ଭାବେ ଧ୍ୟାନ ଦେଇ କାର୍ଯ୍ୟ କରୁଛନ୍ତି।

ଅଦରକାରୀ ପ୍ଲାଷ୍ଟିକ୍ ବୋତଲ, ଗ୍ଲାସ୍, ଦିଆସିଲି କାଠି, ଔଷଧ ଖୋଳ, ଚିରା ଲୁଗା, ବିଭିନ୍ନ ଫଳ ଓ ଫୁଲ ଗଛକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ତିଆରି କରିଛନ୍ତି। ଅଦରକାରୀ ଜିନିଷରୁ ପା’ପୋଛାଠାରୁ ଆରମ୍ଭ କରି ଫୁଲଦାନୀ, ଫୁଲ ଗଛ, ନଡ଼ିଆ ଗଛ, କଳା ପଲିଥିନ୍‌ରୁ ଅଙ୍ଗୁର ପେନ୍ଥା, ଘରର ସାଜସଜ୍ଜା ପାଇଁ ବିଭିନ୍ନ ସାମଗ୍ରୀ ଓ ଠାକୁରଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ବର୍ତ୍ତମାନ ସେ ତିଆରି କରିଥିବା ମା’ ଦୁର୍ଗାଙ୍କ ପ୍ରତିଛବି ବେଶ୍ ଜୀବନ୍ତ ଓ ଆକର୍ଷଣୀୟ ହୋଇଛି। ଏନେଇ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହେଉଛନ୍ତି। କେବଳ ସେତିକି ନୁହେଁ, କାବ୍ୟ ଓ କବିତା ରଚନା କରି ଏକାଧିକ ଥର ସମ୍ମାନିତ ମଧ୍ୟ ହୋଇଛନ୍ତି। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଏହି କାର୍ଯ୍ୟ ଚାଲୁ ରଖିଛନ୍ତି। ଏ ନେଇ ସ୍ନିଗ୍ଧାଙ୍କ କହିବା କଥା ହେଲା, ପିଲାଦିନରୁ ଏମିତି କାର୍ଯ୍ୟ କରିବା ପାଇଁ ତାଙ୍କର ବହୁତ ଇଚ୍ଛା ଓ ଆଗ୍ରହ ଥିଲା। ପାଠପଢ଼ା ଓ ଶିକ୍ଷକତା କାର୍ଯ୍ୟର ଚାପ ଯୋଗୁଁ ଏହି କାର୍ଯ୍ୟକୁ ଠିକ୍ ଭାବେ ତୁଲାଇ ପାରୁ ନଥିଲେ। ଏବେ ସମୟ ବାହାର କରି ନିଜର ଏହି ପୁରୁଣା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ଏହି ହସ୍ତଶିଳ୍ପ ସାମଗ୍ରୀକୁ ବଜାରରେ ବିକ୍ରି କରିବା ପାଇଁ ଅନ୍‌ଲାଇନ୍‌ର ସାହଯ୍ୟ ନେବାକୁ ସେ ଯୋଜନା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe