ଅଁଳାନବମୀରେ ଚଳଚଞ୍ଚଳ ସାକ୍ଷୀଗୋପାଳ: ରଙ୍ଗବେରଙ୍ଗ ଆଲୋକରେ ସୁସଜ୍ଜିତ ମନ୍ଦିର

ଅଁଳାନବମୀରେ ଚଳଚଞ୍ଚଳ ସାକ୍ଷୀଗୋପାଳ: ରଙ୍ଗବେରଙ୍ଗ ଆଲୋକରେ ସୁସଜ୍ଜିତ ମନ୍ଦିର

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀରେ ସାକ୍ଷୀଗୋପଳ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳଙ୍କୁ ଭିଡ଼ ଜମିଛି। ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ଫଳରେ ବର୍ଷ ସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ। ପବିତ୍ର ଅଁଳା ନବମୀ ତିଥିରେ ଗୋଟିଏ ଦିନ ନିମନ୍ତେ ଠାକୁରାଣୀ ରାଧାରାଣୀ ଓଡ଼ିଆଣୀ ବେଶ ହୋଇଥାନ୍ତି। ଆଜି ଭୋର ୫ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ସୁଦ୍ଧା ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରି ଫେରିଛନ୍ତି। ତେବେ ରାଧାାପଦ ଦର୍ଶନ ପାଇଁ ଉତ୍ସବମୁଖର ହୋଇପଡ଼ିଛି ପୂରା ସାକ୍ଷୀଗୋପାଳ। ଆସନ୍ତାକାଲି ପର୍ଯ୍ୟନ୍ତ ମନ୍ଦିର ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଆଶା ଥିବାରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ୩ ଦିନ ଧରି ହେବାକୁ ଥିବା ଶ୍ରୀରାଧା ଉତ୍ସବ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍‌ଘାଟିତ ହୋଇଥିବାବେଳେ ପଲ୍ଲିଶ୍ରୀ ମେଳାରେ ସ୍ୱୟଂସହାୟକ ଗୋଷ୍ଠୀ ତରଫରୁ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଭିଡ଼ରେ ଅପରାଧ ରୋକିବା ନିମନ୍ତେ ମନ୍ଦିର ପରିସର ବାହାରେ ସିସି କ୍ୟାମେରା ଲଗାଯାଇଛି। ରାସ୍ତାରେ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ପୁଲିସ ମୁତୟନ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ଡ. କେ ବିଶାଳ ସିଂହଙ୍କ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆଜି ମନ୍ଦିର ଭିତରେ ଓ ବିଭିନ୍ନ ସ୍ଥାନରେ ୩ ଜଣ ଆଡିସନାଲ ଏସ୍‌ପି, ୮ଜଣ ଡିଏସ୍‌ପି, ୧୮ ଜଣ ଇନ୍ସପେକ୍ଟର, ୭୪ ଜଣ ଏସ୍‌ଆଇ, ୧୦୦ ଜଣ ହାବିଲଦାର ଓ କନେଷ୍ଟବଳ, ୨୦୦ ଜଣ ଗୃହରକ୍ଷୀଙ୍କ ସମେତ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ। ସାକ୍ଷୀଗୋପାଳ ମନ୍ଦିର, ମନ୍ଦିର ଚାରିପଟ ଓ ବଜାର ରାସ୍ତାରେ ବ୍ୟାପକ ଆଲୋକ ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ଅଁଳା ନବମୀ ଭିଡ଼କୁ ଦୃଷ୍ଟିରେ ରଖି ଆଜି ସାକ୍ଷୀଗୋପାଳ ବସଷ୍ଟାଣ୍ଡଠାରୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯାନବାହାନ ଏପରିକି ମୋଟର ସାଇକେଲ ମଧ୍ୟ ଛଡ଼ା ଯାଇ ନ ଥିଲା। ଫଳରେ ସ୍ଥାନୀୟ ଲୋକେ ଯିବାଆସିବା ନିମନ୍ତେ ହଇରାଣ ହୋଇଥିଲେ। ଆଗକୁ ନିର୍ବାଚନ ଥିବାରୁ ସାକ୍ଷୀଗୋପାଳ ବଜାର ସାରା ପ୍ରତ୍ୟେକ ରାଜନୈତିକ ଦଳ, ଦଳର ନେତା ଓ ଆଶାୟୀ ପ୍ରାର୍ଥୀ ମାନଙ୍କର ଅଭିନନ୍ଦନ ଫ୍ଲେକ୍ସ ଲଗାଯାଇଥିବା ଦେଖିବାକୁ ମକିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe