ଜିଲ୍ଲାରେ ଏମ୍‌ସ ପ୍ରତିଷ୍ଠା ଦାବିରେ ତ୍ରିରଙ୍ଗା ପଦଯାତ୍ରା

ଜିଲ୍ଲାରେ ଏମ୍‌ସ ପ୍ରତିଷ୍ଠା ଦାବିରେ ତ୍ରିରଙ୍ଗା ପଦଯାତ୍ରା

ରାଉରକେଲା: ଜିଲ୍ଲାରେ ସ୍ବାସ୍ଥ୍ୟସେବା ଯେ ଭୁଶୁଡ଼ିପଡ଼ିଲାଣି, ଆଉ କାହାକୁ ଅଛପା ନାହିଁ। ବ୍ୟାପକ ସ୍ବାସ୍ଥ୍ୟସେବା ସହ ଭିତ୍ତୂଭିମି ବିକାଶ ଦିଗରେ କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ପଡ଼ିପାରୁନି। ଇସ୍ପାତ ଜେନେରାଲ ସୁପରସ୍ପେଶାଲିଟି ହସପିଟାଲ ଶତପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିନଥିବାବେଳେ ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜରେ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା, ଏବେ ଅନିଶ୍ଚିତତା ଭିତରେ। ନିର୍ଦ୍ଦିଷ୍ଟ ଏହି ଦୁଇ ଦାବି ପାଇଁ ବିଗତ ଦିନରେ ଅନେକ ଆନ୍ଦୋଳନ, ଧାରଣା, ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା; କିନ୍ତୁ କୌଣସି ସୁଫଳ ମିଳୁନି। ଓଲଟା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ଜିଲ୍ଲାକୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି। ରାଜ୍ୟର ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍‌ସ) ସ୍ଥାପନ ପାଇଁ ପୂର୍ବର ସବୁ ପ୍ରତିଶ୍ରୁତି ଏବେ ମିଛ ସାବ୍ୟସ୍ତ ହେବାରେ ଲାଗିଛି। କାରଣ ବାଲେଶ୍ବରରେ ଏମ୍‌ସର ସାଟେଲାଇଟ୍‌ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଭାଗ୍ୟରେ ଦ୍ବିତୀୟ ଏମ୍‌ସ ପଡ଼ିବା ଆଶା କ୍ଷୀଣ ପ୍ରାୟ।

ତେବେ ଏହି ଦାବିରେ ରାଉରକେଲାର ଯୁବକ ସୁଜିତ ଦାଶ ଆଜିଠାରୁ ଭୁବନେଶ୍ବରକୁ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରିଛନ୍ତି। ସେ ଦୀର୍ଘ ୧୭ ଦିନ ଧରି ଟାଣ ଖରାରେ ଚାଲିଚାଲି ଭୁବନେଶ୍ବରକୁ ଯିବେ। ସେଠାରେ ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶକଙ୍କୁ ଭେଟି ଦାବି ଉପସ୍ଥାପନ କରିବେ। ଯଦି କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳିଲା, ତା’ହେଲେ ଦିଲ୍ଲୀକୁ ପଦଯାତ୍ରା କରିବେବୋଲି ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ସେକ୍ଟର-୨୦, ସି’ ବ୍ଲକ ନିବାସୀ ସୁଜିତ ପେଶାରେ ଜଣେ ସାମ୍ବାଦିକ। ବିଜେବି କଲେଜରୁ ସ୍ନାତକ ଶେଷ କରିବାପରେ ଭୁବନେଶ୍ବରସ୍ଥ ଏକ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ। ସେ ଦିନକୁ ୩୦ କିଲୋମିଟର ଲେଖାଏଁ ଚାଲିଚାଲି ଯିବେ। ପ୍ରକାଶଥାଉକି, ଆଇଜିଏଚ୍‌ ସୁପରସ୍ପେଶାଲିଟି ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବିରେ ସ୍ଥାନୀୟ ଯୁବକ ମୁକ୍ତିକାନ୍ତ ବିଶ୍ବାଳ ଦିଲ୍ଲୀକୁ ପଦଯାତ୍ରା ଆରମ୍ଭ କରିଛନ୍ତି। ସେ ଗତ ୧ ତାରିଖ ଉତ୍କଳ ଦିବସଠାରୁ ପଦଯାତ୍ରାରେ ବାହାରିଥିବାବେଳେ ସଂପ୍ରତି ସେ ଝାଡ଼ଖଣ୍ଡରେ ପହଞ୍ଚିଛନ୍ତି।

ଅପରପକ୍ଷରେ, ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ନେଇ ସରକାର ଯେଭଳି ପ୍ରହେଳିକା ସୃଷ୍ଟି କରିଥିଲେ; ତାହା ଏବେ ଚର୍ଚ୍ଚାର ଶିରୋଣାମା ପାଲଟିଛି। ଗତ ବର୍ଷ ସେପ୍ଟେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସିଥିବାବେଳେ ପ୍ରକାଶ୍ୟରେ ଦାବିକୁ ସମର୍ଥନ କରିଥିଲେ। ଏମିତିକି ଦାବି ନେଇ ରାଜ୍ୟ ସରକାର ବହୁବାର କେନ୍ଦ୍ରକୁ ଚିଠି ଲେଖିଥିବା କହିଥିଲେ। ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦେଇଥିଲେ। ଏହାପୂର୍ବରୁ, ଅର୍ଥାତ୍‌ ୨୦୨୧ ଏପ୍ରିଲ ୩ ତାରିଖରେ ଏମ୍‌ସ, ଭୁବନେଶ୍ବରର ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ କେନ୍ଦ୍ରୀୟ ବୈଷୟିକ ଟିମ୍‌ ସୁନ୍ଦରଗଡ଼ରେ ପହଞ୍ଚି ଏନ୍‌ଟିପିସି ମେଡିକାଲ କଲେଜର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ବିଗତ ଦିନରେ ଏଭଳି ଅନେକବାର ପଦକ୍ଷେପ ନିଆଯାଇଛି, ଯଦ୍ବାରା ଜିଲ୍ଲାବାସୀଙ୍କ ଆକାଂକ୍ଷା ବଢ଼ିବାରେ ଲାଗିଥିଲା। ଏବେ କିନ୍ତୁ ଏ ନେଇ ରାଜ୍ୟ ସରକାର ଚୁପ୍‌ ବସିଥିବାରୁ; ଜିଲ୍ଲାବାସୀଙ୍କ ଏହି ନ୍ୟାଯ୍ୟ ଦାବି ପୂରଣ ହେବା ସନ୍ଦେହ ଭିତରକୁ ଠେଲିହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe