ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ବଡ଼ଘାଟିରେ ଆଜି ରାତି ପ୍ରାୟ ୮ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳା ଓ ଟ୍ରକ୍ ଡ୍ରାଇଭର୍ଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏକ କାଜୁ ତେଲ ବୋଝେଇ ଟ୍ରକ୍ (ଏପି ୦୫ଟିବି ୭୩୫୯) ଆନ୍ଧ୍ରପ୍ରଦେଶର ପଲାସାରୁ ବାହାରି କୋଲକାତା ଅଭିମୁଖେ ଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ବଡ଼ଘାଟି ହରିଡ଼ାମୂଳ ନିକଟରେ ବ୍ରେକ୍ ଫେଲ୍ ହୋଇଯିବାରୁ ଡ୍ରାଇଭର୍ ଭାରସାମ୍ୟ ହରାଇବସିଥିଲେ।
ଟ୍ରକ୍ଟି ଆଗରେ ଯାଉଥିବା ଏକ କାର୍ ଓ ବାଇକ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। କାର୍ଟି ରାସ୍ତାକଡ଼କୁ ପଳାଇଥିବା ବେଳେ ବାଇକ୍ରେ ଯାଉଥିବା ବିଷ୍ଣୁପ୍ରିୟା ପାତ୍ର (୩୫) ଓ ଟ୍ରକ୍ଚାଳକ ନରସିଂହ ରାଓ (୪୫) ପ୍ରାଣ ହରାଇଥିଲେ। ଏହାସହ ବାଇକ୍ରେ ଥିବା ମୃତକ ବିଷ୍ଣୁପ୍ରିୟାଙ୍କ ପୁଅ ଆଶୁତୋଷ ଓ ତାଙ୍କ ଭାଇ ସିଏଚ.ରାମଚନ୍ଦ୍ର ପୃଷ୍ଟି ଏବଂ ଟ୍ରକ୍ ହେଲପର୍ ଜୟରାମ ଗୁରୁତର ହୋଇଥିଲେ। ୩ ଜଣ ଗୁରୁତରଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମୃତ ମହିଳାଙ୍କ ବାପା ଘର ବିକ୍ରମପୁର ବୋଲି ଜଣାପଡ଼ିଛି। ବିଷ୍ଣୁପ୍ରିୟା ତାଙ୍କ ପୁଅକୁ ଧରି ଭାଇଙ୍କ ସହିତ ବ୍ରହ୍ମପୁରରୁ ବିକ୍ରମପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
Follow Us