ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା

ସମୁଦ୍ରରେ ଗାଧୋଇବା ବେଳେ ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ବିଜେପି ରେଞ୍ଜ ଅନ୍ତର୍ଗତ କାଦକଳା ଧୀବରସାହିରେ ଏକ ଗୋଠଛଡ଼ା ଦନ୍ତାହାତୀ ଜଣେ ମହିଳାଙ୍କୁ କଚାଡ଼ି ମାରିଛି। ମୃତ ମହିଳା ଜଣଙ୍କ ହେଲେ ପବିତ୍ର ଧୀବରଙ୍କ ପତ୍ନୀ ପ୍ରଭାତୀ ଧୀବର (୨୬)। ମାସେରୁ ଊର୍ଦ୍ଧ୍ବ ହେବ କାଦକଳା ଅଞ୍ଚଳରେ ୧୦ ଟିକିଆ ହାତୀପଲରୁ ଏକ ଦନ୍ତାହାତୀ ଗୋଠଛଡ଼ା ହୋଇ ବୁଲୁଛି। ଗୋଠଛଡ଼ା ଦନ୍ତାଟି ଆତଙ୍କ ଖେଳାଇ ଚାଲିଛି। ବିଭିନ୍ନ ଗ୍ରାମରେ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରୁଛି। ଫଳରେ ଲୋକେ ରାତିରେ ଘରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି। ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ କାଦକଳା ଧୀବରସାହିରେ ଦନ୍ତାହାତୀଟି ପଶି ଆତଙ୍କ ଖେଳାଇଥିଲା। ହାତୀ ଆସିଥିବା ଜାଣି ଗ୍ରାମବାସୀ ଘର ବାହାରକୁ ଦୌଡ଼ି ଥିଲେ। ପବିତ୍ର ଓ ପ୍ରଭାତୀ ମଧ୍ୟ ପରିବାର ସହ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏହି ସମୟରେ ପ୍ରଭାତୀ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଖବର ପାଇ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାଂଶପାଳ ଡାକ୍ତରଖାନା ନେଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାରକୁ ବନ ବିଭାଗ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ଗୋଠଛଡ଼ା ଦନ୍ତାକୁ ଅନ୍ୟତ୍ର ଘଉଡ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଦନ୍ତାହାତୀଟି ଏବେ ବି ଗାଁ ପାଖ ଜଙ୍ଗଲରେ ଘୂରି ବୁଲୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe