ପାଣିକୋଇଲି: ରାଣୀଗୋଡ଼ା ଡାକଘରେ ଚିଠି ବଣ୍ଟା ହେଉନି। ସ୍ପିଡ୍ ପୋଷ୍ଟ ବି ଲୋକେ ପାଉନାହାନ୍ତି। କାର୍ଯ୍ୟାଳୟରେ ଗଦାହୋଇଛି ଆଧାର କାର୍ଡ। ପ୍ରାପକ ଲୋକଙ୍କ ପାଖରେ ଏହା ପହଞ୍ଚୁନି। ଅନେକ ସମୟରେ ଫୋନ୍ ନମ୍ବରରେ ମେସେଜ ଯାଉଛି ଚିଠି ପହଞ୍ଚିଯାଇଛି କିନ୍ତୁ ତାହା ପ୍ରାପକ ପାଉନାହାନ୍ତି। ଡାକଘର କର୍ମଚାରୀଙ୍କ ଏପରି ଦାୟିତ୍ବହୀନତା କାରଣରୁ ବହୁ ଜରୁରି କାଗଜପତ୍ର ଠିକ୍ ସମୟରେ ନପାଇ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ କୋର୍ଟକଚେରିରେ ଦଣ୍ଡିତ ହେଉଛି ତ କାହାର ଏଟିଏମ୍ କାର୍ଡ ପୁଣି ଫେରିଯାଉଛି।
ଯାଜପୁରରୋଡ ପୋଷ୍ଟଅଫିସ ଦ୍ବାରା ପରିଚାଳିତ ବରୁଣ୍ତାଇ ସବ୍ ପୋଷ୍ଟଅଫିସ ଅଧୀନରେ କାର୍ଯ୍ୟକରୁଛି କୋରେଇ ବ୍ଲକ କରଦା ପଞ୍ଚାୟତରେ ଥିବା ରାଣୀଗୋଡା ଶାଖା ଡାକଘର। ଏଠାକାର ପିନ୍​ କୋଡ୍ ୭୫୫୦୨୫। ଷଠିପୁର-ବୈତରଣୀରୋଡ୍ ରାସ୍ତା ପାର୍ଶ୍ବରେ ଏକ ଭଡ଼ାଘରେ ଅଫିସଟି କାର୍ଯ୍ୟକରୁଛି। କରଦା ପଞ୍ଚାୟତ ସମେତ ପଡ଼ୋଶୀ ମାଳଆନନ୍ଦପୁର ପଞ୍ଚାୟତବାସୀ ଏହି ଡାକଘରୁ ସେବା ପାଇଥାନ୍ତି। ଏଠାରେ ଦୁଇଶହରୁ ଅଧିକ ଜମାକରୀ ଅଛନ୍ତି। ଏଠାରେ ପୋଷ୍ଟମାଷ୍ଟର ଭାବେ ଅନିତା କୁମାରୀ ରାଉତ ଏବଂ ଡାକ କର୍ମଚାରୀ ଶ୍ରୀଲିପ୍ତା ପତ୍ରୀ କାର୍ଯ୍ୟରତ ଅଛନ୍ତି। ଅଫିସରେ ଆଧାରକାର୍ଡ, ପ୍ୟାନ କାର୍ଡ, ଚେକବୁକ, ବୀମାବଣ୍ତ ଓ ବିଭିନ୍ନ ଚିଠି ବଣ୍ଟା ନଯାଇ ଏକ ଅଖାରେ ରଖାଯାଇଥିବା ଦେଖିବାକୁ ମିଳିଛି। ଗତ ଦୁଇବର୍ଷ ହେବ କାର୍ଯ୍ୟ କରୁଥିବା ଶ୍ରୀଲିପ୍ତା ପତ୍ରୀ ଆଦୌ ଚିଠିପତ୍ର କାହାକୁ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଚିଠି ଉପରେ ଯାହାର ମୋବାଇଲ ନମ୍ବର ଅଛି, ତାଙ୍କୁ କାର୍ଯ୍ୟାଳୟକୁ ଆସି ଚିଠି ନେଇଯିବାକୁ କହୁଛନ୍ତି। ନଚେତ ତାକୁ ଟେବୁଲରେ ନହେଲେ ଅଖା ଭିତରେ ପକାଇ ରଖୁଛନ୍ତି।
ଜନୈକ ବ୍ୟକ୍ତିଙ୍କ ଏକ ରେଜିଷ୍ଟ୍ରି ଚିଠି ନଂ (ଇଡବ୍ଲୁ ୬୫୭୪୫୭୨୨୨ ଆଇଏନ) ଗତ ୧ ତାରିଖରୁ କୋଲକାତାରୁ ଆସି ୩ ତାରିଖରେ ରାଣୀଗୋଡ଼ା ଡାକଘରେ ପହଞ୍ଚିଥିବା ମେସେଜରୁ ଜଣାପଡ଼ିଛି। ତାଙ୍କୁ ଅଦ୍ୟାବିଧି ଚିଠି ଦିଆ ଯାଇନାହିଁ କିନ୍ତୁ ୬ ତାରିଖରେ ତାଙ୍କୁ ଚିଠି ଦିଆଯାଇଥିବା ଦର୍ଶାଯାଇଛି। ଏ ବିଷୟରେ ଶ୍ରୀଲିପ୍ତା ପତ୍ରୀଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ପୋଷ୍ଟମାଷ୍ଟର ଅନିତା କୁମାରୀ ମଧ୍ୟ ଏନେଇ ମୁହଁ ଖୋଲି ନଥିଲେ।
ଏ ବିଷୟରେ ବରୁଣ୍ଡେଇ ପୋଷ୍ଟମାଷ୍ଟର ଲକ୍ଷ୍ମଣ ମୁର୍ମୁଙ୍କୁ ପଚାରିବାରୁ ଡାକ ନିରୀକ୍ଷକଙ୍କ ଦ୍ବାରା ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
Follow Us