ଗଞ୍ଜାମ, ସୁବର୍ଣ୍ଣପୁରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଆରମ୍ଭ: ଗଞ୍ଜାମକୁ ୩୭୪, ସୁବର୍ଣ୍ଣପୁରକୁ ୨୧୧୪ କୋଟି

Advertisment

ଏହା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ: ମୁଖ୍ୟମନ୍ତ୍ରୀ

ଏହା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ: ମୁଖ୍ୟମନ୍ତ୍ରୀ

ଗଞ୍ଜାମ, ସୁବର୍ଣ୍ଣପୁରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଆରମ୍ଭ: ଗଞ୍ଜାମକୁ ୩୭୪, ସୁବର୍ଣ୍ଣପୁରକୁ ୨୧୧୪ କୋଟି

ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଆଜି ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି। ଗଞ୍ଜାମର ୧୨ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୨୫୧.୫୦ କୋଟି ଟଙ୍କା। ଏଥିରେ ୨୨ଟି ବ୍ଲକ୍‌ର ୫୦୩ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସୁବର୍ଣ୍ଣପୁରର ଦୁଇଟି ନିର୍ବାଚନମଣ୍ଡଳୀ ପାଇଁ ମିଳିଛି ୫୪.୫୦ କୋଟି ଟଙ୍କ। ଏଥିରେ ୬ଟି ବ୍ଲକ୍‌ର ୧୦୯ଟି ପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ ହେବ। ଏହା ବାଦ୍ ଦୁଇଟି ଜିଲ୍ଲାରେ ଆଉ ୭୬ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧୮୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ଆଭାସି ଜରିଆରେ କାର୍ଯ୍ୟକ୍ରମକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡ଼ିକୁ ବିକାଶର ଶିଖରରେ ପହଞ୍ଚାଇବ। ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ। ଆମର ସୁଦୃଢ଼ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡ଼ିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ। ନବୀନ ଓଡ଼ିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢ଼ିବ। ଏହି ‌ଯୋଜନା ମାଧ୍ୟମ‌ରେ ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ। ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ।

୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲା ଦେଶର ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ଜିଲ୍ଲା ଭାବରେ ଭାରତ ସରକାରଙ୍କଠାରୁ ପୁରସ୍କାର ପାଇଛି। ସେହିପରି ହିଞ୍ଜିଳି ବ୍ଲକ ମଧ୍ୟ ଦେଶର ସମସ୍ତ ବ୍ଲକମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ବ୍ଲକ ଭାବରେ ଭାରତ ସରକାରଙ୍କଠାରୁ ପୁରସ୍କାର ପାଇଛି। ଗଞ୍ଜାମ ସାରା ଭାରତବର୍ଷକୁ ବିକାଶର ରାସ୍ତାରେ ପ୍ରେରିତ କରିଛି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୫୭ଟି ପ୍ରକଳ୍ପ ପାଇଁ ୧୨୨.୧୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୫୯.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ଏହି ଅବସରରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଦୀପ ଅମାତ, ଉଷା ଦେବୀ ଓ ନିରଞ୍ଜନ ପୂଜାରୀ, ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସୂର୍ଯ୍ୟମଣୀ ବୈଦ, ମଞ୍ଜୁଳା ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶ୍ରୀକାନ୍ତ ସାହୁ, ଲତିକା ପ୍ରଧାନ ଓ ପଦ୍ମନାଭ ବେହେରାଙ୍କ ସମେତ ଜିଲ୍ଲା ପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଅଧ୍ୟକ୍ଷ ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସି ମାଧ୍ୟମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe