ଚିନିକଳ ଚାଲୁ କରିବା ଦାବିରେ ମନ୍ତ୍ରୀଙ୍କ ବାସଭବନ ଘେରିଲା ଆପ୍‌

Advertisment
ଚିନିକଳ ଚାଲୁ କରିବା ଦାବିରେ ମନ୍ତ୍ରୀଙ୍କ ବାସଭବନ ଘେରିଲା ଆପ୍‌

ଭୁବନେଶ୍ୱର : ଦୀର୍ଘଦିନଧରି ବଲାଙ୍ଗୀର, ନୟାଗଡ଼, ବରଗଡ଼ ଓ ବଡ଼ମ୍ବାରେ ବନ୍ଦ ରହିଥିବା ଚିନିକଳ ଚାଲୁ କରିବା ଦାବିରେ ଆଜି ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ନୂଆପଲ୍ଲୀ ସ୍ଥିତ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ବାସଭବନ ଘେରାଉ କରାଯାଇଥିଲା। ପାର୍ଟି ମୁଖ୍ୟ ପ୍ରବକ୍ତା ଭରଦ୍ୱାଜ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସିଆର୍‌ପି ଛକରୁ ଏକ ଶୋଭାଯାତ୍ରାରେ ବାହାରି ମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପାର୍ଟିର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ପାର୍ଟି ପକ୍ଷରୁ କୁହାଯାଇଥିଲା ଯେ, ସରକାର ଓଡ଼ିଶାରେ ଥିବା ସମସ୍ତ ଚିନି କଳ ବନ୍ଦ କରିବାରେ ଲାଗିଛନ୍ତି। ଏହାଦ୍ୱାରା ସାରା ରାଜ୍ୟରେ ଏକପ୍ରକାର ଆଖୁ ଚାଷ ବନ୍ଦ ହେବାରେ ଲାଗିଲାଣି। ଅତୀତରେ ଆଖୁଚାଷୀମାନେ ଚିନିକଳଗୁଡ଼ିକୁ ଯେଉଁ ଆଖୁ ବିକ୍ରି କରିଥିଲେ, ସେମାନଙ୍କ ପାଉଣା ସରକାର କିମ୍ବା ତାଙ୍କ ଦ୍ୱାରା ନିୟୋଜିତ ବେସରକାରୀ ସଂସ୍ଥା ଏଯାଏଁ ଫେରାଇ ନାହାନ୍ତି। ଏନେଇ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିିଆଯାଇ ନାହିଁ। ଦୀର୍ଘ ଘଣ୍ଟାଏ ପର୍ଯ୍ୟନ୍ତ ଧାରଣାରେ ବସିବା ପରେ ପାର୍ଟିର ଏକ ପ୍ରତିନିଧି ମଣ୍ଡଳି ମନ୍ତ୍ରୀଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ଏ ବିଷୟରେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଧାରଣାରୁ ଉଠିଥିଲେ। ନିର୍ଧାରିତ ସମୟ ମଧ୍ୟରେ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆଗାମୀ ଦିନରେ ଆନ୍ଦୋନକୁ ବ୍ୟାପକ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ପାର୍ଟିର ସମ୍ପାଦକ ନିଶିକାନ୍ତ ମହାପାତ୍ର, ଅଜୟ ଦାସଙ୍କ ସମେତ ବହୁ କର୍ମୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe